ଭୁବନେଶ୍ୱର, (ରିପୋର୍ଟର୍ସପେନ୍) : ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ପବିତ୍ର ଅବସରରେ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ “ଓଡ଼ିଆ ପକ୍ଷ ଉଦ୍ଯାପନୀ–୨୦୨୬” ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ କେବଳ ୧୪ଦିନରେ ସୀମିତ ରଖିବା ନୁହେଁ, ବରଂ ବର୍ଷ ବ୍ୟାପି ଜୀବନ ଶୈଳୀର ଅବିଛିନ୍ନ ଅଂଶ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ସେ କହିଥିଲେ ଯେ, ‘ଓଡ଼ିଆ ପକ୍ଷ’ର ଏହି ସଫଳ ଆୟୋଜନ କେବଳ ଏକ ଉତ୍ସବ ନୁହେଁ, ଏହା ଆମ ଅସ୍ମିତାର ଉଦ୍ଘୋଷଣା ଓ ଏକ ନୂତନ ସାଂସ୍କୃତିକ ଜାଗରଣର ଆରମ୍ଭ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସାଂସ୍କୃତିକ ଆଧାର ବିନା ଆର୍ଥିକ ସମୃଦ୍ଧିର କୌଣସି ଅର୍ଥ ନାହିଁ । ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ହୋଇଥିବା ଐତିହାସିକ ସଂଘର୍ଷକୁ ସ୍ମରଣ କରି ସେ କହିଥିଲେ ଯେ, ଏହି ଆନ୍ଦୋଳନ ଆମର ଜାତୀୟ ପରିଚୟକୁ ସୁଦୃଢ଼ କରିଛି। ଗଙ୍ଗାଧର ମେହେର, ରାଧାନାଥ ରାୟ, ମଧୁସୂଦନ ରାଓ ଓ ଫକୀରମୋହନ ସେନାପତିଙ୍କ ପରି ବରେଣ୍ୟ ସାହିତ୍ୟିକମାନଙ୍କ ଅବଦାନ ଓଡ଼ିଆ ସାହିତ୍ୟକୁ ଏକ ନୂତନ ଦିଗ ଦେଇଥିବାର ସେ କହିଥିଲେ । ସେ ଆହୁରି କହିଥିଲେ ଯେ, ଚଳିତ ବର୍ଷ ଉତ୍କଳ ଦିବସରୁ ଆରମ୍ଭ ହୋଇଥିବା ‘ଓଡ଼ିଆ ପକ୍ଷ’ ପାଳନ ମାଧ୍ୟମରେ ଓଡ଼ିଆ ଅସ୍ମିତାକୁ ସମାଜର ପ୍ରତ୍ୟେକ ସ୍ତରରେ ଜାଗୃତ କରିବାର ଚେଷ୍ଟା କରାଯାଇଛି । ‘ଆମ ପୋଷାକ ଆମ ପରିଚୟ’ ଅଭିଯାନ ମାଧ୍ୟମରେ ପାରମ୍ପରିକ ହସ୍ତତନ୍ତ ବସ୍ତ୍ରର ପ୍ରଚାର, ‘ପ୍ରବେଶ ଉତ୍ସବ’ ମାଧ୍ୟମରେ ଶିଶୁମାନଙ୍କୁ ଶିକ୍ଷାରେ ସାମିଲ କରିବା ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ବ୍ୟବହାରକୁ ଜନଆନ୍ଦୋଳନର ରୂପ ଦେବା ଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
ସେହିପରି ଏହି ପକ୍ଷରେ ୧୮ହଜାରରୁ ଅଧିକ ‘ବର୍ଣ୍ଣବୋଧ’ ଓ ‘ଶିଶୁଲେଖା’ ପୁସ୍ତକ ବିତରଣ, ଏକ ଦିନରେ ରେକର୍ଡ଼ ସଂଖ୍ୟକ ୟୁନିଟ୍ ରକ୍ତ ସଂଗ୍ରହ ଏବଂ ପିପିଲିରେ ଆୟୋଜିତ ଲୋକକଳା ରୋଡ୍ ଶୋ’ ମାଧ୍ୟମରେ ଓଡ଼ିଶାର ସାଂସ୍କୃତିକ ବୈଭବକୁ ଜାଗୃତ କରାଯାଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ପଖାଳ ପରମ୍ପରାର ବିଶ୍ୱସ୍ତରୀୟ ସ୍ୱୀକୃତି ଓ ଲୋକକଳାର ପ୍ରସାର ଓଡ଼ିଆ ସଂସ୍କୃତିର ଗୌରବକୁ ବଢ଼ାଇଛି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପାଇଁ ଚଳିତ ବଜେଟ୍ରେ ୬୧୪କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଛଉ ନୃତ୍ୟର ସଂରକ୍ଷଣ ପାଇଁ ‘ଛଉ ଏକାଡେମୀ’ ପ୍ରତିଷ୍ଠା ଓ ବରପୁତ୍ରମାନଙ୍କ ଜନ୍ମପୀଠକୁ ସାଂସ୍କୃତିକ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକାଶ କରିବା ପାଇଁ ଯୋଜନା ହୋଇଥିବା ସେ ଜଣାଇଥିଲେ । ସେ ପୁଣି କହିଥିଲେ ଯେ, ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ବଢ଼ାଇବା ସହ ସମସ୍ତ ବିଦ୍ୟାଳୟରେ ଓଡ଼ିଆ ପଢ଼ାଇବାକୁ ବାଧ୍ୟତାମୂଳକ କରାଯିବ। ଭିଜନ ୨୦୩୬ ଓ ୨୦୪୭ଲକ୍ଷ୍ୟ ଅନୁସାରେ ଓଡ଼ିଶାକୁ ଏକ ବିକଶିତ ଓ ସାଂସ୍କୃତିକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ ଆହ୍ୱାନ କରିଥିଲେ।
ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀ ମୁଖ୍ୟମନ୍ତ୍ରୀ ବୁଲି ଦେଖିବା ସହିତ ବିଭିନ୍ନ ପୁସ୍ତକ ଉନ୍ମୋଚନ କରିଥିଲେ । ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ ଯେ ରାଜ୍ୟ ସଂସ୍କୃତି ବିଭାଗର ଏହି ପ୍ରୟାସ ଆମ ଓଡ଼ିଆ ଚଳଣି, ପରମ୍ପରା, ସଂସ୍କୃତି ଓ ଖାଦ୍ୟ ପ୍ରଣାଳୀକୁ ପୁଣି ଥରେ ଘରେ ଘରେ ପହଞ୍ଚାଇଛି । ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ପ୍ରଥମ ଥର ପାଇଁ ଏକ ତାତ୍ପର୍ଯ୍ୟ ପୂର୍ଣ୍ଣ ଭାବେ ଆମ ସରକାର ଆସିବା ପରେ ଏହି ସମ୍ପୂର୍ଣ୍ଣ ପକ୍ଷ ପାଳନର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ରାଜ୍ୟର ସମସ୍ତ ବର୍ଗ ସମ୍ମାନ ଓ ଆନନ୍ଦର ସହ ବଞ୍ଚିବା ପ୍ରକ୍ରିୟା ଏବେ ଆରମ୍ଭ ହୋଇଛି ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଗତ ବର୍ଷ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଓଡ଼ିଆ ପକ୍ଷ କାର୍ଯ୍ୟକ୍ରମ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟକୁ ସ୍ପର୍ଶ କରିଛି । ଓଡ଼ିଶାର ଘରେ ଘରେ ପରିଚିତି ଲାଭ କରି ରାଜ୍ୟରେ ଏକ ଗଣ ପର୍ବ ଭାବେ ବିବେଚିତ ହୋଇଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗତ ୧୪ ଦିନ ମଧ୍ୟରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ସୂଚନାଯୋଗ୍ୟ ଯେ ଓଡ଼ିଆ ରୋଷେଇର ବିଶ୍ୱସ୍ତରୀୟ ପ୍ରଚାର ପାଇଁ ସେଲିବ୍ରିଟି ଶେଫ୍ ରଣବୀର ବ୍ରାର୍ ବ୍ରାଣ୍ଡ ଆମ୍ବାସାଡର ଏବଂ ଶେଫ୍ ଅବିନାଶଙ୍କୁ ‘ଓଡ଼ିଆ କ୍ୟୁଲିନାରୀ ଚାମ୍ପିଅନ୍’ ଭାବେ ମନୋନୀତ କରାଯାଇଛି। ଏଥି ସହ ଶେଫ୍ ଅଞ୍ଜୁ ଓ ମଞ୍ଜୁଙ୍କ ସହଯୋଗରେ ଏହି ଅଭିଯାନ ଓଡ଼ିଶାର ପାରମ୍ପରିକ ରୋଷେଇର କାହାଣୀ ଓ ବିଜ୍ଞାନକୁ ସଂରକ୍ଷିତ କରିବା ସହ ଏହାକୁ ତୃଣମୂଳ ସ୍ତରରୁ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବ ବୋଲି ଆଶା ରଖା ଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆୟୁକ୍ତ ତଥା ଶାସନ ସଚିବ ରଶ୍ମିତା ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

