ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ସମୀକ୍ଷା କଲେ ମୁଖ୍ୟ ସଚିବ; ଭୁବନେଶ୍ୱର ଓ ବ୍ରହ୍ମପୁର ରେଳ ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ଆସନ୍ତା ୩ରୁ ୫ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଭାରତର ମାନ୍ୟବର ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ପ୍ରସ୍ତୁତି ସମ୍ପର୍କରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତର କାର୍ଯ୍ୟସୂଚୀ ସଂପର୍କରେ ସୁରକ୍ଷା, ପ୍ରୋଟୋକଲ ଓ ପ୍ରଶାସନିକ ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା କରାଯାଇଥିଲା ।

ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ଅଗ୍ନିଶମ ସେବା ମହାର୍ନିେଶକ ଡଃ ସୁଧାଂଶୁ ଷଡ଼ଙ୍ଗୀ, ସଂପୃକ୍ତ ବିଭିନ୍ନ ବିଭାଗର ସଚିବ, ପୂର୍ବତଟ ରେଳପଥର ଡିଭିଜନାଲ ରେଳ ପ୍ରବନ୍ଧକଙ୍କ ସମେତ ବିଭିନ୍ନ ବିଭାଗ ଏବଂ ପୁଲିସ୍ ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । କଟକ ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲାପାଳ ଏବଂ ସମ୍ପୃକ୍ତ ଜିଲ୍ଲାର ପୋଲିସ ଅଧୀକ୍ଷକମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ ।

ବୈଠକରୁ ପ୍ରାପ୍ତ ସୂଚନା ଅନୁସାରେ ମାନ୍ୟବର ରାଷ୍ଟ୍ରପତି ଅଗଷ୍ଟ ୩ ତାରିଖ ମଧ୍ୟାହ୍ନରେ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରି ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସେଠାରୁ ‘ଲୋକଭବନ\’ରେ ପହଞ୍ଚିବେ । ପରେ ପରେ ସଡ଼କ ପଥରେ ମାନ୍ୟବର ରାଷ୍ଟ୍ରପତି କଟକ ଜିଲ୍ଲା ଡମପଡା ତହସିଲ ଅନ୍ତର୍ଗତ ବାଆଁରା ନିକଟସ୍ଥ ଜଗଦଗୁରୁ କୃପାଳୁ ବିଶ୍ୱ ବିଦ୍ୟାଳୟ ଠାରେ ପହଁଚି ସେଠାରେ ବିଶ୍ୱବିଦ୍ୟାଳୟର ଶୁଭ ଉଦ୍ଘାଟନ କରିବେ ଏବଂ କାର୍ଯ୍ୟକ୍ରମ ସାରି ସଂଧ୍ୟାରେ ଲୋକଭବନରେ ପହଞ୍ଚି ରାତ୍ର ରହଣି କରିବେ ।

ପରଦିନ ୪ ତାରିଖ ସକାଳେ ମାନ୍ୟବର ରାଷ୍ଟ୍ରପତି ଲୋକଭବନରୁ ବାହାରି ଭୁବନେଶ୍ୱର ରେଳ ଷ୍ଟେସନରୁ ରେଳ ଯୋଗେ ବ୍ରହ୍ମପୁର ଗସ୍ତ କରିବେ । ବର୍ଷା ଜନିତ ପାଣିପାଗକୁ ଦୃଷ୍ଟିରେ ରଖ୍ ମାନ୍ୟବର ରାଷ୍ଟ୍ରପତି ରେଳ ଯୋଗେ ବ୍ରହ୍ମପୁର ଗସ୍ତ କରିବେ ବୋଲି ବୈଠକରେ ଆଲୋଚନା କରାଯାଇଛି । ମାନ୍ୟବର ରାଷ୍ଟ୍ରପତି ବ୍ରହ୍ମପୁରରେ ପହଁଚି ସଡ଼କ ପଥରେ ତପ୍ତପାଣି ପରିଦର୍ଶନ କରି ସେଠାରେ ମା\’ କନ୍ଧୁଣୀ ଆଳତି ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବେ । ଦର୍ଶନ ପରେ ସେଦିନ ଆର୍ମି ଏଡି କଲେଜ ବା ପରବର୍ତୀ ସମୟରେ ଚୂଡାନ୍ତ କାର୍ଯ୍ୟସୂଚୀ ଅନୁସାରେ ରାତ୍ର ରହଣି କରିବାର କାର୍ଯ୍ୟକ୍ରମ ରହିଛି । ମାନ୍ୟବର ରାଷ୍ଟ୍ରପତି ଏହି ଅବସରରେ ବ୍ରହ୍ମପୁର-ଗୋପାଳପୁର ସ୍ଥିତ ଧବଳେଶ୍ୱର ମନ୍ଦିର ପରିଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏ ସଂପର୍କରେ ଜିଲ୍ଲାପାଳ ଆଲୋଚନା କରିଥିଲେ । ୫ ତାରିଖରେ ମାନ୍ୟବର ରାଷ୍ଟ୍ରପତି ବ୍ରହ୍ମପୁରରୁ ରେଳ ଯୋଗେ ଭୁବନେଶ୍ୱରରେ ପହଁଚି ସେଠାରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବୈଠକରୁ ଜଣାପଡିଛି ।

ବୈଠକରେ ଲୋକସେବା ଭବନ, ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ରେଳ ଷ୍ଟେସନ, ବ୍ରହ୍ମପୁର ରେଳ ଷ୍ଟେସନ, ତପ୍ତପାଣି ସମେତ ଏବଂ ସମସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରାଯାଇଥିଲା । ଭୁବନେଶ୍ୱର ରେଳ ଷ୍ଟେସନର ପରିମଳ ବ୍ୟବସ୍ଥା ଓ ସ୍ୱଚ୍ଛତା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା, ରେଳ ଷ୍ଟେସନ ପରିସରର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବା ଏବଂ ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ରେଳ ଯାତ୍ରା ସମୟରେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସମ୍ପର୍କରେ କଟକ ଜିଲ୍ଲାପାଳଙ୍କ ସହ ଏବଂ ତପ୍ତପାଣିର ବ୍ୟବସ୍ଥା ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଥିଲା । ତପ୍ତପାଣି ମନ୍ଦିରରେ ଦର୍ଶନ ଓ ଆଳତି, ବୃକ୍ଷରୋପଣ କାର୍ଯ୍ୟକ୍ରମ, ବ୍ରହ୍ମପୁର ରେଳ ଷ୍ଟେସନର ସାଜସଜ୍ଜା, ପ୍ରୋଟୋକଲ ବ୍ୟବସ୍ଥା, ସଡ଼କ ମରାମତି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ମଧ୍‌ଯ ସମୀକ୍ଷା କରାଯାଇଥିଲା ।

ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କାରକେଡ୍ ଯୋଜନା, ଟ୍ରାଫିକ୍ ପରିଚାଳନା, ଯୋଗାଯୋଗ ବ୍ୟବସ୍ଥା, ଜରୁରୀକାଳୀନ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ ସେବା ସହ ଅଗ୍ନିଶମ ସେବା, ଆବଶ୍ୟକ ରାସ୍ତା ମରାମତି ଆଦି ସମ୍ପୂର୍ଣ୍ଣ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା ।
ମୁଖ୍ୟ ଶାସନ ସଚିବ ସଂପୃକ୍ତ ସମସ୍ତ ବିଭାଗକୁ ପାରସ୍ପରିକ ସମନ୍ୱୟ ରକ୍ଷା କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


Reporterspen