Odisha News: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା; ଭୀଷଣ ବର୍ଷା ନେଇ ସତର୍କ ସୂଚନା ଜାରି

Reporterspen

Odisha News: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଆଜି ଉତ୍ତର-ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରେ ଏହା ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡିଶା, ଝାଡଖଣ୍ଡ ଦେଇ ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ରବିବାର ସୃଷ୍ଟ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ଏହା ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଘୂର୍ଣ୍ଣିବଳୟ ପ୍ରଭାବରେ ୩ ତାରିଖ ଯାଏଁ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆଜି ପାଇଁ ଝଡ଼ବର୍ଷା ନେଇ ୧୬ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି । ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି ହୋଇଛି । ଏହା ବାଦ୍ ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତିରେ ଘଡଘଡି ସହ ବର୍ଷା ସମ୍ଭାବନା ଅଛି ।

ସେହିପରି ଜୁନ୍ ୩୦ ତାରିଖ ସୋମବାର ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡରେ ଅତିପ୍ରବଳ ବର୍ଷା ହୋଇପାରେ । ଦେବଗଡ, ସମ୍ବଲପୁର ଓ ଝାରସୁଗୁଡାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୧ ତାରିଖରେ ନୟାଗଡ, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ହେବ । ନବରଙ୍ଗପୁର, ରାୟଗଡା, କୋରାପୁଟ, କଟକ, ବୌଦ୍ଧ, ସୁନ୍ଦରଗଡ ଓ ଝାରସୁଗୁଡାରେ ଅଧିକ ବର୍ଷା ସମ୍ଭାବନା ଅଛି । ୨ ତାରିଖରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା ଓ ବଲାଙ୍ଗିର ଏବଂ ୩ ତାରିଖରେ ଝାରସୁଗୁଡା, ବରଗଡ ଓ ମୟୂରଭଞ୍ଜରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।


Reporterspen