ଭୁବନେଶ୍ୱର, (ରିପୋର୍ଟର୍ସପେନ୍) : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଶୁକ୍ରବାର ଏକ ବଡ଼ ଧରଣର ଜବରଦଖଲ ଉଛେଦ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଭରତପୁର ଥାନା ଅଞ୍ଚଳରେ ଥିବା ଶ୍ୟାମପୁର ମୌଜାର ଉଭୟ ନିର୍ମାଣ ସରିଥିବା ଓ ନିର୍ମାଣାଧୀନ ୧୮୭ଟି ଘରକୁ ଭାଙ୍ଗି ପ୍ରାୟ ୮ ଏକର ଜମିକୁ ଜବରଦଖଲମୁକ୍ତ କରାଯାଇଛି। ଏହି ଅଭିଯାନ ବିଡିଏ ଉପାଧ୍ୟକ୍ଷ ଶ୍ରୀ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଯୁଗ୍ମ କମିଶନର ରଞ୍ଜନ କୁମାର ଜେନାଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା।
ପ୍ରଥମ ଦିନରେ ଛଅଟି ଜେସିବି ମେସିନ୍ ବ୍ୟବହାର କରାଯାଇ ୧୮୭ଟି ଘର ଭଙ୍ଗାଯାଇଛି, ଯେଉଁଥିରେ ୩୧ଟି ନିର୍ମାଣାଧୀନ ଘର ମଧ୍ୟ ସାମିଲ୍ ଅଛି। ଏହା ଦ୍ୱାରା ପାଖାପାଖି ୮ ଏକର ଜମି ଉଛେଦ ମୁକ୍ତ ହୋଇଛି। ଏହି ଉଚ୍ଛେଦ ଅଭିଯାନ ବିଡିଏର ଅନଧିକୃତ ଦଖଲ ହଟାଇବା ଏବଂ ସହରର ଉନ୍ନୟନ ପାଇଁ ଚାଲୁଥିବା ପ୍ରୟାସର ଏକ ଅଂଶ।
ଅଭିଯାନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରାୟ ୧୦ ପ୍ଲାଟୁନ୍ ପୋଲିସ୍ ବଳ ଏବଂ ୫୦ ଜଣ ପୋଲିସ୍ ଅଧିକାରୀଙ୍କୁ ମୁତୟନ କରାଯାଇଥିଲା। ଉଚ୍ଛେଦ ପ୍ରକ୍ରିୟା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି ଏବଂ କୌଣସି ବଡ଼ ଅଘଟଣ ଘଟି ନାହିଁ ବୋଲି ଅଧିକାରୀମାନେ କହିଛନ୍ତି। ଉଚ୍ଛେଦ ପୂର୍ବରୁ ବିଡିଏ ବାସିନ୍ଦାଙ୍କୁ ଏକାଧିକ ନୋଟିସ୍ ଜାରି କରିଥିଲା ଏବଂ ଲାଉଡ୍ ସ୍ପିକର୍ ମାଧ୍ୟମରେ ସର୍ବସାଧାରଣ ଘୋଷଣା କରି ଅନଧିକୃତ ଦଖଲକାରୀଙ୍କୁ ସ୍ୱେଚ୍ଛାରେ ଜମି ଖାଲି କରିବାକୁ ଅନୁରୋଧ କରିଥିଲା। କର୍ତ୍ତୃପକ୍ଷ କହିଛନ୍ତି ଯେ ଯଥାଯଥ ପ୍ରକ୍ରିୟା ପରେ ହିଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା କହିଛନ୍ତି ଯେ ସମସ୍ତ ଅନଧିକୃତ ଦଖଲ ହଟାଯିବା ପର୍ଯ୍ୟନ୍ତ ଉଚ୍ଛେଦ ଅଭିଯାନ ଜାରି ରହିବ। ସେ ସରକାରୀ ଜମିରେ ଅନଧିକୃତ ଭାବେ ରହୁଥିବା ଲୋକଙ୍କୁ ନିଜେ ଖାଲି କରିବାକୁ ଆବେଦନ କରିଛନ୍ତି ଯାହା ନଗରର ଉନ୍ନୟନ କାର୍ଯ୍ୟକ୍ରମକୁ ସହାୟତା କରିବ। ଉଚ୍ଛେଦ ସମୟରେ ଅଧିକାରୀମାନେ ଏକ ଅନଧିକୃତ ଘରରୁ ମୋଟ ୭୨ଟି ଏଲ୍ପିଜି ସିଲିଣ୍ଡର (ଯେଉଁଥିରେ ୨୧ଟି ଛୋଟ ସିଲିଣ୍ଡର ଅଛି) ଜବତ କରିଛନ୍ତି। ବିଡ଼ିଏ ଏହି ଜବତ ସିଲିଣ୍ଡରଗୁଡ଼ିକୁ ନାଗରିକ ଯୋଗାଣ ବିଭାଗକୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ହସ୍ତାନ୍ତର କରିଛି। ଏଠାରେ ଉଲ୍ଲେଖନୀୟ ଯେ, ଗତ ଡିସେମ୍ବର ୨୦୨୩ରେ ବିଡିଏ ପକ୍ଷରୁ ୬୮ ଏକର ଜମିର ଅନଧିକୃତ ଦଖଲ ଏବଂ ବିକ୍ରୟ ସମ୍ପର୍କରେ ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲ୍ୟୁ)ରେ ଏକ ମାମଲା (ଏଫ୍ଆଇଆର୍) ଦାୟର କରିଥିଲା, ଯେଉଁଥିରେ ଜମି ମାଫିଆଙ୍କ ଦ୍ୱାରା ଅପରାଧ କରାଯାଇଥିବା ଅଭିଯୋଗ କରାଯାଇଥିଲା।
ଏଥିରେ ପ୍ରକାଶ ଚନ୍ଦ୍ର ପାଲ ଡିସିପି, ଅତିରିକ୍ତ ଡିସିପି ସୁବ୍ରତ କୁମାର, ସୁନାରାମ ହେମ୍ବ୍ରମ୍, ଅମିୟ କୁମାର ଦାସ, ଉପନିର୍ଦ୍ଦେଶକ (ସର୍ଭେ ଓ ଏନଫୋର୍ସମେଣ୍ଟ), ଜିଏ ଓ ପିଜି ବିଭାଗ, ଓଏସଡି ଦେବରାଜ ସେଠୀ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ସିଦ୍ଧାନ୍ତ ସାହୁ, ଜୁନିୟର ଏନଫୋର୍ସମେଣ୍ଟ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ।

