ଗଭୀର ସମୁଦ୍ରକୁ ଯିବାକୁ ମସ୍ୟଜୀବୀ ବାରଣ
ଭୁବନେଶ୍ୱର, (ରିପୋଟର୍ସ ପେନ୍) : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି । ଆଗାମୀ ୨-୩ ଦିନ ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ଭାରତୀୟ ପାଣିପାଗ ସଂସ୍ଥାନ (ଆଇଏମଡ଼ି) ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି । ଏହା ପ୍ରଭାବରେ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି । ଏବେ ଲଘୁଚାପ ସହ ଦକ୍ଷିଣ ବାଂଲାଦେଶ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିବଳୟ ପରିସରରୁ ଉତ୍ତର-ପୂର୍ବ ଆରବ ସାଗର ପର୍ଯ୍ୟନ୍ତ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ, ଓଡ଼ିଶା, ଛତିଶଗଡ଼, ଉତ୍ତର ମହାରାଷ୍ଟ୍ର ଓ ଗୁଜୁରାଟ ଦେଇ ସମୁଦ୍ର ପତ୍ତନଠାରୁ ୪. ୫ରୁ ୭. ୬ କିମି ଉପରେ ଏକ ଟ୍ରପ୍ ମଧ୍ୟ ପ୍ରବାହିତ ହୋଇଛି । ଯାହା ଦ୍ୱାରା ବର୍ଷାର ବିସ୍ତୃତି ବୃଦ୍ଧି ପାଇଥିବା ଆଇଏମଡ଼ି କହିଛି ।
ସେପଟେ ଉପରୋକ୍ତ ପାଣିପାଗ ପ୍ରଭାବରେ ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ଓଡ଼ିଶା ଉପକୂଳ ଓ ଏହାର ଆଖପାଖ ଅଞ୍ଚଳରେ ଘଣ୍ଟାପ୍ରତି ୪୦-୫୦ କିମି ବେଗରେ ଝଡ଼ପବନ ରହିବ । ଏହି ସମୟରେ ସମୁଦ୍ରକୁ ମାଛମାରିବାକୁ ନଯିବା ପାଇଁ ପାଣିପାଗ କେନ୍ଦ୍ର ମତ୍ସ୍ୟାଜୀବୀଙ୍କୁ ବାରଣ କରିଛି । ଅନ୍ୟପଟେ ଶୁକ୍ରବାର କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ବାଲେଶ୍ୱର, କେନ୍ଦୁଝର, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ରହିଛି । ଏହି ଜିଲ୍ଲାର ସ୍ଥାନେ ସ୍ଥାନେ ୪ରୁ ୨୦ ସେଣ୍ଟିମିଟର ଯାଏଁ ବର୍ଷା ରେକର୍ଡ ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି ।
ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଫଳରେ ୪ ତାରିଖରୁ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଶନିବାର ଦିନ ଗଜପତି, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ର୍ନିେଶକ ମନୋରମା ମହାନ୍ତି କହିଛନ୍ତି ।
ସେପଟେ ବୁଧବାର ରାତିରୁ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ସହରାଞ୍ଚଳରେ ଅସ୍ଥାୟୀ ଜଳବନ୍ଦୀ ସ୍ଥିତି ସହ ଟ୍ରାଫିକ ଜାମ ନଜରକୁ ଆସିଛି । ଗ୍ରାମାଞ୍ଚଳରେ ଚାଷୀ ଲଗାଣ ବର୍ଷା ଦେଖି ଖୁସିବ୍ୟକ୍ତ କରିଛନ୍ତି । ଲଘୁଚାପ ବର୍ଷା ଜୁନର ନିଅଣ୍ଟିଆ ସ୍ଥିତି ଭରଣ କରିବା ସହ ଚାଷ କାର୍ଯ୍ୟରେ ସହାୟକ ହେବ ବୋଲି ଚାଷୀକୁକ ଆଶାବାଦୀ ରହିଛି ।

