ମୁମ୍ବାଇ, ୧୨ ।୦୨ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ତାଙ୍କ ଅବସର ଚର୍ଚ୍ଚାକୁ ଅମୂଳକ ଆଖ୍ୟା ଦେଇଛନ୍ତି । ସଂପ୍ରତି ଅବସର କଥା ଆଦୌ ଚିନ୍ତା କରୁନାହାନ୍ତି ବୋଲି ‘ହିଟ୍ ମ୍ୟାନ୍’ ସ୍ପଷ୍ଟ କରି ଦେଇଛନ୍ତି । ସେହିଭଳି ୨୦୨୭ ମସିହାର ଏକଦିବସୀୟ କ୍ରିକେଟ୍ ବିଶ୍ୱକପ୍ ଜିତିବା ଏବେ ତାଙ୍କ ଖେଳ ଜୀବନର ସବୁଠୁ ବଡ ଲକ୍ଷ୍ୟ ବୋଲି କହିଛନ୍ତି । ରୋହିତଙ୍କ ଏଭଳି ସ୍ପଷ୍ଟୋକ୍ତି ତାଙ୍କ ପ୍ରଶଂସକଙ୍କୁ ଆଶ୍ୱସ୍ତ କରିଛି । ଘରୋଇ ପରିବଶେରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାର ତିନିଟି ପାଳିରୁ ରୋହିତ ମାତ୍ର ୬୧ ରନ୍ କରିବା ପରେ ତାଙ୍କ ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ଏପରିକି ଖୁବ୍ଶୀଘ୍ର ସେ ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ ଭଳି ଦିନିକିଆରୁ ମଧ୍ୟ ଅବସର ନେଇଯିବେ ବୋଲି ମଧ୍ୟ ଗୁଜବ ସୃଷ୍ଟି ହୋଇଥିଲା ।
ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ଏକ ଭିିଡିଓରେ ୫୦ ଓଭରିଆ ବିଶ୍ୱକପ୍ ସହ ତାଙ୍କର ଥିବା ଆବଗଭରା ସଂପର୍କ ବିଷୟରେ ଖୋଲାଖୋଲା ମନ୍ତବ୍ୟ ରଖିଛନ୍ତି ସେ । ସେହିଭଳି ଭାରତ ପାଇଁ ୨୦୨୭ ବିଶ୍ୱକପ୍ ଟ୍ରଫି ଉତ୍ତୋଳନ କରିବାକୁ ସେ କେତେ ବ୍ୟଗ୍ର ତା’ର ଝଲକ ଦେଖାଇଛନ୍ତି । ଏହି ଚର୍ଚ୍ଚିତ ଭିଡିଓରେ ରୋହିତ କହିଛନ୍ତି, ମୁଁ ବିଶ୍ୱକପ୍ ଖେଳିବା ସହ ଦେଶ ପାଇଁ ଏହାକୁ ଜିତିବା ଲାଗି ନିଶ୍ଚିତ ଚାହିବି । ଏହି ସ୍ୱପ୍ନ ମୁଁ ବରାବର ଦେଖି ଆସୁଛି । ୫୦ ଓଭରିଆ ବିଶ୍ୱକପ୍ ଦେଖିଦେଖି ବଡ ହୋଇଛି । ସେତେବେଳେ ଟ୍ବେଣ୍ଟି-୨୦ ବିଶ୍ୱକପ୍ କି ଆଇପିଏଲ୍ ନଥିଲା । ସେଥିପାଇଁ ପ୍ରତି ୪ବର୍ଷରେ ଥରେ ହେଉଥିବା ବିଶ୍ୱକପ୍ କ୍ରିକେଟ୍ର ସର୍ବଶ୍ରେଷ୍ଠ ପ୍ରତିଯୋଗିତା ବୋଲାଉଥିଲା । ସେଥିପାଇଁ ମନରେ ବ୍ୟାକୁଳତା ବଢି ଚାଲିଛି । ୨୦୨୭ ବିଶ୍ୱକପ୍ ଜିତିବାକୁ ସବୁକିିଛି କରିବି । କଠିନ ପରିଶ୍ରମ ବି ଆରମ୍ଭ କରି ଦେଇଛି ।
ଅସମ୍ପୁର୍ଣ୍ଣ କାର୍ଯ୍ୟକୁ ପୂର୍ଣ୍ଣ କରିବା ଲକ୍ଷ୍ୟ
ତିନି ବର୍ଷ ତଳେ ଅର୍ଥାତ୍ ୨୦୨୩ ମସିହା ବିଶ୍ୱକପ୍ରେ ରୋହିତ ନିଜ ବଳିଷ୍ଠ ନେତୃତ୍ୱରେ ଭାରତକୁ ଫାଇନାଲ୍କୁ ନେଇଥିଲେ । ହେଲେ ସେଠାରେ ଅଷ୍ଟ୍ରେଲିଆ ଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ ଏଣୁ ୨୦୨୭ରେ ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ବିଶ୍ୱକପ୍ର ପରବର୍ତ୍ତୀ ସଂସ୍କରଣରେ ସେହି ଅସମ୍ପୂର୍ଣ୍ଣ କାମକୁ ସେ ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହା ମଧ୍ୟ ତାଙ୍କ କ୍ୟାରିୟରର ଶେଷ ବିଶ୍ୱକପ୍ ହେବ ବୋଲି ସେ ସଙ୍କେତ ଦେଇଛନ୍ତି । ୨୦୨୭ ବିଶ୍ୱକପ୍ ପାଖାପଖା ଗୋଟିଏ ବର୍ଷ ବାକି ରହିଛି । ଏଣୁ ରୋହିତଙ୍କୁ ତା’ ପୂର୍ବରୁ ନିଜ ଫର୍ମ ଓ ଫିଟ୍ନେସ୍କୁ ଠିକ୍ ରଖିବାକୁ ହେବ । ଦକ୍ଷିଣ ଆଫ୍ରିକା ଯାଇ ବିଶ୍ୱକପ୍ ଲଢେଇ କରିବା ପୂର୍ବରୁ ଚଳିତବର୍ଷ ଜୁଲାଇରେ ହେବାକୁ ଥିବା ଇଂଲଣ୍ଡ ଗସ୍ତରେ ନିଜ ପୁରୁଣା ଯାଦୁ ଦେଖାଇବାକୁ ପଡିବ ।
ସୂଚନାଯୋଗ୍ୟ ଯେ ୨୦୨୭ ଏକଦିବସୀୟ ବିଶ୍ୱକପ୍କୁ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବ୍ୟା ମିଳିତ ଭାବେ ଆୟୋଜନ କରିବେ । ୨୩ ବର୍ଷ ତଳେ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେରେ ଖେଳାଯାଇଥିବା ୨୦୦୩ ବିଶ୍ୱକପ୍ରେ ଭାରତୀୟ କ୍ରିକେଟ୍ ଦଳ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଫାଇନାଲ୍ରେ ପ୍ରବେଶ କରିଥିଲା । ସେଠାରେ ମଧ୍ୟ ଅଷ୍ଟ୍ରେଲିଆଠାରୁ ହାରି ପବିଜେତାରେ ସନ୍ତୁଷ୍ଟ ରହିଥିଲା ।

