tight Security at Bhubaneswar: ଭୁବନେଶ୍ୱର (ରିପୋଟର୍ସ ପେନ୍) : ଆସନ୍ତା କାଲି ନଭେମ୍ବର ୨୯ ତାରିଖରୁ ଭୁବନେଶ୍ୱରରେ ସର୍ବଭାରତୀୟ ଡିଜିପି-ଆଜି ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଏଥିରେ ବ୍ୟାଘାତ ସୃଷ୍ଟି କରିବାକୁ ଖଲିସ୍ତାନୀ ଆତଙ୍କୀ ଗୁରୁୱନ୍ତ ସିଂ ପନ୍ନୁ ଧମକ ଦେଇଥିବା ସୂଚନା ମିଳିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ହଇଚଇ ଦେଖାଦେଇଛି । ଶିଖ୍ ଫର୍ ଜଷ୍ଟିସ ସଂଗଠନର ବିଚ୍ଛିନ୍ନତାବାଦୀ ନେତା ପନ୍ନୁ ଏନେଇ ଭିଡିଓ ବାର୍ତ୍ତା ଜାରି କରିଥିବା କୁହାଯାଉଛି । ତେବେ ଏହି ସମ୍ମିଳନୀ ପୂର୍ବରୁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଗ୍ରହଣ କରାଯାଇଛି। ଏନେଇ କଟକ-ଭୁବନେଶ୍ୱର ପୋଲିସ କମିଶନର ଏସ ଦେବଦତ୍ତ ସିଂହ ସୂଚନା ପ୍ରଦାନ କରିଛନ୍ତି ।
ଶ୍ରୀ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଭୁବନେଶ୍ୱରରେ ସର୍ବଭାରତୀୟ ଡିଜିପି-ଆଇଜି ସମ୍ମିଳନୀ ହେବାକୁ ଯାଉଛି। ଏଥିପାଇଁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀରେ ୭୦ ପ୍ଲାଟୁନ ଅଧିକ ଫୋର୍ସ ମୁତୟନ କରାଯାଇଛି। ଏହା ବ୍ୟତୀତ ରାଜ୍ୟ ପୋଲିସ ବିଭାଗ, ସଶସ୍ତ୍ର ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି। ତେବେ ମିଳିଥିବା ଧମକ ପାଇଁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରାଯାଇଛି। ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ନିୟୋଜିତ ହେବେ। ସାଦା ପୋଷାକରେ ମଧ୍ୟ ପୁଲିସ ନିୟୋଜିତ ହେବେ। ତେବେ ଖଲିସ୍ତାନୀ ପକ୍ଷରୁ ଜାରି କରାଯାଇଥିବା ଭିଡ଼ିଓକୁ ନେଇ ଶ୍ରୀ ସିଂହ କୌଣସି ପ୍ରକାର ମନ୍ତବ୍ୟ ଦେଇନାହାନ୍ତି। ଏହା ସହିତ ରାଜଧାନୀରେ ନାକା କରାଯାଇ କଡ଼ା ଚେକିଂ ମଧ୍ୟ କରାଯାଉଥିବା ନେଇ ସେ ସୂଚନା ପ୍ରଦାନ କରିଛନ୍ତି।
ଏଠାରେ କହି ରଖୁ କି IB ନିର୍ଦ୍ଦେଶକ ତପନ ଡେକା ରାଜଧାନୀରେ ପହଞ୍ଚିସାରିଛନ୍ତି । ଆଜି ଭିତରେ ସବୁ ରାଜ୍ୟର ପ୍ରତିନିଧି ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଆସି ପହଞ୍ଚିବେ। ଅତିଥିଙ୍କୁ ସ୍ୱାଗତ ଓ ସହାୟତା ପାଇଁ ବିମାନବନ୍ଦରରେ କମିଶନରେଟ ପୋଲିସ ପକ୍ଷରୁ କ୍ୟାମ୍ପ ସାଙ୍ଗକୁ ୨ଟି ହେଲ୍ପ ଡେସ୍କ ଖୋଲାଯାଇଛି । ଡିଜିପି କନଫରେନ୍ସରେ ଯୋଗ ଦେବାକୁ ଆସନ୍ତାକାଲିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।