କଥା କଥାରେ ରାଗିଯାଉଛି ଆପଣଙ୍କ ଟିନ୍‌ଏଜ୍ ପିଲା? ଏହି ସହଜ ଟିପ୍ସରେ ସୁଧାରନ୍ତୁ କଥାବାର୍ତ୍ତାର ଶୈଳୀ

Reporterspen

ଲାଇଫ୍‌ଷ୍ଟାଇଲ୍ : ଟିନ୍‌ଏଜ୍ ସମୟରେ ପିଲାମାନଙ୍କ ଶରୀରରେ ଅନେକ ଶାରୀରିକ, ମାନସିକ ଓ ଭାବନାତ୍ମକ ପରିବର୍ତ୍ତନ ହୋଇଥାଏ। ଏହି ବୟସରେ ଘଟୁଥିବା ପରିବର୍ତ୍ତନ ପିଲାମାନଙ୍କ ପାଇଁ ଅନେକ ସମୟରେ ଦ୍ୱନ୍ଦ୍ୱମୟ ହୋଇଥାଏ। ତେଣୁ ଅନେକ ଅଭିଭାବକଙ୍କ ଅଭିଯୋଗ ଥାଏ ଯେ, ତାଙ୍କ ପିଲା ଚିଡ଼ିଚିଡ଼ା ହୋଇଯାଇଛି, କଥା ଶୁଣୁନାହିଁ କିମ୍ବା ପୂର୍ବପରି କଥାବାର୍ତ୍ତା କରୁନାହିଁ।

ଅନ୍ୟପକ୍ଷରେ, ଟିନ୍‌ଏଜର୍ ପିଲାମାନଙ୍କୁ ଲାଗେ ଯେ ତାଙ୍କ ଅଭିଭାବକ ସେମାନଙ୍କୁ ବୁଝୁନାହାନ୍ତି। ଏହି କାରଣରୁ ସେମାନେ ପେରେଣ୍ଟ୍‌ସଙ୍କଠାରୁ ଦୂରେଇବା ଆରମ୍ଭ କରନ୍ତି। ଯଦି ଆପଣଙ୍କ ଟିନ୍‌ଏଜ୍ ପିଲା ସହ କଥାବାର୍ତ୍ତାରେ ସମସ୍ୟା ହେଉଛି, ତେବେ ନିରାଶ ହେବା ଦରକାର ନାହିଁ। କିଛି ଛୋଟ ଛୋଟ ପରିବର୍ତ୍ତନ କରି ଆପଣ କମ୍ୟୁନିକେସନ୍ ଗ୍ୟାପ୍ କମାଇବା ସହ ସମ୍ପର୍କକୁ ମଜବୁତ କରିପାରିବେ।

ଲେକ୍ଚର ଦେବା ବଦଳରେ ଶୁଣିବା ଶିଖନ୍ତୁ

କଥାବାର୍ତ୍ତାର ଅର୍ଥ କେବଳ ନିଜ କଥା କହିବା ନୁହେଁ। ସାମ୍ନାରେ ଥିବା ବ୍ୟକ୍ତିଙ୍କ କଥା ଶୁଣିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଟିନ୍‌ଏଜର୍ ପିଲାମାନଙ୍କର ସବୁଠାରୁ ବଡ଼ ଅଭିଯୋଗ ହେଉଛି, ଅଭିଭାବକମାନେ ତାଙ୍କ କଥା ଶୁଣନ୍ତି ନାହିଁ କିମ୍ବା କଥା ଶେଷ ହେବା ପୂର୍ବରୁ ଗାଳି ଦେବା ଆରମ୍ଭ କରିଦିଅନ୍ତି।

ତେଣୁ ପିଲା କଥା କହିବା ସମୟରେ ତାଙ୍କୁ ମଝିରେ ଅଟକାନ୍ତୁ ନାହିଁ। ତାଙ୍କ କଥା ପୂରା ଶୁଣନ୍ତୁ ଏବଂ ସେ କାହିଁକି ଏଭଳି କହୁଛି, ତାହା ବୁଝିବାକୁ ଚେଷ୍ଟା କରନ୍ତୁ। ଆପଣ ତାଙ୍କ କଥା ଶୁଣୁଛନ୍ତି ଓ ବୁଝିବାକୁ ଚେଷ୍ଟା କରୁଛନ୍ତି—ଏହା ପିଲାକୁ ଅନୁଭବ କରାନ୍ତୁ।

ପିଲାଙ୍କ ପ୍ରାଇଭେସି ଓ ପର୍ସନାଲ୍ ସ୍ପେସ୍‌କୁ ସମ୍ମାନ କରନ୍ତୁ

ଟିନ୍‌ଏଜ୍ ବୟସରେ ପ୍ରତ୍ୟେକ ପିଲା ନିଜେ ସ୍ୱାଧୀନ ହେବାକୁ ଚାହେଁ। ସେମାନେ ନିଜ ନିଷ୍ପତ୍ତି ନିଜେ ନେବାକୁ ଚାହାନ୍ତି ଏବଂ ନିଜ ପାଇଁ ପର୍ସନାଲ୍ ସ୍ପେସ୍ ଆଶା କରନ୍ତି।

ତେବେ ଅଭିଭାବକମାନେ ପ୍ରାୟତଃ ଚିନ୍ତିତ ରହନ୍ତି ଯେ, ଏହି କମ୍ ବୟସରେ ପିଲା କୌଣସି ଭୁଲ୍ ରାସ୍ତାରେ ଯାଇନପାରେ। ଏହି ଚିନ୍ତାରେ ସେମାନେ ପିଲାଙ୍କ ପ୍ରାଇଭେସିକୁ ଅବହେଳା କରିଦିଅନ୍ତି। ଫଳରେ ପିଲାମାନେ ଅଭିଭାବକଙ୍କଠାରୁ ଦୂରେଇବାକୁ ଲାଗନ୍ତି।

ତେଣୁ ପିଲାଙ୍କ ଫୋନ୍ ବାରମ୍ବାର ଚେକ୍ କରନ୍ତୁ ନାହିଁ, ପ୍ରତ୍ୟେକ କଥାରେ ସନ୍ଦେହ କରନ୍ତୁ ନାହିଁ ଏବଂ ତାଙ୍କ ରୁମ୍‌କୁ ଯିବା ପୂର୍ବରୁ ଦ୍ୱାର ଠକ୍‌ଠକ୍ କରନ୍ତୁ। ଏହି ଛୋଟ ଛୋଟ ଅଭ୍ୟାସ ପିଲାଙ୍କ ବିଶ୍ୱାସ ଜିତିବାରେ ସାହାଯ୍ୟ କରେ।

ଫ୍ରେଣ୍ଡଲି ହୁଅନ୍ତୁ, କିନ୍ତୁ ଫ୍ରେଣ୍ଡ ନୁହେଁ

ଅଭିଭାବକ ଓ ପିଲାଙ୍କ ମଧ୍ୟରେ ଏକ ଫ୍ରେଣ୍ଡଲି ପରିବେଶ ରହିବା ଜରୁରୀ। ତେବେ ଆପଣଙ୍କୁ ପିଲାଙ୍କ ବନ୍ଧୁ ହେବା ଦରକାର ନାହିଁ। ପିଲାଙ୍କର ନିଜସ୍ୱ ବନ୍ଧୁ ଥାଆନ୍ତି, କିନ୍ତୁ ଆପଣ ତାଙ୍କ ଅଭିଭାବକ ଭୂମିକାରେ ରହିବା ଦରକାର।

ପିଲାଙ୍କୁ ଏହି ବିଶ୍ୱାସ ଦିଅନ୍ତୁ ଯେ, କୌଣସି ସମସ୍ୟା ଆସିଲେ ଆପଣ ସବୁବେଳେ ତାଙ୍କ ସହ ରହିବେ ଏବଂ ସହଯୋଗ କରିବେ। ଏହାଦ୍ୱାରା ପିଲା ଆପଣଙ୍କଠାରୁ ଗାଇଡେନ୍ସ ନେବାକୁ ହେଜିବ ନାହିଁ।

କଥାବାର୍ତ୍ତା ପାଇଁ ଠିକ୍ ସମୟ ବାଛନ୍ତୁ

ପିଲା ଯଦି ଥକିଯାଇଛି କିମ୍ବା ପୂର୍ବରୁ କୌଣସି କାରଣରୁ ଚିନ୍ତିତ ଅଛି, ତେବେ ସେହି ସମୟରେ ଗୁରୁତର ବିଷୟ ନେଇ କଥା ହୁଅନ୍ତୁ ନାହିଁ। ଏହାଦ୍ୱାରା ପିଲା ଆହୁରି ଚିଡ଼ିଚିଡ଼ା ହୋଇପାରେ।

ପିଲାର ମନ ଭଲ ଥିବା ସମୟରେ କଥା ହୁଅନ୍ତୁ। କଥାବାର୍ତ୍ତାର ଶୈଳୀକୁ ମଧ୍ୟ ସହଜ ଓ ହାଲୁକା ରଖନ୍ତୁ, ଯାହାଦ୍ୱାରା ପିଲାକୁ ଲାଗିବ ନାହିଁ ଯେ ଆପଣ ତାଙ୍କୁ ଚାପ ଦେଉଛନ୍ତି କିମ୍ବା ବିଚାର କରୁଛନ୍ତି।

କ’ଣ କରିବେ ଓ କ’ଣ କରିବେ ନାହିଁ?

  • ପିଲାଙ୍କ ଚେଷ୍ଟାକୁ ପ୍ରଶଂସା କରନ୍ତୁ, ଅନ୍ୟ ପିଲାଙ୍କ ସହ ତୁଳନା କରନ୍ତୁ ନାହିଁ।
  • ତାଙ୍କ ବନ୍ଧୁ କିମ୍ବା ପୋଷାକକୁ ନେଇ ମଜାକ କରନ୍ତୁ ନାହିଁ।
  • ରାଗ ଆସିଲେ ପ୍ରଥମେ ନିଜକୁ ଶାନ୍ତ କରନ୍ତୁ, ପରେ କଥା ହୁଅନ୍ତୁ।
  • ଚିତ୍କାର କରି କିମ୍ବା ରାଗ ଦେଖାଇ ନିଜ କଥା ମନାଇବାକୁ ଚେଷ୍ଟା କରନ୍ତୁ ନାହିଁ।

ଅଭିଭାବକଙ୍କ ଧୈର୍ଯ୍ୟ, ବୁଝିବାର ମନୋଭାବ ଓ ସଠିକ୍ କଥାବାର୍ତ୍ତା ଟିନ୍‌ଏଜ୍ ପିଲାଙ୍କ ସହ ସମ୍ପର୍କକୁ ଅଧିକ ମଜବୁତ କରିପାରେ।


Reporterspen