Political News: ମାଲକାନଗିରି ଜିଲ୍ଲାର ସ୍ୱାର୍ଥରକ୍ଷା ପାଇଁ ବିଜେଡି ସ୍ଵରକୁ ଶାଣିତ କରିବ

Reporterspen

Political News: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ପୋଲାଭରମ ପ୍ରକଳ୍ପକୁ ନେଇ ବିଜୁ ଜନତା ଦଳର ଯେଉଁ ପ୍ରତିନିଧି ମଣ୍ଡଳୀ ଦିଲ୍ଲୀ ଯାଇ ବିଭିନ୍ନ କେନ୍ଦ୍ର ଅଧିକାରୀଙ୍କୁ ଭେଟିଥିଲେ, ସେଇ ପ୍ରତିନିଧି ମଣ୍ଡଳୀ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ରିପୋର୍ଟ ପ୍ରଦାନ କରିଥିଲେ। ପୋଲାଭରମ ପ୍ରକଳ୍ପ ହେଲେ, ମାଲକାନଗିରି ଜିଲ୍ଲାର ଶତାଧିକ ଗ୍ରାମ ସମ୍ପୂର୍ଣ ଜଳମଗ୍ନ ହେବ ବୋଲି ଆକଳନ କରାଯାଉଥିବା ବେଳେ, ବିଜୁ ଜନତା ଦଳ ମାଲକାନଗିରି ଜିଲ୍ଲାର ସ୍ୱାର୍ଥରକ୍ଷା ପାଇଁ ସମସ୍ତ ଉଦ୍ୟମ କରିବ ବୋଲି ନବୀନ ପ୍ରତିନିଧି ଦଳର ସଦସ୍ୟ ମାନଙ୍କୁ କହିଥିଲେ। ବିଜେଡି ପ୍ରତିନିଧି ମଣ୍ଡଳୀ ଦିଲ୍ଲୀରେ ଭେଟିଥିବା ଅଧିକାରୀମାନଙ୍କ ଠାରୁ ଉତ୍ତର ଆସିବା ପରେ ବିଜେଡି ତାର କାର୍ଯ୍ୟକ୍ରମ ସ୍ଥିର କରିବ ବୋଲି ନବୀନ କହିଥିଲେ।

ବିଜେଡି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଆଜି ନବୀନଙ୍କୁ ଭେଟିଥିବା ପ୍ରତିନିଧି ମଣ୍ଡଳୀରେ, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ନିରଞ୍ଜନ ବିଶି, ସୁବାଶିଷ ଖୁଣ୍ଟିଆ, ମିଡ଼ିଆ ସଂଯୋଜକ ଡ଼ଃ ପ୍ରିୟବ୍ରତ ମାଝୀ, ବିଧାୟକ ମନୋହର ରନ୍ଧାରୀ, ରମେଶ ମାଝୀ, ପ୍ରଦୀପ ମାଝି, ମାନସ ମାଡକାମୀ, ଭୃଗୁ ବକ୍ସିପାତ୍ର ଇତ୍ୟାଦି ଉପସ୍ଥିତ ଥିଲେ। ବିଜେଡି ପ୍ରତିନିଧି ମଣ୍ଡଳୀ ଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି ଆର ପାଟିଲଙ୍କୁ ଭେଟି ଓଡ଼ିଶାର ମାଲକାନଗିରି ଜିଲ୍ଲାର ପ୍ରାୟ ଶତାଧିକ ଗ୍ରାମ ଜଳମଗ୍ନ ହେବ ବୋଲି ଉଲ୍ଲେଖ କରିବା ସହିତ ଏହି ପ୍ରକଳ୍ପର କ୍ଷମତା ୩୬ ଲକ୍ଷ କ୍ୟୁସେକ ଜଳରୁ ଏକତରଫା ଭାବେ ୫୦ ଲକ୍ଷ କ୍ୟୁସେକକୁ ବୃଦ୍ଧି କରାଯାଇ ଥିବାରୁ ଓଡିଶା ପାଇଁ ଏହି ବିପଦ ସୃଷ୍ଟି ହୋଇଛି। ଏହି କାରଣରୁ, ଓଡିଶା ବାରମ୍ବାର ସ୍ୱର ଉତ୍ତୋଳନ କରି ଆସୁଥିଲେ ହେଁ ପ୍ରକଳ୍ପର ପଛୁଆ ପାଣି କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବେ ବୋଲି ସର୍ଭେ କରାଯାଉ ନାହିଁ ।

ବିଜେଡି ପ୍ରତିନିଧି ମଣ୍ଡଳୀ ଅଧ୍ୟ୍ୟକ୍ଷ କେନ୍ଦ୍ର ଜଳ କମିସନ, ଆଦିବାସୀ ବ୍ୟାପାର ବିଭାଗର ସଚିବ, ପରିବେଶ ଓ ଜଙ୍ଗଲ ବିଭାଗର ସଚିବ ଓ ଜାତୀୟ ଜନଜାତି କମିସନଙ୍କୁ ମଧ୍ୟ ଭେଟି ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶାର ହେବାକୁ ଥିବା କ୍ଷତି ସମ୍ପର୍କରେ ଅବଗତ କରିଥିଲେ। ଜାତୀୟ ଜନଜାତି କମିସନ ଏହି ପ୍ରସଙ୍ଗକୁ ଗୁରୁତର ସହିତ ନେଇ ସେ ଅତିଶୀଘ୍ର ପ୍ରଭାବିତ ହେବାକୁ ଥିବା ମାଲକାନଗିରି ଜିଲ୍ଲା ଗସ୍ତ କରି ସ୍ଥିତିର ଆକଳନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି, ଅନ୍ୟ ଅଧିକାରୀ ମାନେ ମଧ୍ୟ ପ୍ରସଙ୍ଗକୁ ଗୁରୁତର ସହିତ ନେଇ ଓଡ଼ିଶାର ଆଶଙ୍କା ପ୍ରତି ବିଚାର କରାଯିବ ବୋଲି କହିଥିଲେ।

ପ୍ରତିନିଧି ମଣ୍ଡଳୀର ସଦସ୍ୟମାନଙ୍କ ଠାରୁ ସମସ୍ତ କଥା ଶୁଣିସାରିବା ପରେ, ନବୀନ ପଟ୍ଟନାୟକ କହିଥିଲେ, ମାଲକାନଗିରି ଜିଲ୍ଲାର ସ୍ୱାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ସମସ୍ତ ଆବଶ୍ୟକ ପଦକ୍ଷେପ ନେବ । ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ବିଜୁ ଜନତା ଦଳ ସବୁବେଳେ ସ୍ୱର ଉତ୍ତୋଳନ କରି ଆସିଛି। ବିଜେଡି ପ୍ରତିନିଧି ମଣ୍ଡଳୀ ଭେଟିଥିବା ଅଧିକାରୀ ମାନଙ୍କଠାରୁ ଉଠାଯାଇଥିବା ପ୍ରସଙ୍ଗ ଉପରେ ଉତ୍ତର ଆସିବା ପରେ ବିଜେଡି ତାର କାର୍ଯ୍ୟକ୍ରମ ସ୍ଥିର କରିବ ବୋଲି ନବୀନ କହିଥିଲେ। ପରେ ବିଜେଡି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମ ଆଗରେ ସମସ୍ତ ବିବରଣୀ ପ୍ରଦାନ କରିଥିଲେ।


Reporterspen
!-- afp header code starts here -->