ପର୍ଯ୍ୟଟନ ସ୍ଥଳୀ ଓ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଆରମ୍ଭ ହେଲା ‘ସୁରକ୍ଷିତ ପର୍ଯ୍ୟଟକ ଅଭିଯାନ’

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ଓଡ଼ିଶାରେ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ରାଜ୍ୟକୁ ଏକ ନିରାପଦ ତଥା ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିତୋଳିବା ଦିଗରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ପର୍ଯ୍ୟଟନ ସ୍ଥଳୀ ଓ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀଠାରେ ସୁରକ୍ଷିତ ପର୍ଯ୍ୟଟକ ଅଭିଯାନ ଆରମ୍ଭ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂ, ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ମହାନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଏବଂ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ମହାନିରୀକ୍ଷକ ଡକ୍ଟର ଉମାଶଙ୍କର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ।

ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ବୃତ୍ତିଗତ ଭାବେ ତାଲିମପ୍ରାପ୍ତ ଲାଇଫ୍ଗାର୍ଡ (ଜୀବନ ରକ୍ଷକ) ମାନଙ୍କୁ ସରକାରୀ ଲାଇସେନ୍ସ ପ୍ରଦାନ କରିଥିଲେ । ଆନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ସଫଳତାର ସହ ଜୀବନରକ୍ଷା ତାଲିମ ସମାପ୍ତ କରିଥିବା ଏହି ଲାଇଫ୍ଗାର୍ଡମାନେ ଓଡ଼ିଶାର ସମୁଦ୍ର ଉପକୂଳ ଏବଂ ଆଭ୍ୟନ୍ତରୀଣ ଜଳାଶୟଗୁଡ଼ିକରେ ପର୍ଯ୍ୟଟକ ତଥା ସ୍ଥାନୀୟ ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ହେବେ ।

ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଏବଂ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ଆଧୁନିକ ବେଳାଭୂମି ସୁରକ୍ଷା ଏବଂ ଉଦ୍ଧାର ଉପକରଣଗୁଡ଼ିକର ଉଦ୍ଘାଟନ କରିଥିଲେ । ଏଥିରେ ଅଲ୍‌-ଟେରେନ୍ ଭେହିକିଲ୍‌, ରେସ୍କ୍ୟୁ ବୋର୍ଡ, ରେସ୍କ୍ୟୁ ଟ୍ୟୁବ୍‌, ଇନଫ୍‌ଲେଟେବଲ୍ ରେସ୍କ୍ୟୁ ବୋଟ୍‌, ଲାଇଫ୍ ଜ୍ୟାକେଟ୍ ଏବଂ ଆଧୁନିକ ଯୋଗାଯୋଗ ଉପକରଣ ସାମିଲ ରହିଛି, ଯାହା ବେଳାଭୂମିରେ ନଜର ରଖିବା ଏବଂ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିବାରେ ବେଶ୍ ସହାୟକ ହେବ । ଏଥି ସହ ଉପ-ମୁଖ୍ୟମନ୍ତ୍ରୀ ପୁରୀର ଦିଗବାରେଣୀ ବେଳାଭୂମିଠାରେ ଏକ ଅତ୍ୟାଧୁନିକ ‘ଉଦ୍ଧାର କେନ୍ଦ୍ର’ ଏବଂ ‘ୱାଚ୍ ଟାୱାର’ ର ଶିଳାନ୍ୟାସ କରିଛନ୍ତି ।

ଏଥିରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ଯେ, ପ୍ରତ୍ୟେକ ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ସର୍ବୋଚ୍‌ଚ ପ୍ରାଥମିକତା । ରାମଚଣ୍ଡୀଠାରେ ‘ଓଡ଼ିଶା ଷ୍ଟେଟ୍ ୱାଟରମ୍ୟାନ୍ସିପ୍ ଆଣ୍ଡ ଲାଇଫ୍ଗାର୍ଡ ଇନଷ୍ଟିଚ୍ୟୁଟ୍‌’ର ପ୍ରତିଷ୍ଠା ଦ୍ୱାରା ଆନ୍ତର୍ଜାତୀୟ ସ୍ତରର ଜୀବନରକ୍ଷା କାର୍ଯ୍ୟ ପାଇଁ ଏକ ଦକ୍ଷ ଲାଇଫ୍ଗାର୍ଡ କ୍ୟାଡର ପ୍ରସ୍ତୁତ କରିବାର ମୂଳଦୁଆ ପଡ଼ିପାରିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦୦ ଲାଇଫ୍ଗାର୍ଡଙ୍କୁ ସର୍ଫ ଲାଇଫ୍ ସେଭିଂ, ଓପନ୍ ୱାଟର ରେସ୍କ୍ୟୁ, ଅଣ୍ଡରୱାଟର ରେସ୍କ୍ୟୁ, ସ୍ୱିମିଂ ପୁଲ୍ ରେସ୍କ୍ୟୁ, ସିପିଆର, ପ୍ରାଥମିକ ଚିକିତ୍ସା ଏବଂ ଜରୁରୀକାଳୀନ ମୁକାବିଲା କୌଶଳ ଉପରେ ଉଚ୍ଚତର ତାଲିମ ପ୍ରଦାନ କରାଯାଇଛି ।

ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ସୁରକ୍ଷିତ ପର୍ଯ୍ୟଟକ ଅଭିଯାନ’ କେବଳ ଏକ ସୁରକ୍ଷା କାର୍ଯ୍ୟକ୍ରମ ନୁହେଁ, ବରଂ ଓଡ଼ିଶାକୁ ଦେଶର ସବୁଠାରୁ ନିରାପଦ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ଏହା ସରକାରଙ୍କ ଏକ ଦୀର୍ଘକାଳୀନ ପ୍ରତିବଦ୍ଧତା । ଏହି ଅଭିଯାନ ଓଡ଼ିଶା ସରକାରଙ୍କ ଦାୟିତ୍ୱପୂର୍ଣ୍ଣ, ସ୍ଥାୟୀ ଏବଂ ସୁରକ୍ଷିତ ପର୍ଯ୍ୟଟନର ବିକାଶ ଆଭିମୁଖ୍ୟ ସହ ଜଡ଼ିତ, ଯାହା ରାଜ୍ୟକୁ ବେଳାଭୂମି, ଦୁଃସାହସିକ ଏବଂ ଜଳକ୍ରୀଡ଼ା ପର୍ଯ୍ୟଟନ କ୍ଷେତ୍ରରେ ଏକ ଅଗ୍ରଣୀ ପସନ୍ଦଯୋଗ୍ୟ ସ୍ଥାନ ଭାବେ ସ୍ଥାପିତ କରିବ । ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏବଂ ଜାତୀୟ ଜଳକ୍ରୀଡ଼ା ସଂସ୍ଥାନର ମିଳିତ ସହଯୋଗରେ ଏହା ଆରମ୍ଭ କରାଯାଇଛି ।


Reporterspen