Firing in bhubaneswar: ରାସ୍ତାରୁ ଉଠାଇ ନେଇ ଗୁଳିମାଡ, ଜଣେ ଗୁରୁତର

Reporterspen

Firing in bhubaneswar: ଭୁବନେଶ୍ୱର/ବାରଙ୍ଗ (ରିପୋଟର୍ସ ପେନ୍‌) : ରାଜଧାନୀ ଉପକଣ୍ଠ ଗଣ୍ଡରପୁର ନଦୀପଠାରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ ହୋଇଛି । ଗୁଳିମାଡରେ ବରିମୁଣ୍ଡର ସନ୍ତୋଷ କୁମାର ପଣ୍ଡା (୪୮) ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରେ ଜରିପାଟଣା ଛକ ନିକଟରେ ସନ୍ତୋଷ ଠିଆ ହୋଇଥିଲେ । ଏହି ସମୟରେ ଏକ ନମ୍ବର ବିହୀନ କାରରେ ୪ଜଣ ଯୁବକ ଆସି ତାଙ୍କୁ ବଳପୂର୍ବକ ଉଠାଇ ନେଇଥିଲେ । ପରେ କିଛି ଦୂର ଯିବା ପରେ ଗଣ୍ଡରପୁର ନଦୀପଠାକୁ ନେଇ ତାଙ୍କୁ ନିଧୂର୍ମ ମାଡ ମାରିବା ସହ ଗୋଡକୁ ୪ ରାଉଣ୍ଡ ଗୁଳି ମାଡ କରିଥିଲେ । ସ୍ଥାନୀୟ ଦେଖି ଦୌଡି ଆସିବାରୁ ଦୁର୍ବୃତମାନେ ଫେରାର ହୋଇଯାଇଥିଲେ । ଖବରପାଇ ନନ୍ଦନକାନନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତରୁ ଜମିଜମାକୁ ନେଇ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସନ୍ତୋଷ ଜମିବାଡି କାରବାର କରନ୍ତି । ତେବେ କଲ୍ୟାଣପୁରରେ ଥିବା ତାଙ୍କ ସମ୍ପର୍କୀୟଙ୍କ ପ୍ରାୟ ୫କୋଟି ଟଙ୍କାର ସମ୍ପତ୍ତିକୁ କେହି ଜାଲିଆତି କରି ହାତେଇ ନେଇଛନ୍ତି । ଏହା ଜଣାପଡିବା ପରେ ଏଥିରେ ସନ୍ତୋଷ ମୁଣ୍ଡ ପୁରାଇଥିଲା । ଏନେଇ କୋର୍ଟରେ ମାମଲା ମଧ୍ୟ ଦାୟର କରିଥିଲେ । ଏହାକୁ ନେଇ ବିରାଧି ଗୋଷ୍ଠୀ ତାଙ୍କୁ ଏଥିରେ ମୁଣ୍ଡ ନଖେଳାଇବକୁ ଧମକ ଦେଇଥିଲେ । ଏପରିକି ତାଙ୍କୁ କିଛି ଟଙ୍କା ନେଇ ଚୁପ ବସିବାକୁ ମଧ୍ୟ କହିଥିଲେ । ଏହି ଘଟଣାକୁ ନେଇ ଗୁଳିମାଡ କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଖୁବଶୀଘ୍ର ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି ।


Reporterspen