Relationship tips: ଦାମ୍ପତ୍ୟ ଜୀବନ କିପରି ସୁଖମୟ ହେବ, ଜାଣନ୍ତୁ

Reporterspen

Relationship tip: ବିବାହ ହେଉଛି ଏମିତି ଏକ ବନ୍ଧନ ଯେଉଁଥିରେ କେବଳ ଦୁଇଟି ମନର ମିଳନ ହୋଇ ନ ଥାଏ ବରଂ ଦୁଇଟି ପରିବାରର ଭବିଷ୍ୟତ ସେମାନଙ୍କ ଉପରେ ନିର୍ଭର କରିଥାଏ। ହାତକୁ ଦି’ହାତ ହେବା ପରେ ଉଭୟ ସ୍ବାମୀ-ସ୍ତ୍ରୀ ପରସ୍ପର ପରିବାରକୁ ଗୋଟିଏ ବୋଲି ମନେ କରନ୍ତି। କେତେକେ ଦୁଇଟି ପରିବାରକୁ ଗୋଟିଏ ସ୍ନେହର ଡୋରିରେ ବାନ୍ଧି ଦେଇଥାଆନ୍ତି। ଆଉ ସେହି ଡୋରିରେ ଭଲପାଇବା, ବିଶ୍ୱାସ ଓ ବୁଝାମଣା ଯେମିତି ଏକ ସୂତାରେ ଗୁନ୍ଥା ହୋଇଥିବା ମାଳି ପରି ହୋଇଥାଏ। ଏଥିପାଇଁ ବିବାହକୁ ଏକ କମ୍ପ୍ରମାଇଜ୍‌ ନ ଭାବି ଏହାକୁ ଈଶ୍ୱରଦତ୍ତ ମିଳନ ଭାବିବା ଦରକାର। ଯଦି ଆପଣଙ୍କ ଦାମ୍ପତ୍ୟ ଜୀବନରେ ଭଲ ପାଇବା, ସ୍ନେହଶ୍ରଦ୍ଧା, ବିଶ୍ୱାସ ଏବଂ ବୁଝାମଣାର ଅଭାବ ଦେଖିବାକୁ ମିଳେ ତେବେ ଏହି ପବିତ୍ର ସମ୍ପର୍କକୁ ଆଗେଇନେବା କଷ୍ଟକର ବ୍ୟାପାର ହୋଇଥାଏ। ଏଥିପାଇଁ ଦାମ୍ପତ୍ୟ ଜୀବନରେ କିଛି କଥାକୁ ଗୁରୁତ୍ୱ ଦେବା ସହ ଆଗକୁ ବଢ଼ିବା ଦରକାର।

ସନ୍ତୁଳିତ ଦାମ୍ପତ୍ୟ ଜୀବନ: ସ୍ବାମୀ-ସ୍ତ୍ରୀ ଗୋଟିଏ ନିକିତିର ଦୁଇପାର୍ଶ୍ୱ ଭଳି, ଯାହା ସାରା ଜୀବନ ସନ୍ତୁଳିତ ହୋଇ ରହିବା ନିହାତି ଦରକାର। ଯେତେବେଳେ ଏହି ସନ୍ତୁଳନ ବିଗିଡ଼ିଯାଏ, ସେତେବେଳେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ତେଣୁ ସ୍ବାମୀ-ସ୍ତ୍ରୀ ମଧ୍ୟରେ ବୁଝାମଣା ଯେତେ ଦୃଢ଼ ହେବ ସେମାନଙ୍କ ବୈବାହିକ ଜୀବନ ସେତିକି ଖୁସିରେ କଟିବ। ତେଣୁ କୌଣସି ସମସ୍ୟାକୁ ଏକ ବୋଝ ନ ଭାବି ତାହାର ଠିକ୍‌ ସମୟରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ଏହି ସମୟରେ ଉଭୟେ ନିଜର ମାନସିକ ଭାରସାମ୍ୟ ଦୃଢ଼ ରଖିବା ନିହାତି ଦରକାର।

ସବୁବେଳେ ରଖନ୍ତୁ ବିଶ୍ୱାସ: ବିଶ୍ୱାସ ଏଭଳି ଏକ ଶଦ୍ଦ, ଯାହା ଜୀବନକୁ ମଧୁମୟ କରିଦେଇଥାଏ। ବିଶେଷଭାବରେ ଦାମ୍ପତ୍ୟ ଜୀବନରେ ବିଶ୍ୱାସ ମୂଳଦୁଆ ପରି କାମକରେ। କାରଣ ଏହା ଉପରେ ହିଁ ଏକ ସୁଖୀ ଦାମ୍ପତ୍ୟ ଜୀବନ ନିର୍ଭର କରିଥାଏ। ତେଣୁ ବିବାହ ପରେ ସ୍ବାମୀ-ସ୍ତ୍ରୀ ପରସ୍ପର ଉପରେ ବିଶ୍ୱାସକୁ ଅତୁଟ ରଖିବା ନିହାତି ଜରୁରୀ। କାହା କଥାରେ ପ୍ରରୋଚିତ ହୋଇ ଆଗେଇବା, ଭୁଲ୍‌-ଠିକ୍‌ର ହିସାବ କରି ନ ପାରିବା ଦ୍ୱାରା ଦାମ୍ପତ୍ୟ ଜୀବନ ପ୍ରଭାବିତ ହୋଇଥାଏ। ଉଭୟ ଉଭୟଙ୍କ ମଧ୍ୟରେ ବିଶ୍ୱାସ ବଜାୟ ରଖନ୍ତୁ। ଯଦି କୌଣସି କଥାକୁ ନେଇ ଆପଣଙ୍କ ମନରେ ପ୍ରଶ୍ନ ଆସେ ଏ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରନ୍ତୁ। କୌଣସି ଗୁରୁତର କଥାକୁ ତୁରନ୍ତ ସମାଧାନ କରନ୍ତୁ। ଏହାକୁ ସାମଧାନ ଆଳରେ ଅଧିକ ସମୟ ଗଡ଼େଇଲେ ପରବର୍ତ୍ତୀ ସମୟରେ ତାହା ଉଭୟ ଜୀବନରେ ଏକ ଜଟିଳ ସମସ୍ୟା ଭାବରେ ଉଭା ହୋଇଥାଏ।

ଆପୋସ ସହମତିରେ ନିଅନ୍ତୁ ନିଷ୍ପତ୍ତି: ଆପଣ ବିବାହ ପୂର୍ବରୁ ନିଜ ନିଷ୍ପତ୍ତି ହୁଏତ ନେଇପାରୁଥାନ୍ତି, କିନ୍ତୁ ବିବାହ ପରେ ଆପଣ ଏକରୁ ଦୁଇ ହୋଇଯାଇଥାଆନ୍ତି। ସେତେବେଳେ ଆଉ ଏକ ପରିବାର ସହ ଆପଣ ସାରା ଜୀବନ ପାଇଁ ଯୋଡ଼ିହୋଇଯାଆନ୍ତି। ଏହି ସମୟରେ ସେହି ପରିବାର ବିଷୟରେ ପ୍ରଥମେ ଭଲ ଭାବରେ ଜାଣନ୍ତୁ। ଯଦି ସେହି ପରିବାରକୁ ନେଇ ମନରେ କିଛି ପ୍ରଶ୍ନ ଉଠିଲା ତେବେ ସ୍ବାମୀଙ୍କ ସହ ବିଶଦ ଭାବରେ ଆଲୋଚନା କରନ୍ତୁ। କୌଣସି ବିଷୟରେ ଶେଷ ନିଷ୍ପତ୍ତି ନେବା ପୂର୍ବରୁ ଉଭୟେ ଭଲ ଭାବରେ ଆଲୋଚନା କରିବା ନିହାତି ଜରୁରୀ। ଏପରି କରିବା ଦ୍ୱାରା ୨ଜଣଙ୍କ ମଧ୍ୟରେ ଭଲପାଇବା ଓ ସମ୍ମାନ ବଢ଼ିଥାଏ। ଆପଣ ଜବରଦସ୍ତି ଏପରି କୌଣସି କାମ କରନ୍ତୁ ନାହିଁ, ଯାହା ଆପଣଙ୍କ ସ୍ବାମୀଙ୍କ ମନରେ ଆଘାତ ଦେବ। ଦାମ୍ପତ୍ୟ ଜୀବନ ସେତେବେଳେ ସାର୍ଥକ ହୁଏ ଯେତେବେଳେ ସ୍ବାମୀ-ସ୍ତ୍ରୀ ଉଭୟେ ସୁଖ ଦୁଃଖର ଭାଗୀଦାରି ହୋଇଥାଆନ୍ତି।

ମତଭେଦ: ଦାମ୍ପତ୍ୟ ଜୀବନରେ ଛୋଟମୋଟ ଝଗଡ଼ା ହେବା ନୂଆ କଥା ନୁହେଁ। ସେଥିପାଇଁ କୁହନ୍ତି, ସ୍ବାମୀ-ସ୍ତ୍ରୀ ଭିତରେ ଝଗଡ଼ା ସକାଳ କଳି ସଞ୍ଜକୁ ନ ଥାଏ। ଯଦି ଉଭୟଙ୍କ ଭିତରେ କିଛି ମତଭେଦ ସୃଷ୍ଟି ହେଲା, ତେବେ ତାହାର ତୁରନ୍ତ ସମାଧାନ କରନ୍ତୁ। ଏହାକୁ ଆଦୌ ବଢ଼ିବାକୁ ଦିଅନ୍ତୁ ନାହିଁ। କାରଣ ଏହା ଯେତେ ଆଗକୁ ବଢ଼ିବ ତାହାର କାୟା ସେତେ ମାଡ଼ି ମାଡ଼ି ଚାଲିବ। ଏପରି ଦିନ ଆସିବ ଏହାଦ୍ୱାରା ଆପଣଙ୍କ ବୈବାହିକ ଜୀବନ ଏଭଳି ପ୍ରଭାବିତ ହେବ ଯେ, ତାହାକୁ ସମାଧାନ କରିବାକୁ ହୁଏତ ଦୁହେଁ ଅସମର୍ଥ ହୋଇପାରନ୍ତି। ମତଭେଦ ଅଧିକ ବଢ଼ାନ୍ତୁ ନାହିଁ। ନିଜ ସମ୍ପର୍କକୁ ମଜଭୁତ ରଖିବାକୁ ହେଲେ ସ୍ବାମୀ-ସ୍ତ୍ରୀ ୨ଜଣଙ୍କୁ ବୁଦ୍ଧିମାନତାର ସହ ସମାଧାନ କରିବା ଆବଶ୍ୟକ। ଏଥିପାଇଁ ଧୈର୍ଯ୍ୟ ଓ ବିନମ୍ରତା ରହିବା ଜରୁରୀ। ଯଦି କୌଣସି କଥାକୁ ନେଇ ମତଭେଦ ରହିଥାଏ ତେବେ ସେ ବିଷୟରେ ଖୋଲାଖୋଲି ଭାବେ କଥା ହୁଅନ୍ତୁ। ଏପରି କରିବା ଦ୍ୱାରା କଥା ଯେଉଁଠୁ ଆରମ୍ଭ ହୋଇଥାଏ ସେଇଠି ହିଁ ଶେଷହୋଇଯିବ। କେବେ ନିଜ ଭିତରେ ଅହଂକାରକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ।

ଭରସା: ସବୁ ପରିସ୍ଥିତିରେ ନିଜକୁ କେବେ ଦୁର୍ବଳ ଭାବନ୍ତୁନାହିଁ। ସ୍ବାମୀ-ସ୍ତ୍ରୀ ଉଭୟେ ନିଜ ଉପରେ ଭରସା ରଖନ୍ତୁ। ନିଜ ଭିତରେ ସୃଷ୍ଟି ହୋଇଥିବା ବିବାଦ ନିଜ ଭିତରେ ସମାଧାନ କରନ୍ତୁ। ଯଦି କୌଣସି କାରଣରୁ କଥା ଅଧିକ ବିଗିଡ଼ିଯାଇଛି ତେବେ ଅଭିଜ୍ଞ ପରିବାର ସଦସ୍ୟଙ୍କ ସହାୟତା ନେଇପାରନ୍ତି। ଭରସା ଏଭଳି ଏକ ଜିନିଷ ଯାହା ଥରେ ଭାଙ୍ଗିଗଲେ ପୁଣି ଥରେ ଗଢ଼ି ଉଠିବା କଷ୍ଟକର ହୋଇଥାଏ।


Reporterspen