ୟୁଏଇର ଆଇଏଚସି ଗ୍ରୁପ୍ ସହ ୧.୧୦ ଲକ୍ଷ କୋଟିର ଏମଓୟୁ
ଭୁବନେଶ୍ୱର, (ରିପୋଟର୍ସ ପେନ୍) : ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧ ଅର୍ଥନୀତିରେ ପରିଣତ କରିବା ଏବଂ ବିଶ୍ୱସ୍ତରୀୟ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଦିଗରେ ଆଜି ରାଜ୍ୟ ଶିଳ୍ପ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ, ଓଡ଼ିଶା ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (ଆଇଏଚସି ଗ୍ରୁପ୍) ମଧ୍ୟରେ ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ପ୍ରସ୍ତାବିତ ପ୍ରକଳ୍ପରେ ପ୍ରାୟ ୧୧.୫ ବିଲିୟନ ଆମେରିକୀୟ ଡଲାର ଅର୍ଥାତ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ୨୦୩୬ ସୁଦ୍ଧା ଏକ ସମୃଦ୍ଧ, ଆଧୁନିକ ଓ ସମାବେଶୀ ଓଡିଶା ଗଠନ କରିବା ପାଇଁ ଆମର ଉଦ୍ୟମ ସଫଳତାର ସହ ଜାରି ରହିଛି ବୋଲି କହିଛନ୍ତି । ଓଡ଼ିଶାର ସମ୍ବଳ ଓ ପ୍ରତିଭା ସହ ମଧ୍ୟ-ପ୍ରାଚ୍ୟର ପୁଞ୍ଜି ଓ ପ୍ରଯୁକ୍ତି ବିଦ୍ୟାର ସମନ୍ୱୟରେ ଏକ ସମୃଦ୍ଧ ପାର୍ଟନରସିପ୍ ଗଠନ ହେବ ବୋଲି ଦୃଢ଼ ଆଶା ପ୍ରକଟ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାରେ ବକ୍ସାଇଟ୍ ଖଣି କାର୍ଯ୍ୟ, ଆଲୁମିନା ରିଫାଇନିଂ, ଆଲୁମିନିୟମ୍ ସ୍ମେଲଟିଙ୍ଗ, କ୍ୟାପ୍ଟିଭ୍ ପାୱାର୍ ପ୍ଲାଣ୍ଟ ସମେତ ଡାଉନ୍ଷ୍ଟ୍ରିମ୍ ଆଲୁମିନିୟମ୍ ଉତ୍ପାଦନ ଓ ଭିତ୍ତିଭୂମିର ବିକାଶ କରାଯିବ । ଏହି ମେଗା ପ୍ରକଳ୍ପ ଦ୍ୱାରା ନିର୍ମାଣ ପର୍ଯ୍ୟାୟରେ ପ୍ରାୟ ୩୫,୦୦୦ ଏବଂ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ପ୍ରାୟ ୧୮,୫୦୦ ଲୋକଙ୍କୁ ମିଶାଇ ସମୁଦାୟ ୫୩,୫୦୦ରୁ ଉର୍ଦ୍ଧ୍ୱ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରାଜ୍ୟର ଖଣିଜ ସମ୍ବଳରୁ ବ୍ୟାପକ ମୂଲ୍ୟ ସଂଯୋଜନ ମାଧ୍ୟମରେ ଶିଳ୍ପାୟନ ଏବଂ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ । ବିଶ୍ୱସ୍ତରରେ ବର୍ତ୍ତମାନ ‘ଗ୍ରୀନ୍ ମେଟାଲ୍ସ’ ଓ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରା ସୃଷ୍ଟି ହୋଇଛି । ଏ ଦିଗରେ ଓଡିଶା ବର୍ତ୍ତମାନ ଏକ ଅଗ୍ରଣୀ ଭୂମିକା ନେବା ପାଇଁ ଉଦ୍ୟମ ଆରମ୍ଭ କରିଛି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ‘ସମୃଦ୍ଧ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭’ର ସଂକଳ୍ପ ନେଇ ସରକାର ଆଗକୁ ବଢ଼ୁଛି । ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ୨୦୩୬ ମସିହା ସୁଦ୍ଧା ରାଜ୍ୟକୁ ଏକ ଶିଳ୍ପରେ ଅଗ୍ରଣୀ ଅଞ୍ଚଳ ଭାବେ ଗଢ଼ିତୋଳିବାକୁ ସରକାର ବଦ୍ଧପରିକର । ଓଐଉ ଗ୍ରୁପ୍ ସହିତ କେବଳ ଆଲୁମିନିୟମ୍ ପ୍ରକଳ୍ପ ନୁହେଁ, ବରଂ ଗବେଷଣା ଓ ବିକାଶ, ମେଟାଲର୍ଜି, ଡିଜିଟାଲ୍ ସିଷ୍ଟମ୍ ଏବଂ ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର ଭଳି ଉଦୀୟମାନ କ୍ଷେତ୍ରରେ ମଧ୍ୟ ସହଯୋଗ ବୃଦ୍ଧି କରାଯିବ । ପ୍ରକଳ୍ପର ସଫଳତା ପାଇଁ ଜମି, ଜଳ, ବିଦ୍ୟୁତ, ଲଜିଷ୍ଟିକ୍ସ ଏବଂ ସରକାରୀ ମଞ୍ଜୁରୀ ଭଳି ସମସ୍ତ ଆନୁଷଙ୍ଗିକ ସୁବିଧା ସରକାରଙ୍କ ପକ୍ଷରୁ ଏକ ସମନ୍ୱିତ ଏବଂ ସମୟବଦ୍ଧ ଭାବରେ ଯୋଗାଇ ଦିଆଯିବ ।
ଏହି ଅବସରରେ ‘ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ’ର ଚିଫ୍ ଷ୍ଟ୍ରାଟେଜିକ୍ ଅଫିସର୍ ପିଟର ଆବ୍ରାମ କହିଛନ୍ତି ଯେ, ଏହା ଭାରତ ଏବଂ ୟୁଏଇ ମଧ୍ୟରେ ଏକ ସୁଦୃଢ଼ ସମ୍ପର୍କର ନୂତନ ଅଧ୍ୟାୟ ସୃଷ୍ଟି କରିବ । ଏହି ଚୁକ୍ତି କେବଳ ଏକ ବ୍ୟବସାୟିକ ନିବେଶ ନୁହେଁ, ବରଂ ଓଡ଼ିଶାର ସ୍ଥାୟୀ ବିକାଶ ପାଇଁ ଏକ ଦୀର୍ଘକାଳୀନ ଭାଗିଦାରୀ । ଆସ୍ଥା, ସମାନ ଚିନ୍ତାଧାରା ଓ ମିଳିତ ଲକ୍ଷ୍ୟ ଆଧାରରେ ଗଠିତ ଏହି ସମ୍ପର୍କ ଆଗାମୀ ଦିନରେ ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି, ଆର୍ଥିକ ସେବା ଏବଂ ଗ୍ରାହକ ସେବା କ୍ଷେତ୍ରରେ ବ୍ୟାପକ ସଫଳତା ଆଣିଦେବ । ଓଡ଼ିଶା କେବଳ ଏକ ନିବେଶ ସ୍ଥଳୀ ନୁହେଁ, ବରଂ ଦୀର୍ଘକାଳୀନ ସ୍ଥାୟୀ ବିକାଶର ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ରଣନୀତିକ ସହଯୋଗୀ ।
ଏହି ଅବସରରେ ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସଇଜେଡ୍ ଲିମିଟେଡ୍ ମ୍ୟାନେଜିଂ ଡାଇରେକ୍ଟର କରନ୍ ଆଦାନୀ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପ୍ରଚୁର ଖଣିଜ ସମ୍ପଦ ଏବଂ ଶିଳ୍ପ ସମ୍ଭାବନାକୁ ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଓଡ଼ିଶାରେ ଥିବା ଦେଶର ସର୍ବବୃହତ ବକ୍ସାଇଟ୍ ଭଣ୍ଡାର ଓ ୫୦ ପ୍ରତିଶତରୁ ଅଧିକ ଲୁହାପଥର ଏହାକୁ ଭାରତର ଶିଳ୍ପ ଜଗତର ମେରୁଦଣ୍ଡ ଭାବେ ଗଢ଼ିତୋଳିଛି । ବର୍ତ୍ତମାନର ସରକାରଙ୍କ ଦୃଢ଼ ନୀତି ଯୋଗୁଁ ଓଡ଼ିଶା କେବଳ କଞ୍ଚାମାଲ ଯୋଗାଣକାରୀ ରାଜ୍ୟରୁ ରୂପାନ୍ତରିତ ହୋଇ ଏକ ଉତ୍ପାଦନ କେନ୍ଦ୍ର ପାଲଟିଛି । ଏହି ଗଙଟ ଓଡ଼ିଶାର ଜନସାଧାରଣ ଓ ସ୍ଥାନୀୟ ଅର୍ଥନୀତିକୁ ବିଶ୍ୱସ୍ତରକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।
ଏହି ସମାବେଶରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚିବ ଅନୁ ଗର୍ଗ, ୟୁଏଇ ଆଇଏଚସି ଗ୍ରୁପ୍ର ନିର୍ଦ୍ଦେଶକ ଓ ସିଇଓ ସୟଦ୍ ବସର୍ ସୁଏବ୍, ୟୁଏଇ ଇଣ୍ଟରନ୍ୟାସନାଲ୍ ରିସୋର୍ସସ୍ ହୋଲ୍ଡିଂର ସିଇଓ ଅଲି ଅଲ୍-ରସ୍ଦି, ଗ୍ରୁପ୍ର ନେତୃବୃନ୍ଦ ହେସାମ୍ ଓ ଅବ୍ଦୁଲା ଅଲ୍-ରସ୍ଦି ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଶିଳ୍ପ ଜଗତର ପ୍ରତିଷ୍ଠିତ ନେତୃବୃନ୍ଦ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଶିଳ୍ପ, ଗୃହ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଇପିକଲ ନିର୍ଦ୍ଦେଶିକା ଅବୋଲି ସୁନୀଲ ନରଭଣେ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

