balanga girl fire case: ଆଖି ବୁଜିଲେ ବଳଙ୍ଗା ପୀଡିତା!

Reporterspen

balanga girl fire case: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ନିଆଁରେ ପୋଡି ଗୁରୁତର ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ବଳଙ୍ଗା ପୀଡିତା ଆଜି (ଶନିବାର) ଆଖି ବୁଜିଛନ୍ତି । ଏନେଇ ଏମ୍ସ ହସପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଖବର ମିଳିବା ପରେ ସାରା ରଜ୍ୟରେ ଶୋକ ଛାୟା ଖେଳି ଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଠ ବ୍ୟକ୍ତି ବିଶେଷମାନେ ଶୋକ ପ୍ରକାଶ କରିଛନ୍ତି । ସେପଟେ ପୀଡିତା ଆଖି ବୁଜିଥିବା ବେଳେ ପୋଲିସ କିନ୍ତୁ ଏହି ଘଟଣାର ପର୍ଦ୍ଦାଫାସ କରି ପାରିନାହିଁ ।

ସୂଚନାଯୋଗ୍ୟ : ଗତ ୧୯ ତାରିଖ ଦିନ ପୁରୀ ଜିଲ୍ଲା ବଳଙ୍ଗା ଥାନା ବାୟାବର ଗାଁରେ ଜଣେ ୧୫ବର୍ଷୀୟ ନାବାଳିକା ଛାତ୍ରୀଙ୍କ ଦେହରେ ଦୁବୃର୍ତ୍ତମାନେ ନିଆଁ ଲଗାଇ ଦେଇଥିଲେ । ଛାତ୍ରୀ ଜଣକ ଘଟଣା ଦିନ ସକାଳେ ସାଙ୍ଗ ଘରକୁ ବହି ଦେବାକୁ ଯାଉଥିଲେ । ଏହି ସମୟରେ ରାସ୍ତାରେ ୩ଜଣ ଦୁବୃର୍ତ୍ତ ତାଙ୍କୁ ବଳପୂର୍ବକ ନିକଟସ୍ଥ ନଦୀପଠାକୁ ଉଠାଇ ନେଇଥିଲେ । ସେଠାରେ ତାଙ୍କ ହାତକୁ ବାନ୍ଧି ଦେଇ ଦେହରେ କିରୋସିନ ପକାଇ ନିଆଁ ଲଗାଇ ଦେଇଥିଲେ । ସେ ଚିତ୍କାର କରିବାରୁ ଧରାପଡିବା ଭୟରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ପରେ ଛାତ୍ରୀ ଜଣକ ନିଆଁ ଜଳୁଥିବା ବେଳେ ଚିତ୍କାର କରି ଗାଁ ଆଡକୁ ଦୌଡିଥିଲା ।

ଗାଁ ମୁଣ୍ଡରେ ଯାଉଥିବା ଜଣେ ବ୍ୟକ୍ତି ଝିଅଟିକୁ ପ୍ରଥମେ ଉଦ୍ଧାର କରି ପାଣି ପିଇବାକୁ ଦେଇଥିଲେ । ପରେ ଲୋକଙ୍କ ସହାୟତାରେ ତାଙ୍କୁ ହସପିଟାଲ ପଠାଇଥିଲେ । ତେବେ ଝିଅଟି ତାଙ୍କୁ ଝିଅଟିଏ କହିଥିଲା, ମୋତେ ତିନିଜଣ ଯୁବକ ମୋ ମୁହଁ ବାନ୍ଧି ମୋତେ ଟେକିନେଲେ । ଝିଅଟିର ଶରୀର ପ୍ରାୟ ୭୦ ଭାଗ ପୋଡି ଯାଇଥିଲା । ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସାର ଆବଶ୍ୟକତା ପଡିବାରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିପ୍ଟ କରାଯାଇଥିଲା । ସେଠାରେ ତାଙ୍କର ଆଜି ମୃତ୍ୟୁ ଘଟିଥିଲା ।

ଅପରପକ୍ଷରେ ତାଙ୍କୁ କିଏ ଓ କାହିଁକି ପୋଡି ହତ୍ୟା କରିବାକୁ ଚେଷ୍ଠା କରିଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ତେବେ ପୀଡିତାର ୫ଥର ବୟାନ ରେକର୍ଡ କରାଯିବା ଓ ପୋଲିସର ଘନଘନ ଛାନଭିନ ପରେ ଅପରାଧୀ ଧରାନପଡିବା ଏହା ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି । କୁହାଯାଉଛି, କେହି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିନାହିଁ ବରଂ ସେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ହେଲେ ଏନେଇ ପୋଲିସ କୌଣସି ସୂଚନା ଦେଇନାହିଁ ।


Reporterspen