ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ଚନ୍ଦକା ଥାନା ଅନ୍ତର୍ଗତ ପିଠାଗାଡ଼ିଆ ଗାଁ ପାଖରେ ଥିବା ଘଞ୍ଚ ଜଙ୍ଗଲ ମଧ୍ୟରୁ ଶୁକ୍ରବାର ଜଣେ ବ୍ୟକ୍ତିଙ୍କର ନରକଙ୍କାଳକୁ ପୋଲିସ ଜବତ କରିଥିଲା। ନରକଙ୍କାଳ ଜବତ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ପୋଲିସ ମୃତ ବ୍ୟକ୍ତିଙ୍କ ପରିଚୟ ଚିହ୍ନଟ କରିବାରେ ସଫଳ ହେବା ସହ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗୁଣିଗାରେଡି ସନ୍ଦେହରୁ ଅଭିଯୁକ୍ତ ଦ୍ବୟ ମୃତକ ବଳରାମ ଦେଓଗାମ (୭୨)କୁ ତଣ୍ଟି ଚିପି ହତ୍ୟା କରିଥିବା ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ଶନିବାର ସନ୍ଧ୍ୟାରେ ପୋଲିସ ସେବା ଭବନରେ ଅନୁଷ୍ଠିତ ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି। ଏହି ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି କହ୍ନେଇ ହେମ୍ବ୍ରମ(୨୭) ଓ ରାମ ଶାମଡ଼ା (୨୫)। ଏହି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି କହ୍ନେଇ ହେମ୍ବ୍ରମ। ମାସେ ତଳେ ଅର୍ଥାତ ସେପ୍ଟେମ୍ବର ୩୦ ତାରିଖ ବିଳମ୍ବିତ ରାତିରେ ଦୁଇ ଅଭିଯୁକ୍ତ କହ୍ନେଇ ଓ ରାମ ପୂର୍ବ ଯୋଜନା ମୁତାବକ ବଳରାମଙ୍କୁ ପିଠାଗଡ଼ିଆ ଜଙ୍ଗଲ ଭିତରେ ଥିବା ଏକ ପୋଖରୀ କୂଳରେ ମାଡ଼ି ବସି ତଣ୍ଟି ଚିପି ହତ୍ୟା କରିବା ପରେ ଘଞ୍ଚ ଜଙ୍ଗଲରେ ପୋତି ଦେଇଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ଏହି ପ୍ରେସ୍ମିଟରେ ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା ଓ ଜୋନ ୬ଏସିପି ସୋନାଲୀ ପନୱାରା ଉପସ୍ଥତ ଥିଲେ।
କାହିଁକି ହତ୍ୟା କଲେ : ମୃତକ ବଳରାମ ପିଠାଗଡ଼ିଆ ଗାଁରେ ଜଣେ ଗୁଣିଅା ଭାବେ ପରିଚିତ ଥିଲେ। ସେ ଯଦିଓ କାହାକୁ ଗୁଣି ଗାରେଡି କରୁ ନ ଥିଲେ କିନ୍ତୁ ଗାଁରେ ରହୁଥିବା ଛୋଟ ପିଲାମାନଙ୍କର ଦେହ ଖରାପ ହେଲେ ତାଙ୍କୁ ସେ ଝଡ଼ାଫୁଙ୍ଖା କରୁଥିଲେ। ଯେହେତୁ ସେ ଝଡ଼ାଫୁଙ୍ଖା କରୁଥିଲେ ତେଣୁ ସେ ଗୁଣି କରୁଥିବା ନେଇ ମୁଖ୍ୟ ଅଭିଯୁକ୍ତ କହ୍ନେଇ ସନ୍ଦେହ କରି ଆସୁଥିଲେ। ଏହାରି ମଧ୍ୟରେ ବଳରାମଙ୍କ ନାତି ଜନ୍ମଦିନ ଭୋଜିରେ ଅଭିଯୁକ୍ତ କହ୍ନେଇଙ୍କ ବାପା ଯୋଗ ଦେଇଥିବା ବେଳେ ସେଠାରେ ଅତ୍ୟଧିକ ହାଣ୍ଡିଆ ପିଇବା ଯୋଗୁଁ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ତେବେ ବାପାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନ ଥିଲେ ପୁଅ କହ୍ନେଇ। ସେ ତାଙ୍କ ବାପାଙ୍କୁ ବଳରାମ ଗୁଣିକରି ହତ୍ୟା କରିଥିବା କଥା ଧରି ନେଇଥିଲେ। ଏପରିକି କିଛିଦିନ ତଳେ ଅନ୍ୟତମ ଅଭିଯୁକ୍ତ ରାମଙ୍କ ବାପା ମଧ୍ୟ ସାମାନ୍ୟ ଜରରେ ପୀଡ଼ିତ ହେବାର ଦିନକ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ତେଣୁ ଉଭୟ ଅଭିଯୁକ୍ତ ଧରି ନେଇଥିଲେ କି, ସେମାନଙ୍କ ବାପାଙ୍କର ମୃତ୍ୟୁ ପଛରେ ବଳରାମଙ୍କ ଗୁଣିଗାରେଡି ରହିଛି। ବର୍ତ୍ତମାନ ସମୟରେ କହ୍ନେଇଙ୍କ ଦୁଇଟି ନବଜାତ ପିଲା ଥିବା ବେଳେ ରାମର ସ୍ତ୍ରୀ ଅନ୍ତଃସ୍ବତ୍ତା ଅଛନ୍ତି। ତେଣୁ ସେମାନଙ୍କ ପିଲାଙ୍କ ଉପରେ ମଧ୍ୟ ବଳରାମର ନଜର ଥିବା ଉଭୟ ଭାବି ନେଇଥିଲେ। ତେଣୁ ପିଲାମାନଙ୍କୁ କାଳେ ବଳରାମ ଗୁଣିକରି ମାରି ଦେବେ ସେହି ଭୟରେ ସେମାନେ ପୂର୍ବ ଯୋଜନା ମୁତାବକ ଘଟଣାଦିନ ବଳରାମଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ଉକ୍ତ ଜଙ୍ଗଲରେ ପୋତି ଦେଇଥିଲେ।
କିପରି ଜଣାପଡ଼ିଲା: ଜଙ୍ଗଲ ମଧ୍ୟରୁ ନର କଙ୍କାଳ ଜବତ କରିବା ପରେ ପୋଲିସ ଏହାକୁ ଜବତ କରି ବ୍ୟବଚ୍ଛେଦ ଲାଗି ଏମ୍ସ ପଠାଇଥିବା ବେଳେ ପ୍ରଥମେ ମୃତକଙ୍କ ପରିଚୟ ଖୋଜିବାରେ ଲାଗି ପଡ଼ିଥିଲେ। ତେବେ ମୃତକ ବଳରାମ ଗତ ମାସେ ହେବ ଗାଁରୁ କେଉଁଆଡେ ପଳାଇଥିବାରୁ ଉକ୍ତ ନରକଙ୍କାଳ ତାଙ୍କର ବୋଲି ପୋଲିସ ସନ୍ଦେହ କରି ତାଙ୍କ ପୁଅ ରାମ ଚରଣଙ୍କୁ ଘଟଣାସ୍ଥଳକୁ ଡାକି ଜବତ ଲୁଙ୍ଗି ଓ ଏକ ମାଳୀକୁ ଦେଖାଇଥିଲା। ଯାହା ତାଙ୍କ ବାପାଙ୍କର ବୋଲି ପୁଅ ରାମ ଚରଣ ଚିହ୍ନଟ କରିଥିଲେ। ଫଳରେ ପୋଲିସକୁ ମୃତକଙ୍କ ପରିଚୟ ମିଳିବାରେ ସହଜ ହୋଇଥିଲା। ଏହାର ପରବର୍ତ୍ତୀ ସମୟରେ ପୋଲିସ ତଦନ୍ତକୁ ଜୋରଦାର କରିବା ସହ ବଳରାମ ଗାଁରେ ଝଡ଼ାଫୁଙ୍ଖା କରୁଥିବା ଜାଣିବାକୁ ପାଇଥିଲେ। ପରେ ପୋଲିସ ଜାଣିବାକୁ ପାଇଥିଲା କି, ମୁଖ୍ୟ ଅଭିଯୁକ୍ତ କହ୍ନେଇ ଉକ୍ତ ଜଙ୍ଗଲରେ ଅସ୍ଥାୟୀ ଭାବେ ଗାର୍ଡ ଭାବେ ଘଟଣା ପୂର୍ବରୁ ରାତି ସମୟରେ କାର୍ଯ୍ୟ କରୁଥିଲା। କିନ୍ତୁ ଯେଉଁ ଦିନ ଠାରୁ ବଳରାମ ଗାଁରୁ ନିଖୋଜ ହୋଇଯାଇଥିଲେ ସେହି ଦିନଠାରୁ ସେ ଦିନରେ ହିଁ ଡିଉଟି କରୁଥିଲେ। ତେଣୁ ପୋଲିସ ତାଙ୍କୁ ପଚରାଉଚରା କରିବା ପରେ ସେ ସବୁ କଥା ସ୍ବୀକାର କରିଯାଇଥିଲେ। ଏଥିସହ ଏହି ହତ୍ୟାକାଣ୍ଡରେ ତାଙ୍କ ସହ ରାମର ସମ୍ପୃକ୍ତି ଥିବା ମାନିଥିଲେ। ତେବେ ଯେହେତୁ ମୃତକ ବଳରାମ ବହୁ ସମୟରେ ଘରୁ ମାସାଧିକ କାଳ କେଉଁଆଡେ ପଳାଉଥିଲେ ଏବଂ ପରେ ପୁଣିଥରେ ଘରକୁ ଫେରୁଥିଲେ ତେଣୁ ତାଙ୍କ ଘର ଲୋକ ଏନେଇ ଥାନାରେ ଅଭିଯୋଗ କରି ନ ଥିଲେ।
ଥାନାଧିକାରିଣୀ ସମ୍ବର୍ଦ୍ଧତ: ମାତ୍ର ୨୪ ଘଣ୍ଟା ମଧ୍ୟରେ ନରକଙ୍କାଳର ପରିଚୟ ବାହାର କରି ଏହା ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଥିଲା। ଏଥିପାଇଁ ଏହାର ସମସ୍ତ ଶ୍ରେୟ ଥାନାଧିକାରିଣୀ ସମିତା ମିଶ୍ରଙ୍କୁ ପୋଲିସ କମିଶନର ଦେଇଥିଲେ। ଏଥିସହ ଏହି ହତ୍ୟାକାଣ୍ଡ ଉପରୁ ଏତେ ଶୀଘ୍ର ପରଦା ଉଠାଇଥିବାରୁ ପୋଲିସ କମିଶନର ଚନ୍ଦକା ଥାନାଧିକାରୀ ସମିତା ମିଶ୍ର ଓ ଥାନାର ଅନ୍ୟଜଣେ ସବ ଇନ୍ସପେକ୍ଟରଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା ଦେଇଥିଲେ। ପୋଲିସର ତ୍ବରିତ କାର୍ଯ୍ୟାନୁଷ୍ଠାନକୁ ପୋଲିସ କମିଶନର ସାବାସୀ ଦେଇଥିଲେ।

