ନୂଆଦିଲ୍ଲୀ,୨୫ ।୪: ନୂଆଦିଲ୍ଳୀର ଅରୁଣ ଜେଟଲି ଷ୍ଟାଡିୟମ୍ରେ ଶନିବାର ଦିଲ୍ଳୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଚାଲିଥିଲା । ଠିକ୍ ଏହି ସମୟରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି । ଦିଲ୍ଳୀ କ୍ୟାପିଟାଲ୍ସର ଦ୍ରୁତ ବୋଲର ଲୁଙ୍ଗି ଏନଗିଡିଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି । ପଞ୍ଜାବ କିଙ୍ଗସ୍ ଇନିଂସ ଆରମ୍ଭ ସମୟରେ ଏହି ଘଟଣା ଘଟିଥିଲା । ଯେତେବେଳେ ଏନଗିଡି ଏକ କ୍ୟାଚ୍ ନେବାର ଚେଷ୍ଟା କରିବା ସମୟରେ ତଳେ ତଳେ ପଡ଼ିଯାଇଥିଲେ । ମୁଣ୍ଡରେ ଲାଗିଥିଲା ଗୁରୁତର ଆଘାତ । ଏହି କାରଣରୁ ସେ ପଡିଆରେ ପଡି ରହିଥିଲେ ।
ଏହାପରେ ତୁରନ୍ତ ଦୁଇ ଟିମ୍ର ଖେଳାଳି ମେଡିକାଲ ସହାୟତା ପାଇଁ ଇଶାରା କରିଥିଲେ । ଷ୍ଟାଡିୟମରେ ଉପସ୍ଥିତ ହଜାର ହଜାର ଦର୍ଶକଙ୍କ ଭିତରେ ହଠାତ ନୀରବତା ଖେଳି ଯାଇଥିଲା । ଏହାପରେ ଫିଲ୍ଡକୁ ଫିଜିଓଥେରାପିଷ୍ଟ ଆସିବା ପରେ ତୁରନ୍ତ ଆମ୍ବୁଲାନ୍ସ ଡକାଇ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ତାଙ୍କ ମୁଣ୍ଡରେ କେତେ ଗଭୀର ଆଘାତ ଲାଗିଛି ତାହା ସ୍ପଷ୍ଟ ହୋଇପାରିନି । ମ୍ୟାଚକୁ କିଛି ସମୟ ପାଇଁ ରୋକିବାକୁ ପଡିଥିଲା । ଯେଉଁ ମ୍ୟାଚ୍ ସ୍ୱାଭାବିକ ଉତ୍ସାହ ସହିତ ଆଗକୁ ବଢୁଥିଲା, ତାହା କ୍ଷଣକରେ ଚିନ୍ତାର କାରଣ ପାଲଟିଗଲା ।
ତେବେ ଆଶ୍ୱସ୍ତିର କଥା ଏନଗିଡି ଆଘାତ ପରେ ବି ମେଡିକାଲ ଷ୍ଟାଫଙ୍କ ସହ କଥା ହେଉଥିଲେ । ଏହାର ଅର୍ଥ ସେ ହୋସ୍ରେ ଥିଲେ । ଏନଗିଡି ବାହାରକୁ ଯିବା ପରେ ଦିଲ୍ଳୀ କ୍ୟାପିଟାଲ୍ସକୁ ନିୟମ ଅନୁସାରେ, କନସିଏସନ୍ ସବଷ୍ଟିଚ୍ୟଟ୍ ଅନୁମତି ମିଳିଥିଲା । ଅର୍ଥାତ ତାଙ୍କ ସ୍ଥାନରେ ଶ୍ରୀଲଙ୍କାର ବୋଲର ଦୁଶମନ୍ଥାର ଚମିର ମୈଦାନକୁ ଆସିଥିଲେ । ଚମିରା ପୂର୍ବରୁ ଟିମ୍ରେ ଥିଲେ ଦ୍ରୁତ ବୋଲର ଭାବରେ ଖେଳୁଥିଲେ ।
ଆଇପିଏଲ୍ ନିୟମ ଅନୁସାରେ, ଯଦି କୌଣସି ଖେଳାଳିଙ୍କ ମ୍ୟାଚ୍ ବେଳେ ମୁଣ୍ଡରେ କିମ୍ବା ବେକରେ ଆଘାତ ଲାଗେ ଓ କନସିଏସନ୍ ହେବାର ଆଶଙ୍କା ଥାଏ, ତେବେ ଟିମ୍କୁ କନସିଏସନ୍ ରିପ୍ଲେସମେଣ୍ଟ ଅନୁମତି ଦିଆଯାଇଥାଏ । ଏଭଳି ସ୍ଥିତିରେ ଦିଲ୍ଲୀ କ୍ୟାପିଟାଲ୍ସର ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ନିୟମ ଅନୁରୂପ ରହିଛି ।

