ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟ୍‌ରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍‌ସ

Reporterspen

କେଏଲ୍ ରାହୁଲଙ୍କ ଧମାକାଦାର ଶତକ ଓ ନିତିଶ ରାଣାଙ୍କ ଅର୍ଦ୍ଧଶତକ ବେକାର
ନୂଆଦିଲ୍ଲୀ, ୨୫ ।୦୪: ଆଇପିଏଲ ୨୦୨୬ର ୩୫ତମ ମ୍ୟାଚରେ ରନ୍ ବର୍ଷା ହୋଇଛି । ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍‌ସ ଆଇପିଏଲ ଇତିହାସର ସବୁଠାରୁ ବଡ ସ୍କୋରକୁ ପିଛା କରି ମ୍ୟାଚ ଜିତିଛି । ଆୟୋଜକ ଦିଲ୍ଲୀ କ୍ୟାପିଟାଲ୍ସକୁ ପଞ୍ଜାବ କିଙ୍ଗ୍‌ସ ୬ ୱିକେଟ୍‌ରେ ପରାସ୍ତ କରିଛି । ପଞ୍ଜାବ ୧୮.୫ ଓଭରରେ ୪ଟି ୱିକେଟ ହରାଇ ୨୬୫ ରନ୍ କରିଛି । ଏହି ବିଜୟ ସହିତ ପଏଣ୍ଟ ଟେବୁଲରେ ପଞ୍ଜାବ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛି । ଚଳିତ ଆଇପଏଲ୍ ଟୁର୍ଣ୍ଣାମେଣ୍ଟରେ ପଞ୍ଜାବ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍ ଖେଳିଛି ଏବଂ ଏଥିରୁ ୬ଟିରେ ବିଜୟ ହାସଲ କରିଛି । କୋଲକାତା ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା ।

୨୬୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଞ୍ଜାବ ବ୍ୟାଟିଂ କରିଥିଲା । ଦଳର ପ୍ରାରମ୍ଭିକ ବ୍ୟାଟିଂ କ୍ରିକେଟ୍‌ପ୍ରେମୀଙ୍କୁ ଉତ୍ସାହିତ କରିଥିଲା । ଏକଦା ଦଳ ୩୦୦ରୁ ଊର୍ଦ୍ଧ୍ୱ ଷ୍ଟ୍ରାଇକ୍ ରେଟ୍‌ରେ ରନ୍ ସଂଗ୍ରହ କରିଥିଲା । ପ୍ରାରମ୍ଭିକ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟ ଏବଂ ପ୍ରଭସିମରନ ସିଂହ ପ୍ରଥମ ୱିକେଟ୍ ପାଇଁ ୧୨୬ ରନ୍‌ର ଭାଗିଦାରୀ କରିଥିଲେ । ପଞ୍ଜାବକୁ ୬.୫ ଓଭରରେ ପ୍ରଥମ ଝଟକା ଲାଗିଥିଲା । ଆଉଟ୍ ହେବା ପୂର୍ବରୁ ପ୍ରିୟାଂଶ ଏକାକୀ ୪୩ ରନ୍ ସଂଗ୍ରହ କରିଥିଲେ । ସେ ୧୭ଟି ବଲ୍ ଖେଳି ୨ଟି ଚୌକା ଏବଂ ୫ଟି ଛକା ମାରିଥିଲେ ।

ଦିଲ୍ଲୀର ଦ୍ୱିତୀୟ ଶିକାର ହୋଇଥିଲେ ବିସ୍ଫୋରକ ବ୍ୟାଟର ପ୍ରଭସିମରନ । ସେ ୨୬ଟି ବଲ୍‌ର ସାମ୍ନା କରିଥିଲେ ଏବଂ ୭୬ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୯ଟି ଚୌକା ଏବଂ ୫ଟି ଛକା ସାମିଲ ଥିଲା । ଯୁବ ବ୍ୟାଟର କୁପର କନୋଲି ୧୦ଟି ବଲ୍‌ର ସାମ୍ନା କରିଥିଲେ । ସେ ଗୋଟିଏ ଚୌକା ଏବଂ ଗୋଟିଏ ଛକା ବଳରେ ୧୭ ରନ୍ କରିଥିଲେ । ନେହାଲ ୱାଧୀରାଙ୍କ ବ୍ୟାଟରୁ ୨୫ ରନ୍ ମିଳିଥିଲା । ସେ ୧୫ଟି ବଲ୍ ଖେଳି ୩ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ ।

ଟସ୍ ଜିତି ଦିଲ୍ଲୀ ଟିମ୍ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ସଫଳ ରଣନୀତି କରି ନିର୍ଦ୍ଧାରିତ ୨୦ ଓଭରରେ ୨ଟି ୱିକେଟ୍ ହରାଇ ୨୬୪ ରନ୍ ସଂଗ୍ରହ କରିଥିଲା । ଏହି ମ୍ୟାଚ୍‌ରେ ଦିଲ୍ଲୀର ପ୍ରାରମ୍ଭିକ ବ୍ୟାଟିଂ ଯଦିଓ ସାମାନ୍ୟ ପ୍ରଭାବିତ ହୋଇଥିଲା, ପରବର୍ତ୍ତୀ ସମୟରେ ଦଳର ମୋର୍ଚ୍ଚା ସମ୍ଭାଳି ଥିଲେ କେଏଲ୍ ରାହୁଲ ଏବଂ ନିତିଶ ରାଣା । କ୍ରିକେଟ୍ ପ୍ରେମୀମାନେ କେଏଲ୍ ରାହୁଲଙ୍କୁ ନିଶ୍ଚିତ ଭାବେ ମନେ ରଖିବେ । ପଞ୍ଜାବ ବିପକ୍ଷରେ ଆଜି କେଏଲ୍ ରାହୁଲ ଯେଉଁଭଳି ଭାବେ ବ୍ୟାଟିଂ କଲେ, ତାହା ଅଭୁଲା ରହିବ । ଅପରାଜିତ ରହି ସେ ୧୫୨ ରନ୍ ସଂଗ୍ରହ କରିଛନ୍ତି । ୬୭ଟି ବଲ୍‌ର ସାମ୍ନା କରି ୨୨୬.୮୭ ହାରରେ ସେ ବ୍ୟାଟିଂ କରିଛନ୍ତି । ଏଥିରେ ସେ ୧୬ଟି ଚୌକା ଏବଂ ୯ଟି ଛକା ସାମିଲ କରିଛନ୍ତି ।

ଦିଲ୍ଲୀ ପାଇଁ ପ୍ରଥମ ୱିକେଟ୍‌ରେ ପାଥୁମ ନିଶଙ୍କା ଏବଂ କେଏଲ୍ ରାହୁଲ ୨୮ ରନ୍‌ସଂଗ୍ରହ କରିଥିଲେ । ନିଶଙ୍କା ୭ଟି ବଲ୍ ଖେଳି ବ୍ୟକ୍ତିଗତ ଭାବେ ୧୧ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ସେ ୨ଟି ଚୌକା ସାମିଲ କରିଥିଲେ । କିନ୍ତୁ ଦିଲ୍ଲୀ ୨ୟ ୱିକେଟରେ ୨୨୦ ରନ୍‌ର ଭାଗିଦାରୀ କରିଥିଲା । ଏହାକୁ ସମ୍ଭବ କରିଥିଲେ କେଏଲ୍ ରାହୁଲ ଏବଂ ନିତିଶ ରାଣା । ପଞ୍ଜାବ ୨ୟ ୱିକେଟ ଭାବେ ନିତିଶ ରାଣାଙ୍କୁ ଆଉଟ୍ କରିଥିଲା । ରାଣା ୪୪ଟି ବଲ୍ ସାମ୍ନା କରିଥିଲେ । ସେ ୧୧ଟି ଚୌକା ଏବଂ ୪ଟି ଛକା ମାରିଥିଲେ । ରାଣା ଆଉଟ୍ ହେଲା ପରେ ତାଙ୍କର ସ୍ଥାନ ପୂରଣ କରିବାକୁ ଡେଭିଡ ମିଲର ପଡିଆକୁ ପ୍ରବେଶ କରିଥିଲେ ।


Reporterspen