ଭୁବନେଶ୍ୱର (ରିପୋଟର୍ସ ପେନ୍) : ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଉଦିତ ପ୍ରଧାନଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ବିରୋଧରେ ଯୁବତୀଙ୍କୁ ମୃଦୁ ପାନୀୟରେ ନିଶା ଦ୍ରବ୍ୟ ପିଆଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ କମିଶନରେଟ ପୋଲିସ ଜୋନ ୫ ଏସିପି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅଭିଯୋଗ ଆଧାରରେ ମେଂଚଶ୍ୱର ଥାନା ପୋଲିସ ସୋମବାର ତାଙ୍କୁ ଗିରଫ କରିଛି । ଘଟଣା ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଗିରଫଦାରୀ ପରେ ଉଦିତଙ୍କୁ ନ୍ୟାସନାଲ ଷ୍ଟୁଡେଂଟ ୟୁନିୟନ ଅଫ ଇଣ୍ଡିଆ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି ।
ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ କୁହାଯାଇଛି, ଦୁଷ୍କର୍ମ ଶିକାର ହୋଇଥିବା ଯୁବତୀ ଜଣକ ରବିବାର ସନ୍ଧ୍ୟାରେ ମେଂଚଶ୍ୱର ଥାନାରେ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗରେ ସେ ଦର୍ଶାଇଥିଲେ, ମାର୍ଚ୍ଚ ୧୮ ତାରିଖ ଦିନ ତାଙ୍କର ଜଣେ ପୁଅ ସାଙ୍ଗ ଏବଂ ଜଣେ ଝିଅ ସାଙ୍ଗ ବୁଲିବାକୁ ଡାକିଥିଲେ । ସମସ୍ତେ ୪ ଚକିଆ ଗାଡିରେ ବୁଲିବାକୁ ଯାଇଥିଲେ । ମାଷ୍ଟରକ୍ୟାଂଟିନ ପାଖରେ ଅନ୍ୟ ଜଣେ ଯୁବକ ଉଠିଥିଲେ । ଯୁବତୀ ଜଣକ ତାଙ୍କୁ ଚିହ୍ନି ନ ଥିଲେ ହେଁ ପରେ ସେ ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଉଦିତ ପ୍ରଧାନ ବୋଲି ଜାଣିଥିଲେ ।
ଅଭିଯୋଗକାରିଣୀଙ୍କ ଅଭିଯୋଗ ଅନୁଯାୟୀ, ସମସ୍ତେ ମେଂଚଶ୍ୱର ଅଂଚଳରେ ଥିବା ଏକ ହୋଟେଲକୁ ଯାଇଥିଲେ । ସେଠାରେ ଅନ୍ୟମାନେ ମଦ୍ୟପାନ କରିଥିଲେ । ସେ ମଦ୍ୟପାନ ନ କରିବାରୁ ଉଦିତ ପ୍ରଧାନ ତାଙ୍କୁ ଏକ କୋଲ୍ଡ ଡ୍ରିଙ୍କ୍ସ ଆଣି ଦେଇଥିଲେ । କୋଲ୍ଡ ଡ୍ରିଙ୍କ୍ସ ପିଇବା ପରେ ସେ ଆଶ୍ୱସ୍ତି ଅନୁଭବ କଲେ । ଘରକୁ ଫେରିବାକୁ ଚାହିଁଲେ ବି ସେ ଫେରି ପାରି ନଥିଲେ । ଏହା ପରେ ସେ କିଛି ଜାଣି ପାରି ନଥିଲେ । ହୋସ ଫେରିବା ପରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ସେ ଜାଣି ପାରିଥିଲେ । ତାଙ୍କ ପାଖରେ ଉଦିତ୍ ମଧ୍ୟ ଶୋଇଥିଲେ ।
ଏହା ପରେ ଉଦିତ ତାଙ୍କୁ ଗାଳି ଗୁଲଜ କରିବା ସହ ପୋଲିସରେ ନ କହିବାକୁ ଧମକ ଦେଇଥିଲେ । ତେଣୁ ସେ ଭୟରେ ପୋଲିସରେ ଅଭିଯୋଗ ଆଣି ନଥିଲେ । ହେଲେ ଏବେ ମହିଳାଙ୍କ ସୁରକ୍ଷାକୁ ନେଇ ଏତେ ଘଟଣା ସାମ୍ନାକୁ ଆସିବା ପରେ ସେ ପୋଲିସ ନିକଟକୁ ଆସିବା ପାଇଁ ସାହସ କରି ପାରିଛନ୍ତି ବୋଲି ଏତଲାରେ ଦର୍ଶାଇଛନ୍ତି । ଅଭିଯୋଗ ପାଇବା ପରେ ଉଦିତ ପ୍ରଧାନଙ୍କ ବିରୋଧରେ ମେଂଚଶ୍ୱର ଥାନାରେ ଏକ ମାମଲା (ନଂ-୪୧୯) ରୁଜୁ ହୋଇଛି ।
କଂଗ୍ରେସ ଗଠନ କଲା ଟିମ୍:
ଅନ୍ୟ ପକ୍ଷେ ଓଡିଶା ପ୍ରଦେଶ କମିଟି ପକ୍ଷରୁ ଏହି ପକ୍ଷରୁ ଏହାକୁ ଗୁରୁତର ସହ ବିଚାର କରାଯାଉଛି । ଘଟଣା ସଂପର୍କରେ ଅନୁଧ୍ୟାନ କରିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ୬ଜଣିଆ ମହିଳା ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ପିସିସି ଉପ ସଭାପତି ସସ୍ମିତା ବେହେରାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବିଧାୟିକା ସୋଫିଆ ଫିର୍ଦୋଶ, ପିସିସି ସଂପାଦିକା ଡ଼.ଦେବସ୍ମିତା ଶର୍ମା, ସୋନାଲି ସାହୁ, ପିସିସି ମୁଖପାତ୍ର ଜୟଶ୍ରୀ ପାତ୍ର, ପିସିସି ମୁଖପାତ୍ର ଡ଼. ମନୀଷା ଦାସ ପଟ୍ଟନାୟକ ସଦସ୍ୟା ଅଛନ୍ତି । ଏହି କମିଟି ଅଭିଯୋଗକାରିଣୀଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିବା ପରେ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦାନ କରିବାକୁ ପିସିସି ସଭାପତି ନିଦେ୍ର୍ଦଶ ଦେଇଛନ୍ତି ।
‘ଝିଅ ପାଇଁ ଲଢେଇ କରିବୁ’
ଅନ୍ୟପକ୍ଷେ କମିଟି ସଦସ୍ୟା ସୋନାଲି ସାହୁ କହିଛନ୍ତି, ‘ଦଳ ଜିରୋ ଟଲରାନ୍ସ ନୀତି ଆପଣେଇଛି । ଉଦିତଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୪ ମାସ ତଳେ ଘଟିଥିବା ଘଟଣାର ଆଜି କାହିଁକି ଏତଲା କରାଗଲା ତାହା ଏବେ ସଭିଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭିବିପିର ମୃତ ଛାତ୍ରୀଙ୍କ ପାଇଁ ଆମେ ଯେଉଁ ପଦକ୍ଷେପ ନେଇଥିଲୁ ଏଠି ମଧ୍ୟ ସମାନ ପଦକ୍ଷେପ ନେବୁ ବୋଲି କହିଛନ୍ତି କମିଟି ସଦସ୍ୟା । ’
ସେ କହିଛନ୍ତି, ଏ ଝିଅ ମଧ୍ୟ ଆମ ଝିଅ । ଏଣୁ ସମାନ ଭାବରେ ୟାଙ୍କ ପାଇଁ ଲଢେଇ କରିବୁ । ଝିଅ ଏବଂ ମହିଳାଙ୍କ କ୍ଷେତ୍ରରେ ଅବହେଳାର ପ୍ରଶ୍ନ ଉଠୁନାହିଁ । ସେ ଦଳ ହେଉ କି ଦଳ ବାହାରେ ହେଉ ଆମେ ସବୁବେଳେ ଝିଅ-ମହିଳାଙ୍କ ସପକ୍ଷରେ ରହିଛୁ । କଂଗ୍ରେସ ପକ୍ଷରୁ ଆହୁରି କୁହାଯାଇଛି, ସାଧାରଣତଃ ଏତଲା କପିରେ ଠିକଣା ରୁହେ । ହେଲେ ଏ କପିରେ ଝିଅର କୌଣସି ଠିକଣା ନାହିଁ । ଯାହା ସନେ୍ଦହକୁ ଅଧିକ ଦୃଢୀଭୂତ କରୁଛି । ରାଜନୈତିକ ଦଳ ଭାବେ ଝିଅକୁ ଭେଟିବା ଆମର ଉତର ଦାୟିତ୍ୱ ରହିଛି । ବାସ୍ତବରେ ଝିଅ ସାଙ୍ଗରେ କଣ ହେଇଛି ଜାଣିବା ପାଇଁ ଥାନାକୁ ଯାଇ ଆମେ ବୁଝିବୁ । ରାଜନୈତିକ ଅଭିସନ୍ଧି ରଖି ଏହା କରାଯାଇଛି କି ନାହିଁ ସେ ନେଇ ସନେ୍ଦହ ସୃଷ୍ଟି ହେଲେ ବି ନୈତିକତା ଦୃଷ୍ଟିରୁ ଆକ୍ସନ ହୋଇଛି । କମିଟି ତା କାମ ସରିବା ପରେ ମତ ରଖିବ ବୋଲି ସଦସ୍ୟା ସୋନାଲି ସାହୁ କହିଛନ୍ତି ।
ଉଦିତଙ୍କ ନାଁ ଅଛି ଥାନାରେ ୧୦ରୁ ଅଧିକ ମାମଲା:
ଉଦିତଙ୍କ ନାଁରେ ପୂର୍ବରୁ ଭୁବନେଶ୍ୱରର ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି । ଗତ ଫେବ୍ରୁଆରୀ ୧ ତାରିଖରେ ଉଦିତ ଓ ଅନ୍ୟମାନେ ମିଳିତ ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍) ମୁଖ୍ୟ ମୋହନ ଭାଗବତଙ୍କ କାରକେଡ୍କୁ ଅଟକେଇବାକୁ ଚେଷ୍ଟା କରିଥିଲେ । କାରକେଡ୍ ସାମ୍ନାରେ କଳା ପତାକା ଦେଖାଇ ହୋ ହଲ୍ଲା କରିବା ସହ କାର୍ଯ୍ୟରତ ଜଣେ ସବ-ଇନ୍ସପେକ୍ଟରଙ୍କୁ ମାଡ଼ ମାରିଥିଲେ । ମେଂଚଶ୍ୱର ଥାନା ପୋଲିସ ତାଙ୍କୁ ଗିରଫ କରିଥିଲା ।