India vs Australia T20: ଗୁରୁବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ ୪୮ ରନ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ୨-୧ର ଅଗ୍ରଣୀ ହାସଲ କରିଛି। ଗୋଲ୍ଡ କୋଷ୍ଟରେ ଖେଳାଯାଇଥିବା ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୭ ରନ୍ କରିଥିଲା। ଏହାର ଜବାବରେ ଭଲ ଆରମ୍ଭ ସତ୍ତ୍ୱେ ଅଷ୍ଟ୍ରେଲିଆର ଦଳ ୧୮.୨ ଓଭରରେ ସମସ୍ତ ୱିକେଟ୍ ହରାଇ କେବଳ ୧୧୯ ରନ୍ କରିପାରିଥିଲା।
ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ମିଚେଲ୍ ମାର୍ଶ ୨୪ ବଲ୍ରେ ୩୦ ରନ୍ର ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ୱାଶିଂଟନ୍ ସୁନ୍ଦର ତିନୋଟି, ଅକ୍ଷର ଏବଂ ଶିବମ୍ ପ୍ରତ୍ୟେକ ୨ଟି ଲେଖାଁଏ ୱିକେଟ୍ ନେଇଥିଲେ।
୧୬୮ ରନର ଟାର୍ଗେଟ ପିଛା କରି ଅଷ୍ଟ୍ରେଲିଆ ଦଳ ମିଚେଲ ମାର୍ଶ ଏବଂ ମାଥ୍ୟୁ ସର୍ଟଙ୍କ ସହ ଏକ ଭଲ ଆରମ୍ଭ କରିଥିଲା। ସେମାନେ ୩୭ ରନର ଓପନିଂ ପାର୍ଟନରସିପ୍ କରିଥିଲେ। ସର୍ଟ ୧୯ ବଲରୁ ୨୫ ରନ କରି ଆଉଟ ହୋଇଥିଲେ। ଜୋଶ ଇଙ୍ଗଲିସ୍ ୧୧ ବଲରୁ ମାତ୍ର ୧୨ ରନ କରିପାରିଥିଲେ। ଅକ୍ଷର ପଟେଲ ଉଭୟ ଖେଳାଳିଙ୍କୁ ଆଉଟ କରିଥିଲେ। ଅଧିନାୟକ ମିଚେଲ ମାର୍ଶ ୨୪ ବଲରୁ ୩୦ ରନ କରି ଆଉଟ୍ ହୋଇଥିଲେ।
ଟିମ୍ ଡେଭିଡ୍ ୯ ବଲ୍ ରେ ମାତ୍ର ୧୪ ରନ୍ କରିପାରିଥିଲେ। ଜୋଶ୍ ଫିଲିପ୍ ମାତ୍ର ୧୦ ରନ୍ ଏବଂ ଗ୍ଲେନ୍ ମ୍ୟାକ୍ସୱେଲ୍ ମାତ୍ର ୨ ରନ୍ କରିପାରିଥିଲେ। ମାର୍କସ୍ ଷ୍ଟୋଇନିସ୍ ୧୯ ବଲ୍ ରେ ୧୭ ରନ୍ କରିଥିଲେ ଏବଂ ଜାଭିୟର୍ ଖାତା ନ ଖୋଲି ଆଉଟ୍ ହୋଇଥିଲେ। ବେନ୍ ଏବଂ ଜାମ୍ପା ଖାତା ଖୋଲିପାରି ନଥିଲେ।
ଭାରତ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହେବା ପରେ ଅଭିଷେକ ମ୍ୟାଚ୍ର ଦ୍ୱିତୀୟ ବଲ୍ରେ ଭାଗ୍ୟବାନ ରହିଥିଲେ, ଯେତେବେଳେ ସେ ବେନ୍ ଦ୍ୱାରଶୁଇସ୍ଙ୍କ ଏକ ବଲ୍କୁ କଭର୍ ଉପରେ ଖେଳିବାକୁ ଚେଷ୍ଟା କରିଥିଲେ କିନ୍ତୁ ଜାଭିୟର ବାର୍ଟଲେଟ୍ ତାଙ୍କୁ କ୍ୟାଚ୍ କରିବାରେ ବିଫଳ ହୋଇଥିଲେ। ଅଭିଷେକ ବାର୍ଟଲେଟ୍ଙ୍କ ବଲ୍ରେ ଇନିଂସ୍ର ପ୍ରଥମ ଚୌକା ମାରିଥିଲେ (୧/୨୬), ଯେତେବେଳେ ଗିଲ୍ ଦ୍ୱାରଶୁଇସ୍ଙ୍କ ବଲ୍ରେ ଚୌକା ମାରିବା ପରେ ଏଲିସ୍ଙ୍କ ବଲ୍ରେ ଦୁଇଟି ଚୌକା ମାରିଥିଲେ।
ପାୱାର ପ୍ଲେରେ ମାର୍କସ୍ ଷ୍ଟୋଇନିସ୍ଙ୍କ ବଲ୍ରେ ଦୁଇଟି ଚୌକା ମାରି ଅଭିଷେକ ଭାରତକୁ ବିନା କ୍ଷତିରେ ୪୯ ରନ୍ରେ ପହଞ୍ଚାଇଥିଲେ। ଅଭିଷେକ ଜାମ୍ପାଙ୍କୁ ଏକ ଛକା ମାରି ସ୍ୱାଗତ କରିଥିଲେ କିନ୍ତୁ ଲେଗ୍-ସ୍ପିନର୍ଙ୍କ ବଲ୍ରେ ଆଉ ଏକ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରିବା ସମୟରେ, ସେ ଲଙ୍ଗ୍ ଅନ୍ରେ ଟିମ୍ ଡେଭିଡ୍ଙ୍କୁ ଏକ ସହଜ କ୍ୟାଚ୍ ଦେଇଥିଲେ। ସେ ୨୧ ବଲ୍ର ସମ୍ମୁଖୀନ ହୋଇଥିଲେ ଏବଂ ତିନୋଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ।
ଗିଲ୍ ମଧ୍ୟ ଷ୍ଟୋଇନିସ୍ ଙ୍କ ବଲ୍ ରେ ଛକା ମାରିଥିଲେ କିନ୍ତୁ ଏଲିସ୍ ଙ୍କ ବଲ୍ ରେ ବୋଲ୍ଡ ହୋଇଥିଲେ। ଗିଲ୍ ୩୯ ବଲ୍ ର ସମ୍ମୁଖୀନ ହୋଇଥିଲେ। ଯେଉଁଥିରେ ସେ ୪ ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ସୂର୍ଯ୍ୟକୁମାର (୨୦) କରି ଆଉଟ୍ ହୋଇଥିଲେ।
ତିଲକ ବର୍ମା (୦୫) କ୍ୟାଚ୍ ଆଉଟ୍ ହୋଇଥିଲେ। ଏହା ପରେ ଜିତେଶ ଶର୍ମା (୦୩)ଆଉଟ୍ ହୋଇଥିଲେ। ଅକ୍ଷର ପଟେଲ୍ ଶେଷ ଓଭରରେ ଷ୍ଟୋଇନିସ୍ ଙ୍କ ବଲ୍ ରେ ଲଗାତାର ଗୋଟିଏ ଚୌକା ଏବଂ ଗୋଟିଏ ଛକା ମାରି ଭାରତକୁ ୧୬୦ ଅତିକ୍ରମ କରାଇଥିଲେ।

