ଦ୍ୱିତୀୟ ଟି-୨୦: ଭାରତକୁ ୪ ୱିକେଟରେ ହରାଇଲା ଇଂଲଣ୍ଡ

Reporterspen

ମଞ୍ଚେଷ୍ଟର: ଭାରତ ବିପକ୍ଷରେ ଇଂଲଣ୍ଡ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଦ୍ବିତୀୟ ମୁକାବିଲାରେ ବିଜୟୀ ହୋଇଛି। ଇଂଲଣ୍ଡର ମଞ୍ଚେଷ୍ଟରସ୍ଥିତ ଓଲ୍ଡ ଟ୍ରାଫେଡରେ ୧୯୧ ରନ୍‌ର ବିଜୟ ଲକ୍ଷ୍ୟକୁ ୬ଟି ୱିକେଟ୍‌ ହରାଇ ୧୯ ଓଭରରେ ପୂରା କରିଛି। ଘରୋଇ ମାଟିରେ ଭାରତକୁ ଇଂଲଣ୍ଡ ୪ ୱିକେଟ୍‌ରେ ପରାସ୍ତ କରିଛି।

ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟର ଫିଲିପ ସଲ୍ଟ ଏବଂ ଜୋସ ବଟଲର ଖାତା ଖୋଲିପାରି ନଥିଲେ। ତେଣୁ ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ବ‌ିସ୍ଫୋରକ ବ୍ୟାଟର ଜାକୋବ ବେଥେଲ ଦଳ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୬ଟି ବଲ୍‌ ଖେଳି ୫ଟି ଚୌକା ଏବଂ ୫ଟି ଛକା ବଳରେ ଅପରାଜିତ ୭୬ ରନ୍‌ ସଂଗ୍ରହ କରିଥିଲେ। ହେରି ବ୍ରୁକ ଏବଂ ‌ଟବ ବେନଟନ ୩୯ ରନ୍‌ ଲେଖାଏଁ କରିଥିଲେ।

ଏହି ମୁକାବିଲାରେ ଭାରତୀୟ ଟିମ୍‌ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ୱିକେଟ୍‌ ହରାଇ ୧୯୦ ରନ୍‌ କରିଥିଲା। ଭାରତର ଇନିଂସ ଆରମ୍ଭ କରିଥିଲେ ଯୁବ କ୍ରିକେଟ୍‌ର ଅଭିଷେକ ଶର୍ମା ଏବଂ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୫୦ ରନ୍‌ ସଂଗ୍ରହ କରିଥିଲେ। ଏହା ପରେ ଇଂଲଣ୍ଡର ପ୍ରଥମ ଶିକାର ହୋଇଥିଲେ ବୈଭବ। ସେ ୧୦ଟି ବଲ୍‌ ଖେଳି ୨ଟି ଛକା ବଳରେ ୧୪ ରନ୍‌ ସଂଗ୍ରହ କରିଥିଲେ। ବୈଭବଙ୍କ ପରେ ଅଭିଷେକ ମଧ୍ୟ ଅଧିକ ସମୟ ଖେଳି ପାରି ନଥିଲେ। ଭାରତ ସ୍କୋର ୬୫ ରନ୍‌ରେ ଅଭିଷେକଙ୍କୁ ହରାଇଥିଲା। ସେ ୨୪ଟି ବଲ୍‌ ଖେଳି ୮ଟି ଚୌକା ଏବଂ ଗୋଟିଏ ଛକା ବଳରେ ୪୩ ରନ୍‌ ସଂଗ୍ରହ କରିଥିଲେ।

ଭାରତ ତୃତୀୟ ୱିକେଟ ଭାବେ ଅଧିନାୟକ ଶ୍ରେୟସ ଆୟର ଏବଂ ଚତୁର୍ଥରେ ଶିଭମ ଦୁବେଙ୍କୁ ହରାଇଥିଲା। ଆୟର ୨୨ଟି ବଲ୍‌ ଖେଳି ୩ଟି ଚୌକା ଏବଂ ଗୋଟିଏ ଛକା ବଳରେ ୩୭ ରନ୍‌ ସଂଗ୍ରହ କରିଥିଲେ। ଶିଭମ ଦୁବେ ୭ଟି ବଲ୍‌ ଖେଳି ୫ରନ୍‌ କରିଥିଲେ। ଈଶାନ କିଶନ ଆଉଟ୍‌ ହେବା ପୂର୍ବରୁ ବ୍ୟକ୍ତିଗତ ଭାବେ ୪୯ ରନ୍‌ ସଂଗ୍ରହ କରିଥିଲେ। ସେ ୪୦ଟି ବଲ୍‌ ଖେଳି ୬ଟି ଚୌକା ମାରିଥିଲେ। ଅକ୍ଷର ପଟେଲ ୩ଟି ବଲ୍‌ ଖେଳି ୨ ରନ୍‌ ଏବଂ ହର୍ଷିତ ରାଣା ୩ଟି ବଲ୍‌ ଖେଳି ୬ ରନ୍‌ କରିଥିଲେ। ଇଂଲଣ୍ଡ ପକ୍ଷରୁ ସାମ କୁରାନ ସର୍ବାଧିକ ୱିକେଟ୍‌ ନେଇଥିଲେ। ସେ ୪ ଓଭର ବୋଲିଂ କରି ୩୩ ରନ୍‌ ଖର୍ଚ୍ଚ କରିଥିଲେ ଏବଂ ୩ଟି ୱିକେଟ୍‌ ନେଇଥିଲେ। ଜୋଫ୍ରା ଆର୍ଚ୍ଚର, ୱିଲ୍‌ ଜ୍ୟାକ୍‌ ଏବଂ ଲିଆମ ଡସନ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।


Reporterspen