Durgapur Gang Rape Case: ଏମିତି କାଣ୍ଡ ଅନ୍ୟ ରାଜ୍ୟରେ ବି ଘଟିଛି : ମମତା

Reporterspen

Durgapur Gang Rape Case: ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା ଦେଇଛନ୍ତି । ଝିଅମାନଙ୍କୁ ରାତିରେ କଲେଜ ବାହାରକୁ ଯିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି ମମତା କହିଛନ୍ତି । ରାତି ସାଢ଼େ ୧୨ ପରେ କଲେଜ ବାହାରକୁ ଯିବାର ଆବଶ୍ୟକତା ପଚାରିବା ସହ ମମତା କହିଛନ୍ତି ଯେ, ମୁଁ ଯେତିକି ଜାଣିଛି ଘଟଣାଟି ଏକ ଜଙ୍ଗଲିଆ ଅଞ୍ଚଳରେ ଘଟିଛି ଘରୋଇ ମେଡିକାଲ୍‌ କଲେଜ ଝିଅମାନଙ୍କ ଦାୟିତ୍ବ ଠିକ୍‌ ଭାବେ ନେବା ଦରକାର । ସେମାନେ ନିଜେ ମଧ୍ୟ ନିଜକୁ ସୁରକ୍ଷିତ ରଖିବା ଆବଶ୍ୟକ । ପୁଲିସ୍‌ ସମସ୍ତ ଅଭିଯୁକ୍ତଙ୍କୁ ଖୋଜୁଛନ୍ତି କୌଣସି ଦୋଷୀଙ୍କୁ ଛଡ଼ାଯିବ ନାହିଁ । ଏହିପରି ଘଟଣା ମଣିପୁର, ଉତ୍ତରପ୍ରଦେଶ, ବିହାର, ଓଡ଼ିଶାରେ ଘଟିଛି ଆମେ ମଧ୍ୟ ଭାବୁଛୁ ଯେ ସେଠାରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ବୋଲି ମମତା କହିଛନ୍ତି ।

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ୩ ଜଣଙ୍କୁ ଗିରଫ କରିଥିବା କହୁଛନ୍ତି, ମୁଖ୍ୟ ଅଭିଯୁକ୍ତ କେବେ ଗିରଫ ହେବ ବୋଲି ପ୍ରଶ୍ନ କରିଛନ୍ତି । ଏନେଇ ଆଜି ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ SPଙ୍କ ସହ ଆଲୋଚନା କରିବି ଏବଂ ପଶ୍ଚିମବଙ୍ଗ ଗସ୍ତରେ ଯାଇ ପୀଡିତାଙ୍କୁ ଭେଟିବି ବୋଲି ପ୍ରତାପ କହିଛନ୍ତି । ପଶ୍ଚିମବଙ୍ଗ ଅସାମାଜିକ ଓ ଆତଙ୍କବାଦୀଙ୍କ ଅଡ୍ଡାସ୍ଥଳ ହୋଇଯାଇଛି କେବଳ ମହିଳା ନୁହେଁ ସମସ୍ତଙ୍କ ପାଇଁ ପଶ୍ଚିମବଙ୍ଗ ଏବେ ଅସୁରକ୍ଷିତ ବୋଲି ମନ୍ତବ୍ୟ ଦେଇଛନ୍ତି ପ୍ରତାପ । ମମତା ବାନାର୍ଜୀଙ୍କୁ କଡ଼ା କାଉଣ୍ଟର କରି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି ଯେ, ଓଡ଼ିଶାରେ ଯେଉଁ ଘଟଣା ଘଟୁଛି ଓଡ଼ିଶା ସରକାର ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଉଛନ୍ତି ତେଣୁ ମମତା ବାନାର୍ଜୀଙ୍କ କଥାରୁ ଜଣାପଡୁଛି ସେ ଓଡ଼ିଶାକୁ ଟପିବା ପାଇଁ ଚାହୁଁଛନ୍ତି ।

RG କର ହସ୍ପିଟାଲ ଘଟଣାରେ ମମତା କଣ କଲେ ତାହା ସମସ୍ତେ ଜାଣିଛନ୍ତି । ବଙ୍ଗଳାରେ ପ୍ରତିଦିନ ପଲିଟିକାଲ ମର୍ଡର ହେଉଛି ତାହା ସମସ୍ତଙ୍କୁ ଜଣା । ଅନୁପ୍ରବେଶକାରୀକୁ ପ୍ରୋତ୍ସାହନ, ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଛନ୍ତି ମମତା । ତାଙ୍କ ବିଷୟରେ ଦୁନିଆ ଜାଣିଛି, ଏହି ଘଟଣାରେ ମୁଁ ନିଜେ ଯିବି । ଆମର ଦାବି ପ୍ରଥମେ ପୀଡ଼ିତାକୁ ନ୍ୟାୟ ଦିଆଯାଉ, ସବୁ ଅପରାଧୀଙ୍କୁ ଧରାଯାଉ । ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ ବୋଲି ପ୍ରତାପ ଷଡ଼ଙ୍ଗୀ ଦାବି କରିଛନ୍ତି । ଭବିଷ୍ୟତରେ ଯେପରି ଏପରି ଘଟଣା ନଘଟେ ଦୃଷ୍ଟି ଦିଆଯିବା ଦରକାର ବୋଲି କହିଛନ୍ତି ପ୍ରତାପ ।

ଦୁର୍ଗାପୁରରେ ପହଞ୍ଚିଛନ୍ତି ଓଡ଼ିଶାର ୨ ଜଣିଆ ଉଚ୍ଚସ୍ତରୀୟ ଟିମ୍‌ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବାଲେଶ୍ବର ADM ଓ ଅତିରିକ୍ତ ଏସ୍‌ପି ମଧ୍ୟ ସେଠାରେ ପହଞ୍ଚିଛନ୍ତି । ଆସାନସୋଲ-ଦୁର୍ଗାପୁର ପୋଲିସ କମିଶନର ଅଫିସ୍‌ରେ ଏନେଇ ବିଚାରବିମର୍ଶ ହୋଇଛି । ପୀଡ଼ିତାଙ୍କ ବାପା ଓ ଅନ୍ୟ କିଛି ସହଯୋଗୀ ମଧ୍ୟ ଉପସ୍ଥିତ ଥିବା ସୂଚନା ମିଳିଛି ।

ଗଣଦୁଷ୍କର୍ମ ଘଟଣାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଉଦ୍‌ବେଗ ପ୍ରକାଶ କରି ମମତା ସରକାରଙ୍କ ଉପରେ ବର୍ଷିଛନ୍ତି । ପଶ୍ଚିମବଙ୍ଗ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ପାଲଟିଛି , ଏହା ପଶ୍ଚିମବଙ୍ଗର ଆଇନଶୃଙ୍ଖଳା ଚିନ୍ତାଜନକ ପ୍ରମାଣିତ କରୁଛି । ସ୍ଥାନୀୟ ଶିକ୍ଷାର୍ଥୀ କିମ୍ବା ବାହାର ରାଜ୍ୟ ଶିକ୍ଷାର୍ଥୀ ସେଠାରେ ସୁରକ୍ଷିତ ନାହାଁନ୍ତି ବୋଲି ବୈଜୟନ୍ତ କହିଛନ୍ତି । ମୁଖ୍ୟମନ୍ତ୍ରୀ ମମତାଙ୍କୁ ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ କରି ଦୋଷୀମାନଙ୍କୁ ଯଥାସମ୍ଭବ କଠୋର ଦଣ୍ଡ ନିଶ୍ଚିତ କରିବାକୁ ଦାବି କରିଛନ୍ତି ବୈଜୟନ୍ତ ।

ରାଜ୍ୟ ମହିଳା କମିଶନର ଏକ ଟିମ୍ ପଶ୍ଚିମବଙ୍ଗ ଦୁର୍ଗାପୁର ଯିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତି । ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ବର୍ବରକାଣ୍ଡ ମୋ ତରଫରୁ ଯାହା କିଛି ହୋଇପାରିବ ମୁଁ ନିଶ୍ଚୟ କରିବି ବୋଲି ସେ କହିଛନ୍ତି । ସେ ଏକଥା ମଧ୍ୟ କହିଛନ୍ତି ଯେ, ପୀଡ଼ିତାଙ୍କ ପରିବାର ସହ ମୁଁ ଯୋଗାଯୋଗରେ ରହିଛି ଏବଂ ଆଇନର ଊର୍ଦ୍ଧ୍ବରେ କେହି ନୁହଁନ୍ତି । ଦୋଷୀକୁ ନିଶ୍ଚୟ ଦଣ୍ଡ ମିଳିବ ।


Reporterspen