Operation Sindoor: ଭାରତ ଓ ପାକିସ୍ତାନ ମଧ୍ୟରେ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ଼କୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନର ୫ ପ୍ରମୁଖ ସହର ଏବଂ କରାଚି ବନ୍ଦର ସମେତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆତଙ୍କୀଙ୍କ ଠିକଣା ଖୋଜି ପ୍ରହାର ଜରିଛି ଭାରତ। ଏପ୍ରିଲ ୨୨ ପାହାଲଗାମ ନରସଂହାରର ଜବାବରେ ଏହି ଆକ୍ରମଣ କରାଯାଇଛି। ଅପରେସନ୍ ସିନ୍ଦୂରର ଏହା ଏକ ଅଂଶ ଭାବେ ଗ୍ରହଣ କରାଯାଇଛି। ଅପର ପକ୍ଷେ ପାକିସ୍ତାନ ଭାରତର ଆକ୍ରମଣକୁ ‘ଯୁଦ୍ଧର କାର୍ଯ୍ୟ’ ବୋଲି ଅଭିହିତ କରି ଜମ୍ମୁ, ପଠାନକୋଟ, ଉଧମପୁର ଓ ରାଜସ୍ଥାନରେ ଥିବା ଭାରତୀୟ ସାମରିକ ସ୍ଥାନଗୁଡ଼ିକୁ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ଼ କରିଥିଲା। କିନ୍ତୁ ସମସ୍ତ ଆକ୍ରମଣ ବିଫଳ ରହିଥିବା ଜଣାପଡ଼ିଛି। ଆଜି ଭାରତ ସରକାରଙ୍କ ପକ୍ଷରୁ ଏ ବାବଦରେ ବିସ୍ତୃତ ସୂଚନା ଦିଆଯିବ। ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ଜାଣନ୍ତୁ ଜାଣନ୍ତୁ ସଂକ୍ଷେପରେ… ଯୁଦ୍ଧର ଅପଡେଟ…
– ଭାରତର ୧୫ ସହରକୁ ଟାର୍ଗେଟ କରି ପ୍ରଥମେ ପାକିସ୍ତାନ ନିଜର କ୍ଷେପଣାସ୍ତ୍ର, ଡ୍ରୋନ ପ୍ରୟୋଗ କରିଥିଲା। ଏସବୁକୁ ଭାରତ ଏହାର ସ୍ୱତନ୍ତ୍ର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ଧ୍ୱଂସ କରିବାରେ ସକ୍ଷମ ହୋଇଥିଲା। ଏହି ସହରଗୁଡ଼ିକ ହେଉଛି ଜମ୍ମୁ କଶ୍ମିରର ଜମ୍ମୁ, ଶ୍ରୀନଗର, ଅବନ୍ତିପୁରା, ପଞ୍ଜାବର ଅମୃତସର, ପଠାନକୋଟ, କପୁରଥାଲା, ଜଳନ୍ଧର, ଅଦମପୁର, ଭଟିଣ୍ଡା, ଚଣ୍ଡିଗଡ଼, ରାଜସ୍ଥାନର ନଲ, ଫଲୋଦି, ଉତ୍ତରଲାଇ, ଜୟଶାଲମିର ଓ ଭୁଜ ଠାରେ ଡ୍ରୋନ ଆକ୍ରମଣ କରିଥିଲା ପାକିସ୍ତାନ।
– ଭାରତର ପ୍ରତିରକ୍ଷା ଭାରତୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, ବିଶେଷତଃ S-400 ଓ ଇଣ୍ଟିଗ୍ରେଟେଡ କାଉଣ୍ଟର UAS ଗ୍ରିଡ, ପାକିସ୍ତାନର ସମସ୍ତ ଡ୍ରୋନ ଓ କ୍ଷେପଣାସ୍ତ୍ରକୁ ନିଷ୍କ୍ରିୟ କରିଥିଲା, ଯାହା ଫଳରେ କୌଣସି କ୍ଷୟକ୍ଷତି ହୋଇନଥିଲା।
– ଏହି ଆକ୍ରମଣର ଜବାବ ଦେବା ଲାଗି ଭାରତ ପାକିସ୍ତାନର ଲାହୋରସ୍ଥିତ ଏକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଇଜରାଏଲ ନିର୍ମିତ HARPY କାମିକାଜେ ଡ୍ରୋନ ଦ୍ୱାରା ଧ୍ୱଂସ କରିଥିଲା, ଯାହା ପାକିସ୍ତାନର ସାମରିକ ଶକ୍ତିକୁ ଦୁର୍ବଳ କରିଥିଲା।
-ଏହି ଆକ୍ରମଣ ଓ ପ୍ରତି ଆକ୍ରମଣରେ ଗତକାଲି ସନ୍ଧ୍ୟା ସୁଦ୍ଧା ଭାରତର ଆକ୍ରମଣରେ ୩୧ ଜଣ ପାକ୍ ନାଗରିକଙ୍କ ମୃତ୍ୟୁ ହୋଇଥିବା ପାକିସ୍ତାନ କହିଥିବା ବେଳେ କହିଥିଲା ଯେ ପାକିସ୍ତାନର ଗୁଳିବିନିମୟରେ ୧୬ ଜଣ ନାଗରିକ ମୃତ୍ୟୁବରଣ କରିଛନ୍ତି।
-ଏହି ଘଟଣାରେ ଏବେ ଆମେରିକା ନିରପେକ୍ଷତା ରକ୍ଷା କରିବ ବୋଲି ଘୋଷଣା କରିଛି। ଆମେରିକାର ଉପରାଷ୍ଟ୍ରପତିଙ୍କ ବୟାନ ଅନୁଯାୟୀ, ଆମେରିକା ଏହି ବିବାଦରେ ମଧ୍ୟସ୍ଥତା କରିବ ନାହିଁ, କିନ୍ତୁ ପରିସ୍ଥିତି ଶାନ୍ତ କରିବାକୁ ଉଭୟ ଦେଶକୁ ଆହ୍ୱାନ କରିଛି।
– ଜାତିସଂଘ ଏବଂ ଅନ୍ୟାନ୍ୟ ବିଶ୍ୱ ନେତାମାନେ ଉଭୟ ଦେଶକୁ ସଂଯମ ଅବଲମ୍ବନ କରିବାକୁ ଏବଂ ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବାକୁ ପରାମର୍ଶ ଦେଇଛନ୍ତି।
– ଏହି ପରିସ୍ଥିତିର ପ୍ରଭାବ ଭାରତର ବିଭିନ୍ନ ସହରରେ ପଡ଼ିଛି। ଜମ୍ମୁ-କାଶ୍ମୀର, ପଞ୍ଜାବ ଓ ରାଜସ୍ଥାନରେ ବ୍ଲାକଆଉଟ, ବିମାନବନ୍ଦର ବନ୍ଦ ଏବଂ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା, ଯାହା ସ୍ଥାନୀୟ ଜନଜୀବନକୁ ପ୍ରଭାବିତ କରିଛି।
– ଏହି ଘଟଣା ଦୁଇ ପରମାଣୁ ଶକ୍ତିଧର ଦେଶ ମଧ୍ୟରେ ଏକ ବୃହତ୍ ସଂଘର୍ଷର ଆଶଙ୍କା ସୃଷ୍ଟି କରିଛି, ଯଦିଓ ବର୍ତ୍ତମାନ ପାଇଁ ଆନ୍ତର୍ଜାତୀୟ ଚାପ ଓ ଭାରତର ସଫଳ ପ୍ରତିରକ୍ଷା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଛି।
– ଆଜି ଭାରତ ପକ୍ଷରୁ ଏହି ଆକ୍ରମଣ ଓ ଜବାବ ବିଷୟରେ ବିସ୍ତୃତ ବିବରଣୀ ଜାରି କରାଯିବ। ଏଥିଲାଗି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସକାଳ ୯ଟାରେ ସମ୍ବାଦିକ ସମ୍ମିଳନୀ ଡକାଯାଇଛି। ସେହିପରି ପ୍ରତିରକ୍ଷାମନ୍ତ୍ରୀଙ୍କୁ ଆଜି ତିନିସେନାର ମୁଖ୍ୟ ଓ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭେଟି ସମସ୍ତ ଘଟଣା ସମ୍ପର୍କରେ ତଥ୍ୟ ପ୍ରଦାନ କରିବେ।
– ଅର୍ଥ ମନ୍ତ୍ରଣାଳୟ ଆଜି ଆଜି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରି ଆମେରିକା ଆଗରେ ପାକିସ୍ତାନକୁ ଫାଇନାନ୍ସ ଆକ୍ସନ ଟାସ୍କ ଫୋର୍ସ ( ଏଫଏଟିଏଫ୍) କଳା ତାଲିକାରେ ଅନ୍ତର୍ଭୁକ୍ତ କରିବା ଲାଗି ଦାବି କରିବ। ଆନ୍ତର୍ଜାତିକ ସହାୟତା ନେଇ ପାକିସ୍ତାନ ଆତଙ୍କବାଦୀ କର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଥିବା ନେଇ ଭାରତ ଅଭିଯୋଗ କରି ଆସୁଛି।