ଭୁବନେଶ୍ୱର, (ରିପୋର୍ଟର୍ସପେନ୍): ଦୁର୍ଘଟଣା ହ୍ରାସ ଲାଗି ସାରା ରାଜ୍ୟରେ ଏବେ ଗାଡିମୋଟର ଚେକିଂକୁ କଡାକଡି କରାଯାଉଛି । ପ୍ରାୟ ପ୍ରତ୍ୟେକ ଦିନ ହଜାର ହଜାର ଗାଡି ଚାଳକଙ୍କ ବିରୋଧରେ ଚାଲଣ କଟା ଯାଉଛି । ଯାହା ଅମାନିଆଙ୍କୁ ବାଟକୁ ଆଣିବା ଲାଗି ପ୍ରଶାସନର ଏକ ଭଲ ପଦକ୍ଷେପ ବୋଲି କୁହାଯାଉଛି । ମାତ୍ର ଏବେ ଅଧିକାଂଶ ଗାଡିରେ ବେଆଇନ ଭାବେ ‘ହାଇବିମ୍ ଏଲ୍ଇଡି ହେଡ ଲାଇଟ’ ଲଗାଯାଉଛି । ଯାହା ଦୁର୍ଘଟଣାର ଏକ ପ୍ରମୁଖ କାରଣ ପାଲଟିଛି । ପ୍ରଶାସନ ଏହା ଉପରେ କେତେ ତର୍ଜମା କରିଛି କି?
ଗତ ସେପ୍ଟେମ୍ବର ୧ ତାରିଖରୁ ପରିବହନ ବିଭାଗ ପକ୍ଷରୁ ଶୂନ ମୃତ୍ୟୁ ସପ୍ତାହ ଆରମ୍ଭ ହୋଇଛି । ଏହି ସମୟରେ ବିଭିନ୍ନ ଆରଟିଓ ସମେତ ଟ୍ରାଫିକ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡି-ମୋଟର ଚେକିଂ କରାଯାଉଛି । ବିନା ହେଲ୍ମେଟ, ବିନା ବୀମା, ଓଭର ରାଇଡିଂ କିମ୍ବା ରଙ୍ଗ୍ ସାଇଡ୍ ଡ୍ରାଇଭିଂ ଓ କଳାକାଚ ଭଳି ନିୟମ ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ପକ୍ଷରୁ ଗାଡ଼ିଗୁଡିକ ଯାଞ୍ଚ କରାଯାଇ ଇ-ଚାଲାଣ ମଧ୍ୟ କଟାଯାଉଛି ।
ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ପୋଲିସ ପକ୍ଷରୁ ହର୍ଣ୍ଣ, ସାଇଲେନସର, କଳାକାଚ ଓ ନମ୍ବର ପ୍ଲେଟ ଟ୍ୟାମ୍ପରିଂକୁ ପ୍ରାଧନ୍ୟ ଦିଆଯାଉଛି । ଏଥିସହିତ ଅନ୍ୟାନ୍ୟ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ଗାଡିକୁ ମଧ୍ୟ ଜବତ କରାଯାଉଛି । ହେଲେ ଅଦ୍ୟାବଧି ପୋଲିସ ନା ପରିବହନ ବିଭାଗ କେହି ବେଆଇନ ଭାବେ ବ୍ୟବହାର ହେଉଥିବା ହାଇବିମ୍ ଏଲଇଡି ହେଡଲାଇଟ ଉପରେ ନଜର ପକାଉନାହାନ୍ତି ।
ପ୍ରତ୍ୟେକ ଗାଡି ପାଇଁ କମ୍ପାନୀ ପକ୍ଷରୁ ଭିନ୍ନ ପ୍ରକାର ହେଲ ଲାଇଟର ବ୍ୟବସ୍ଥା ରହିଛି । ମାତ୍ର ଅଧିକାଂଶ ଗାଡି ଚାଳକ ବେଆଇନ ଭାବେ ଖୋଲା ମାର୍କେଟରୁ ହାଇବିମ ହେଡଲାଇଟ ଲଗାଉଛନ୍ତି । ଫଳରେ ଗାଡିର ଲାଇଟ ଏତେ ପ୍ରଖର ହେଉଛି, ବିପରୀତ ଦିଗରୁ ଆସୁଥିବା ଗାଡି ଚାଳକ ଏକ ପ୍ରକାର ଅନ୍ଧ ହୋଇଯାଉଛି । ତାକୁ କିଛି ଦେଖାଯାଉନାହିଁ, ଫଳସ୍ୱରୂପ ଦୁର୍ଘଟଣା ଘଟୁଛି । କିଏ ଡିଭାଇଡରରେ ପିଟି ହେଉଛି ତ କିଏ ନାଳ-ନର୍ଦ୍ଦମାରେ ପଡୁଛି । ରାତିରେ ଗାଡି ଚଳାଇବା ବେଳେ କେଉଁଠି ହାଇବିମ୍ ଓ କେଉଁଠି ଲୋ-ବିମ୍ ହେଡଲାଇଟ ବ୍ୟବହାର କରିବାର ଏକ ନିୟମ ରହିଛି । ମାତ୍ର ଏହି ନିୟମକୁ ଅଧିକାଂଶ ଗାଡି ଚାଳକ ମାନୁନାହାନ୍ତି ।
ଜଣେ ବିଶେଷଜ୍ଞ କହିଛନ୍ତି, ଗାଡିର ହେଡଲାଇଟର ତିବ୍ରତା ମାପିବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଏକ ନିୟମ ରହିଛି । ହେଲେ ଏହି ନିୟମକୁ ବୋଧହୁଏ କେହି ଜାଣିପାରୁନାହାନ୍ତି । ଲକ୍ସ ମିଟର ସାହାର୍ଯ୍ୟରେ ଗାଡି ଲାଇଟର ତିବ୍ରତାକୁ ମପାଯାଇପାରିବ । ଲକ୍ସ ମିଟର ହେଉଛି ଏକ ହ୍ୟାଣ୍ଡହେଲ୍ଡ ଡିଭାଇସ୍ ଯାହା ପୃଷ୍ଠରେ ପଡୁଥିବା ଆଲୋକର ତୀବ୍ରତା ମାପିବା ପାଇଁ ବ୍ୟବହୃତ ହୁଏ, ଯାହାକୁ ଲକ୍ସରେ ପ୍ରକାଶ କରାଯାଏ । ଯାନବାହାନର ହେଡଲାଇଟ୍ ପରିପ୍ରେକ୍ଷୀରେ, ଏହା ଏକ ନିର୍ଦ୍ଦିଷ୍ଟ ଦୂରତା ଏବଂ କୋଣରେ ଏକ ହେଡଲାଇଟ୍ କେତେ ଉଜ୍ଜ୍ୱଳ ତାହା ନିରପେକ୍ଷ ଭାବରେ ମୂଲ୍ୟାଙ୍କନ କରିପାରିବ, ଯାହା କର୍ତ୍ତୃପକ୍ଷଙ୍କୁ ଆଲୋକ ଅନୁମତିଯୋଗ୍ୟ ସୀମା ମଧ୍ୟରେ ଅଛି କି ନାହିଁ କିମ୍ବା ଆସୁଥିବା ଟ୍ରାଫିକ୍ ପାଇଁ ବିପଦ ସୃଷ୍ଟି କରୁଛି ତାହା ନିର୍ଣ୍ଣୟ କରିବାରେ ସାହାଯ୍ୟ କରେ ।
ତେଣୁ ପରିବହନ ବିଭାଗ ଓ ପୋଲିସ ଗାଡି ମୋଟର ସହ ରାତିରେ ହେଡଲାଇଟ ଚେକିଂ କରିପାରିଲେ, ହୁଏତ ଦୁର୍ଘଟଣାର ମାତ୍ରା ଆହୁରି କମିଯିବ ବୋଲି ଆଶା କରାଯାଉଛି । ଏଦିଗରେ ପରିବହନ ବିଭାଗ ଓ ଟ୍ରାଫିକ ପୋଲିସ ତର୍ଜମା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବୁଦ୍ଧିଜୀବୀମାନେ ଆଶାବ୍ୟକ୍ତ କରିଛନ୍ତି ।

