ଜିଲ୍ଲାପାଳଙ୍କୁ ଅବଗତ କଲା ବାଙ୍କୁଆଳ ଗ୍ରାମ୍ୟ କମିଟି ଓଏକାମ୍ରକ୍ଷେତ୍ର ବାଲିଯାତ୍ରା ମହୋତ୍ସବ କମିଟି
ଭୁବନେଶ୍ୱର, (ରିପୋଟର୍ସ ପେନ୍) : ରାଜଧାନୀ ଭୁବନେଶ୍ୱର ଦିନକୁ ଦିନ ବ୍ୟାପକ ହେଉଥିବା ବେଳେ ଉପକଣ୍ଠରେ ନୂଆ ସହର ଗଢିବାକୁ ଯାଉଛି । ଏହିକ୍ରମରେ ଭୁବନେଶ୍ୱର ସହରକୁ ସଂଲଗ୍ନ କରୁଥିବା ଟଙ୍କପାଣି ରାସ୍ତାରେ ଯାତାୟତ ପାଇଁ ସହର ପଟୁଆ ଥିବାରୁ ପ୍ରତିଦିନ କଟକ, ଜଗତସିଂହପୁର ନିଆଳି, ନିମାପଡ଼ା ଅଡସପୁର, ଠାରୁ ଆରମ୍ଭ କରି ଜୟଦେବ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗ୍ରାମର ଲୋକମାନେ ଯାତାୟତ କରୁଛନ୍ତି । ଏଥିସହିତ ଗାଡିମୋଟର, ଭାରୀଯାନ ଓ ସ୍କୁଲ ବସ ମଧ୍ୟ ଯିବା ଆସିବା କରୁଛି । ଏହା ବ୍ୟତୀତ ଏହି ରାସ୍ତାରେ ଅନେକ ବିବାହ ମଣ୍ଡପ ଶିକ୍ଷାନୁଷ୍ଠାନ, ସାଇ ମନ୍ଦିର ଥିବାରୁ ଦିନକୁ ଦିନ ଜନଗହଳି ବଢିବାରେ ଲାଗିଛି । ଏପରିକି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସେଠାରେ ଟ୍ରାଫିକ ସମସ୍ୟା ପୋଲିସ ପାଇଁ ଚିନ୍ତାର କାରଣ ସାଜୁଛି ।
କିନ୍ତୁ ବର୍ତ୍ତମାନ ଦେଖିବାକୁ ମିଳୁଛି, ପୁରୀ ବାଇପାସ୍ ସାଇମନ୍ଦିର ଛକ ଠାରୁ ଟଙ୍କପାଣି ବ୍ରିଜ୍ ପର୍ଯ୍ୟନ୍ତ ଭିତରେ ଏକ ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଯୋଜନା କରାଯାଉଛି । ଯଦି ସେଠାରେ ମଦ ଦୋକାନ ଖୋଲେ, ତେବେ ଲୋକମାନେ ମଦ ଦୋକାନରୁ ମଦ କିଣିବା ପାଇଁ ମୁଖ୍ୟ ରାସ୍ତାରେ ନିଜର ଯାନବାହନ ରଖିବେ ଓ ରାସ୍ତାକଡରେ ମଦ୍ୟପାନ କରିବେ । ଏହାଦ୍ୱାରା ଅନେକ ସମୟରେ ବିଶୃଙ୍ଖଳା ସୃଷ୍ଟି ହେବା ସହ ଅପରାଧୀକ କାର୍ଯ୍ୟ ଘଟିବା ସମ୍ଭାବନା ରହିଛି । ଏପରିକି ବହୁ ସମୟରେ ଗହଳି ଯୋଗୁଁ ଦୁର୍ଘଟଣା ଘଟି ଅନେକ ନିରିହ ଜୀବନ ଅକାଳରେର ଚାଲିଯିବ ।
ଏଣୁ ଏଠାରେ ମଦ ଦୋକାନ ଖୋଲିବାକୁ ଅନୁମତି ନଦେବାକୁ ବାଙ୍କୁଆଳ ଗ୍ରାମ୍ୟ କମିଟି ଓ ଏକାମ୍ରକ୍ଷେତ୍ର ବାଲିଯାତ୍ରା ମହୋତ୍ସବ କମିଟି ଦାବି କରିଛି । ଏନେଇ ଶତାଧିକ ଲୋକ ସ୍ୱାକ୍ଷରିତ ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଉର୍ଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଯଦି ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ନଦିଅନ୍ତି, ତେବେ ଆଗାମୀ ଦିନରେ ଜନଆନ୍ଦୋଳନ ମୁଣ୍ଡ ଟେକିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।

