ନୂଆଦିଲ୍ଲୀ, ୧୨ ।୦୨: ଟି-୨୦ ପୁରୁଷ ବିଶ୍ୱକପ୍-୨୦୨୬ରେ ଭାରତ ନିଜର ଦ୍ୱିତୀୟ ମ୍ୟାଚ୍ରେ ଗୁରୁବାର ଦମଦାର ପ୍ରଦର୍ଶନ କରିଛି । ସ୍ଥାନୀୟ ଅରୁଣ ଜେଟ୍ଲି ଷ୍ଟାଡିୟମରେ ସୂର୍ଯ୍ୟକୁମାରଙ୍କ ବାହିନୀ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ନିଜର ଦକ୍ଷତା ଦେଖାଇଛି ଏବଂ ନାମିବ୍ୟା ବିପକ୍ଷରେ ୯୩ ରନ୍ରେ ବିଜୟ ହାସଲ କରିଛି । ୨୧୦ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ନାମିବ୍ୟା ୧୮.୨ ଓଭରରେ ୧୧୬ ରନ୍ ସଂଗ୍ରହ କରିଛି । ଭାରତର ବରୁଣ ଚକ୍ରବର୍ତ୍ତୀ ୨ ଓଭର ବୋଲିଂ କରିଥିଲେ । ସେ ୭ରନ୍ ଖର୍ଚ୍ଚ କରି ୩ଟି ୱିକେଟ୍ ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲଙ୍କୁ ୨ଟି ଲେଖାଏଁ ୱିକେଟ୍ ମିଳିଥିଲା ।
ଚଳିତ ଆଇସିସି ଟି-୨୦ ବିଶ୍ୱକପ୍ରେ ଭାରତ ଦ୍ୱିତୀୟ ବିଜୟ ସହ ଗ୍ରୁପ୍ ‘ଏ’ର ଶୀର୍ଷ ସ୍ଥାନକୁ ଫେରିଛି । ଗୁରୁବାର ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତୀୟ ଦଳ ୯୩ ରନ୍ର ବଡ ବ୍ୟବଧାନରେ ନାମିବ୍ୟାକୁ ପରାସ୍ତ କରିଛି । ଈଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୂଆଁଧାର ଅର୍ଦ୍ଧଶତକ ପରେ ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲଙ୍କ ସ୍ପିନ୍ କମାଲ୍ ଭାରତକୁ ଏକପାଖିଆ ବିଜୟ ଦେଇଛି । ଭାରତର ୨୦୯ ରନ୍ ଜବାବରେ ନାମିବ୍ୟା ୧୦ ବଲ୍ ପୂର୍ବରୁ ୧୧୬ ରନ୍?ରେ ଅଟକିଯାଇଥିଲା । ଭାରତ ନିଜ ପରବର୍ତ୍ତୀ ମ୍ୟାଚ୍ ରବିବାର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଖେଳିବ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଭାରତ ପାଇଁ ଈଶାନ କିଶନ ଓ ସଂଜୁ ସାମ୍ସନ୍ ପାଳି ଆରମ୍ଭ କରିଥିଲେ । ଅସୁସ୍ଥ ଅଭିଷେକଙ୍କ ବଦଳରେ ସ୍ଥାନ ପାଇଥିବା ସଂଜୁ ଧୂଆଁଧାର ଆରମ୍ଭ କରିଥିଲେ ମଧ୍ୟ ଲମ୍ବା ପାଳି ଖେଳିପାରି ନଥିଲେ । ତାଙ୍କ ପାଳି ୮ ବଲ୍ ୨୨ ରନ୍ରେ ଶେଷ ହୋଇଯାଇଥିଲା । ଏହା ମଧ୍ୟରେ ସେ ୩ ଛକା ବି ମାରିଥିଲେ । ଏହା ପରେ ତିଳକ ବର୍ମା (୨୧ ବଲ୍ରୁ ୨୫ ରନ୍) ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୧୩ ବଲ୍ରୁ ୧୨ ରନ୍) ବିଶେଷ ପ୍ରଭାବ ଛାଡିପାରି ନଥିଲେ । ଈଶାନ କିନ୍ତୁ ତାଙ୍କ ପାରମ୍ପରିକ ବ୍ୟାଟିଂ ଜାରି ରଖି ୨୦ ବଲ୍ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ । ପାୱାର ପ୍ଲେ ଭିତରେ ସେ ଏହି ଲକ୍ଷ୍ୟରେ ପହଞ୍ଚିବା ସହ ଭାରତକୁ ୮୫/୧ରେ ରଖିଥିଲେ ।
ୟୋନାଥନ ସ୍ମିଟ୍ ବୋଲିଂ କରିଥିବା ଷଷ୍ଠ ଓଭରରେ ଈଶାନ ୪ କ୍ରମାଗତ ଛକା ମାରି ୨୮ ରନ୍ ଆଦାୟ କରିବା ଉଲ୍ଲେଖନୀୟ ଥିଲା । ଏହା ପରେ ଅବଶ୍ୟ ଈଶାନ (୨୪ ବଲ୍ରୁ ୬୧ ରନ୍, ୬ ଚୌକା, ୫ ଛକା) ବିଶେଷ ଆଗକୁ ବଢିପାରି ନଥିଲେ । ଭାରତ ପାଳିକୁ କିନ୍ତୁ ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା (୨୮ ବଲ୍ରୁ ୫୨ ରନ୍, ୪ ଚୌକା, ୪ ଛକା) ଏବଂ ଶିବମ ଦୁବେ (୧୬ ବଲ୍ରୁ ୨୩ ରନ୍) ସମ୍ଭାଳି ନେଇଥିଲେ । ତଥାପି ଭାରତ ଶେଷ ୨ ଓଭରରେ ମାତ୍ର ୧୦ ରନ୍ ଯୋଡି ୫ ୱିକେଟ୍ ହରାଇବା ପ୍ରଶଂସକଙ୍କୁ ନିରାଶ କରିଥିଲା । ଗେରାଡ୍ ଏରାସମସ୍ (୪-୦-୨୦-୪) ପ୍ରଶଂସନୀୟ ବୋଲିଂ କରିବା ନାମିବ୍ୟା ପାଇଁ ଏକମାତ୍ର ସକରାତ୍ମକ ଦିଗ ଥିଲା ।
ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୨୦୯/୯ (ଈଶାନ କିଶନ-୬୧, ହାର୍ଦ୍ଦିକ ପାଣ୍ଡ୍ୟା-୫୨, ତିଳକ ବର୍ମା-୨୫, ଗେରାଡ୍ ଏରାସ୍ମସ୍-୪/୨୦) । ନାମିବ୍ୟା ୧୮.୨ ଓଭରରେ ୧୧୬/୧୦ (ଲେରେନ୍ ଷ୍ଟିନ୍କେମ୍ପ୍-୨୯, ବରୁଣ ଚକ୍ରବର୍ତ୍ତୀ-୩/୭, ଅକ୍ଷର ପଟେଲ୍-୨/୨୦, ହାର୍ଦ୍ଦିକ ପାଣ୍ଡ୍ୟା-୨/୨୧, ଶିବମ ଦୁବେ-୧/୧୧, ଯଶପ୍ରୀତ୍ ବୁମ୍ରା-୧/୨୦, ଅର୍ଶଦୀପ ସିଂହ-୧/୩୬) ।

