Srimayee Mishra suspended from BJD: ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ) : ଦଳରେ ରହି ବିରୋଧୀ ବୟାନ ଦେବା ଶ୍ରୀମୟୀ ମିଶ୍ରଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି । ବିଜେଡି ମହିଳା ବ୍ୟାପାର ସାଧାରଣ ସଂପାଦକ ଶ୍ରୀମୟୀ ମିଶ୍ରଙ୍କୁ (ବିଜେଡି) ଆଜି ନିଲମ୍ବନ କରିଛି । ବିଜେଡି ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଏହା କୁହାଯାଇଛି । ବିଜେଡି ଉପସଭାପତି ପ୍ରତାପ ଜେନା ଏହା ସ୍ପଷ୍ଟ କରିଛନ୍ତି । ବିଜଡେି ଆଜି ଶ୍ରୀମୟୀ ମିଶ୍ରଙ୍କ ସମେତ ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ସଭାପତି ସୁବାଷ ଚନ୍ଦ୍ର ସାୟ ଓ ମୟୂରଭଂଜର ପୂର୍ବତନ ଜିଲ୍ଲା ସଂପାଦକ ପ୍ରବୀର ଚନ୍ଦ ସାଇଙ୍କୁ ନିଲମ୍ବନ କରିଛି ।
ସୂଚନାଯୋଗ୍ୟ, ଶ୍ରୀମୟୀ ମିଶ୍ର ଗୋଟିଏ ପରେ ଗୋଟିଏ ସୋସିଆଲ ମିଡ଼ିଆ ପୋଷ୍ଟ କରି ରାଜନୀତି ମହଲରେ ବିସ୍ଫୋରଣ କରିବାରେ ଲାଗିପଡିଥିଲେ । କିଛିଦିନ ତଳେ ଧୃତରାଷ୍ଟ୍ର ଓ ସନ୍ୟାସୀ ଉପାଖ୍ୟାନକୁ ନେଇ ଲେଖିଥିବା ଶ୍ରୀମୟୀ ଗତ ୨୦ ତାରିଖ ଦିନ ନାରୀଙ୍କୁ ସମ୍ମାନ ଓ ସହିବାର ସୀମା ବାବଦରେ ଉଲ୍ଲେଖ କରିଥିଲେ । ଦୁର୍ଗାପୂଜା ଓ ମା’ ଦୁର୍ଗାଙ୍କ ଆଗମନ ନେଇ ଶ୍ରୀମୟୀଙ୍କ ଏହି ବାର୍ତାରେ ସେ ଉଲ୍ଲେଖ କରିଥିଲେ ଯେ, ‘ଆମ ସଂସ୍କୃତିରେ ଯେଉଁ ସ୍ଥାନରେ ନାରୀମାନେ ସମ୍ମାନିତ ହୁଅନ୍ତି, ସେଠାରେ ଦେବତାମାନେ ଆନନ୍ଦରେ ବାସ କରନ୍ତି । କିନ୍ତୁ ଯେଉଁଠାରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ ନାହିଁ, ସେଠାରେ ସମସ୍ତ କାର୍ଯ୍ୟ ନିଷ୍ଫଳ ହୁଏ ।
ଏହି ଶ୍ଲୋକ ନାରୀର ସମ୍ମାନ ଓ ମର୍ଯ୍ୟାଦାର ମହତ୍ୱକୁ ଦର୍ଶାଏ । ଓଡିଶାର ସାଂସ୍କୃତିକ ପରଂପରାରେ ମଧ୍ୟ ନାରୀଙ୍କୁ ମା’, ଦେବୀ ଓ ଶକ୍ତି ରୂପେ ପୂଜା କରାଯାଏ, ଯେପରି ଦୁର୍ଗା ପୂଜାରେ ମା’ ଦୁର୍ଗାଙ୍କୁ ଆରାଧନା କରାଯାଇଥାଏ । ବାସ୍ତବରେ ମହିଳା ସହନଶୀଳ ହୋଇଥାନ୍ତି । କିନ୍ତୁ କ’ଣ ଏହା ଜରୁରୀ ଯେ ପ୍ରତ୍ୟେକ ପରିସ୍ଥିତିରେ ସେମାନଙ୍କ ସହନଶୀଳତାର ପରୀକ୍ଷା ନିଆଯିବ? ମା’ ଦୁର୍ଗାଙ୍କ ଆଗମନ ନାରୀ ଶକ୍ତିର ଜୟଗାନ ଓ ଅନ୍ୟାୟର ବିରୋଧରେ ସଂଘର୍ଷର ପ୍ରତୀକ । ଏହା ଆମକୁ ଶିକ୍ଷା ଦେଇଥାଏ ଯେ ନାରୀଙ୍କ ଉପରେ ଅତ୍ୟାଚାର କେବେ ସହ୍ୟ କରାଯିବା ଉଚିତ ନୁହେଁ, ଏବଂ ସେମାନଙ୍କ ସମ୍ମାନ ଓ ସଶକ୍ତୀକରଣ ପାଇଁ ସମାଜ ସବୁବେଳେ ଆଗେଇ ଆସିବା ଦରକାର’ ।
ଉଲ୍ଲେଖ ଥାଉ କି କିଛିଦିନ ତଳେ ଶ୍ରୀମୟୀ ଫେସବୁକରେ ଲେଖିଥିଲେ ଯେ ସଂସାରର ସମସ୍ତ ସୁଖ ସମ୍ଭୋଗ ଠୁଁ ଦୁରେଇ ରହିବା ବା ସମସ୍ତ ମୋହ ମାୟା ପ୍ରତି ଦୁର୍ବଳତା ନ ରଖିବା ବ୍ୟକ୍ତି ବିଶେଷଙ୍କୁ ସମାଜ ସନ୍ନ୍ୟାସୀ ରୂପେ ଗ୍ରହଣ କରେ । କିନ୍ତୁ ଏଥିରେ ସନ୍ଦେହ କିମ୍ୱା ବ୍ୟତିକ୍ରମ ହେଲେ ସମାଜ ଭଣ୍ଡ ସନ୍ନ୍ୟାସୀ ର ରୂପ ଦେବାକୁ ତିଳେ ମାତ୍ର ପଛଘୁଞ୍ଚା ଦେଇନାହିଁ । ବର୍ତମାନ ଆମସମାଜରେ ଏହିପରି ଆମେ ଅନେକ ଗୁଡ଼ିଏ ଘଟଣା ଶୁଣୁଛେ କିମ୍ୱା ଦେଖୁଛେ, ଯେଉଁମାନେ ସନ୍ନ୍ୟାସ କହି ସମସ୍ତ ସୁଖ ସ୍ୱ ।ଛନ୍ଦ୍ୟ ପ୍ରତି ଲାଳାୟିତ ରହୁଛନ୍ତି । ପରମୁହୁର୍ତ ରେ ଏକ ଭଣ୍ଡ ସନ୍ନ୍ୟାସର ଆଖ୍ୟାରେ ପରିଚୟ ପାଇ ଶିରୋନାମା ମଣ୍ଡନ କରୁଛନ୍ତି ।
ସନ୍ଥ, ସନ୍ନ୍ୟାସୀମାନେ ଜ୍ଞାନ, ତ୍ୟାଗ ଓ ଭକ୍ତିର ନିଦର୍ଶନ ଦିଅନ୍ତି,ତାଙ୍କ ଜ୍ଞାନର ଆଲୋକ ଆମ ଜାତିର ଗୌରବ, ଯାହା ଅନ୍ଧକାର ମନରେ ଆଲୋକ ଉତ୍ସ ଭଳି । ବୃକ୍ଷତଳେ ବସି, ନଦୀର କୂଳେ ଧ୍ୟାନମଗ୍ନ ହୋଇ, ଶୂନ୍ୟରୁ ସମସ୍ତ ସୃଷ୍ଟିର ରହସ୍ୟ ଦେଖନ୍ତି, ଆଉ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି । ହେଲେ ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ “ଜଗତେ ପଛେ ନର୍କେ ପଡ଼ିଥାଉ, ମୋ ଜୀବନ ଉଦ୍ଧାର ହଉ” । ଏବେ ମଧ୍ୟ କଛି ସନ୍ନ୍ୟାସୀ ଜନମଙ୍ଗଳକରି ଭାବନା ନେଇ ତପସ୍ୟା କରିଛନ୍ତି, ହେଲେ ଆଉ କିଛି ଜଗନ୍ନାଥଙ୍କ ନାମ ନେ଼ଇ ଅନ୍ୟ ପାଇଁ ଗାତ ଖୋଲିବାକୁ ଯାଇ, ନିଜେ ଗାତରେ ପଡ଼ୁଛନ୍ତି । ପୂର୍ବରୁ ପରୋକ୍ଷରେ ଦଳର ମୁଖିଆଙ୍କୁ କଟାକ୍ଷ କରିଥିବା ପରେ ବି ଚୁପ୍ ବସିନାହାନ୍ତି ଶ୍ରୀମୟୀ । ଏବେ ଏହାକୁ ନେଇ ବିଜେଡି କିଭଳି ପ୍ରତିକ୍ରିୟାଶୀଳ ହେଉଛି ଏବଂ ତାଙ୍କୁ ଦଳରୁ ନିଲମ୍ବିତ କରୁଛି କି ନା, ତାଉପରେ ରହିଛି ସମସ୍ତଙ୍କ ନଜର ।