terror attack: ମୁଖ୍ୟ ବିରୋଧୀ ଦଳ କଂଗ୍ରେସ କହିଛି ଯେ ଆତଙ୍କବାଦ ବିରୋଧରେ ପ୍ରତ୍ୟେକ ପଦକ୍ଷେପରେ ସେ ସରକାରଙ୍କ ସହିତ ଅଛି। ସରକାରଙ୍କ ଦ୍ୱାରା ଡକାଯାଇଥିବା ସର୍ବଦଳୀୟ ବୈଠକ ପରେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ତାଙ୍କ ଦଳ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ସମସ୍ତ ପଦକ୍ଷେପ ଏବଂ ସମସ୍ତ ପ୍ରକାରର ଆକ୍ସନକୁ ସମର୍ଥନ କରିବ। ରାହୁଲ ଗାନ୍ଧୀ କହିଛନ୍ତି, “ସର୍ବଦଳୀୟ ବୈଠକରେ ସମସ୍ତେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି। ବିରୋଧୀ ଦଳ ସରକାରଙ୍କୁ ଯେକୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି।”
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି, “ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ସମସ୍ତ ଦଳ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲେ। ଆମେ କହିଥିଲୁ ଯେ ଜମ୍ମୁ ଏବଂ କାଶ୍ମୀରରେ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରାଯିବା ଉଚିତ।” ଆପ ନେତା ସଞ୍ଜୟ ସିଂହ କହିଛନ୍ତି ଯେ ସମସ୍ତ ଦଳ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ଦାବି କରିଥିଲେ।
ବୈଠକରେ ସୁରକ୍ଷା ତ୍ରୁଟି ବିଷୟରେ ମଧ୍ୟ ହୋଇଥିଲା ଆଲୋଚନା
ତୃଣମୂଳ କଂଗ୍ରେସର ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି ଯେ ଏହି ବୈଠକରେ ସୁରକ୍ଷା ତ୍ରୁଟି ବିଷୟରେ ଆଲୋଚନା କରାଯାଇଥିଲା। ସେ କହିଛନ୍ତି ଯେ ଆତଙ୍କବାଦ ମୁକାବିଲାରେ ସମସ୍ତ ଦଳ ସରକାରଙ୍କ ସହିତ ଅଛନ୍ତି। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ସରକାର ସମସ୍ତ ଦଳର ନେତାମାନଙ୍କୁ ଆତଙ୍କବାଦ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଆଶ୍ୱାସନା ଦେଇଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ପହଲଗାମ ଆକ୍ରମଣ ସମ୍ପର୍କରେ ସମସ୍ତ ରାଜନୈତିକ ଦଳକୁ ବିସ୍ତୃତ ସୂଚନା ଦେବା ପାଇଁ ସରକାରଙ୍କ ଦ୍ୱାରା ଏକ ସର୍ବଦଳୀୟ ବୈଠକ ଡାକିଥିଲେ।
ବୈଠକରେ କିଏ କିଏ ହୋଇଥିଲେ ସାମିଲ?
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ତାଙ୍କ ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏବଂ ଭାରତୀୟ ଜନତା ପାର୍ଟି ସଭାପତି ଜଗତ ପ୍ରକାଶ ନଡ୍ଡା ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଏହା ସମେତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ, ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟିର ରାମ ଗୋପାଳ ଯାଦବ, ଆମ୍ ଆଦମୀ ପାର୍ଟିର ସଞ୍ଜୟ ସିଂ, ଜାତୀୟତାବାଦୀ କଂଗ୍ରେସ ଶରଦ ସୁପ୍ରିଆ ସୁଲେ, ତୃଣମୁଳ କଂଗ୍ରେସର ସୁଦୀପ ବାନ୍ଦୋପାଧ୍ୟାୟ, ଆରଜେଡି ପ୍ରେମଚାନ୍ଦ ଗୁପ୍ତା ଉପସ୍ଥିତ ଥିଲେ। ବୈଠକରେ ଗୃହ ସଚିବ ଗୋବିନ୍ଦ ମୋହନ ଏବଂ ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ ତପନ ଡେକା ମଧ୍ୟ ଉପସ୍ଥିତ ଥିଲେ।