ଓମାନକୁ ବଡ଼ ବ୍ୟବଧାନରେ ହରାଇଲା ଶ୍ରୀଲଙ୍କା

Reporterspen

ପାଲେକେଲ, ୧୨ ।୦୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ସହଆୟୋଜକ ଶ୍ରୀଲଙ୍କାର ଜୟଯାତ୍ରା ଜାରି ରହିଛି । ଗୁରୁବାର ଗ୍ରୁପ୍‌-ବି’ର ଅନ୍ୟତମ ଏକତରଫା ମୁକାବିଲାରେ ଓମାନକୁ ୧୦୫ ରନ୍‌ର ବଡ ବ୍ୟବଧାନରେ ହରାଇ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ସିଂହଳୀ ଦଳ । ଲଗାତାର ବିଜୟ ସହ ଶ୍ରୀଲଙ୍କା ମଧ୍ୟ ଏହି ଗ୍ରୁପ୍‌ର ପଏଣ୍ଟ୍ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରି ନେଇଛି । ଅନ୍ୟପକ୍ଷରେ ଓମାନ ଦୁଇଟି ମ୍ୟାଚ୍‌ରୁ ଦୁଇଟି ଯାକ ହାରି ସାବଶେଷ ସ୍ଥାନରେ ଅପରିବର୍ତ୍ତିତ ରହିଛି ।

ଓମାନ ଆଜି ଟସ୍ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ୪୨ ରନ୍‌ରେ ୨ ୱିକେଟ୍ ନେଇ ଘରୋଇ ଦଳ ଉପରେ କିଛିଟା ଚାପ ସୃଷ୍ଟି କରିବାକୁ ବି ସକ୍ଷମ ହୋଇଥିଲା । ଏହା ପରେ କିନ୍ତୁ ମାତ୍ରାଧିକ ଆତ୍ମବିଶ୍ୱାସୀ ହୋଇ ଏହି ଦଳର ଅନଭିଜ୍ଞ ବୋଲର୍‌ମାନେ ଦିଗହରା ହୋଇଥିଲେ । ଶ୍ରୀଲଙ୍କା ଉପରେ ଚାପ ବଜାୟ ରଖିବାର ସୁବର୍ଣ୍ଣ ସୁଯୋଗ ହାତଛଡା କରିଥିଲେ । ସେମାନଙ୍କ ଲକ୍ଷ୍ୟହୀନ ବୋଲିଂରୁ ପୂରା ଫାଇଦା ଉଠାଇଥିଲା ଘରୋଇ ଦଳ ।

କୁଶାଲ ମେଣ୍ଡିସ ଏହି ସଫଳ ପ୍ରତ୍ୟାବର୍ତ୍ତନର ପ୍ରମୁଖ ବିନ୍ଧାଣି ଥିଲେ
ପ୍ରାରମ୍ଭିକ ଝଟକାକୁ ସଫଳତାର ସହ ପ୍ରତିହତ କରି ତିନିଟି ଅର୍ଦ୍ଧଶତକ ବଳରେ ୨୨୫/୫ର ବଡ ସ୍କୋର କରି ନେଇଥିଲା । କୁଶାଲ ମେଣ୍ଡିସ ଏହି ସଫଳ ପ୍ରତ୍ୟାବର୍ତ୍ତନର ପ୍ରମୁଖ ବିନ୍ଧାଣି ଥିଲେ । ତାଙ୍କ ସହ ଯୁବ ତାରକା ପବନ ରତ୍ନାଏକ୍ ଏବଂ ଅଧିନାୟକ ଦାସୁନ ସନକା ଉପଯୋଗୀ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ତିନିଜଣ ଯାକ ଯଥାକ୍ରମେ ୩୯, ୨୪ ଓ ୧୯ ବଲ୍‌ରୁ ଅର୍ଦ୍ଧଶତକ ଛୁଇଁଥିଲେ । ଶେଷ ଆଡକୁ କାମିନ୍ଦୁ ମେଣ୍ଡିସ୍ ମାତ୍ର ୭ ବଲ୍‌ରୁ ୧୯ ରନ୍‌ର ଅପରାଜିତ ପାଳି ଖେଳିଥିଲେ । ପ୍ରତିପକ୍ଷ ଦଳର ଜିତେନ ରାମନନ୍ଦୀ ସର୍ବାଧିକ ୨ ୱିକେଟ୍ କରାୟତ୍ତ କରିଥିଲେ । ଜବାବରେ ଓମାନର ପଶ୍ଚାତଧାବନ ଥିଲା ଅତ୍ୟନ୍ତ ବିପର୍ଯ୍ୟୟ ଭରା । ଏହି ଦଳର ପ୍ରଥମ ତିନି ବ୍ୟାଟର୍ ଏକ ଅଙ୍କରେ ସୀମିତ ରହିଥିଲେ ।

ମ୍ୟାଚ୍‌ର ମୋଡ ବଦଳାଇବା ଭଳି ଭାଗୀଦାର ଲାଗି ଓମାନ ବ୍ୟାଟର୍‌ମାନେ ବରାବର ଯୁଝିଥିଲେ । ହେଲେ ଏଥିରେ ଟିକିଏ ହେଲେ ବି ସଫଳ ହୋଇ ନଥିଲେ । କେବଳ ମହମ୍ମଦ ନଦୀମ ଅର୍ଦ୍ଧଶତକୀୟ ପାଳି ଖେଳି କିଛିଟା ବ୍ୟକ୍ତିଗତ ଚମକ ଛାଡିଥିଲେ । ୱାସିମ ଅଲୀ ଦ୍ୱିତୀୟ ସର୍ବାଧିକ ୨୭ ରନ୍ କରିଥିଲେ । ଅନ୍ୟମାନେ ପୂରା ନିରାଶ କରିଥିଲେ । ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ଓମାନ ୯ ୱିକେଟ୍ ହରାଇ ମାତ୍ର ୧୨୦ ରନ୍ ହିଁ କରିପାରିଥିଲା । ଧୂଆଁଧାର ପାଳି ପାଇଁ ଉତ୍ନଏକ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।


Reporterspen