୪୧ ବୁଥ୍‌ରେ ୯୧% ଭୋଟିଂ ହେଲା କେମିତି: ବିଜେଡି

Reporterspen

ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ନୂଆପଡା ଉପନିର୍ବାଚନ ଫଳ ଶୁକ୍ରବାର ପ୍ରକାଶ ପାଇବାକୁ ଥିବାବେଳେ ପ୍ରଶାସନିକ କଳର ଅପବ୍ୟବହାର କରି ବିଜେପି ଏହି ନିର୍ବାଚନକୁ ପ୍ରଭାବିତ କରିଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ବରିଷ୍ଠ ସାଧାରଣ ସମ୍ପାଦକ ଡ ଲେଖାଶ୍ରୀ ସାମନ୍ତସିଂହାର, ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ ଲେନିନ ମହାନ୍ତି କହିଛନ୍ତି, ବିଜେପି ଦ୍ୱାରା ପ୍ରଶାସନିକ କଳର ଅପବ୍ୟବହାର କରାଯାଇ ନିର୍ବାଚନକୁ ପ୍ରଭାବିତ କରାଯାଇଛି । ନିର୍ବାଚନ ଅଧିକାରୀଙ୍କ ମୁକ୍ତ ଓ ଅବାଧ ନିର୍ବାଚନ ଦାବି ଏକ ପ୍ରହସନରେ ପରିଣତ ହୋଇଛିି ବୋଲି ଅଭିଯୋଗ କରିଥିଲେ । ନିର୍ବାଚନରେ ବିଜେପି ଦ୍ୱାରା ବିଭିନ୍ନ ଆଚରଣ ବିଧିର ଖୋଲା ଉଲ୍ଲଙ୍ଘନ ଓ ନିର୍ବାଚନ ସମୟରେ ଅନେକ ଅନିୟମିତତାର ଅଭିଯୋଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ନାରେ ଦାଖଲ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।

ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ନିର୍ବାଚନ ସମୟରେ ସନ୍ଧ୍ୟା ୫ଟା ସୁଦ୍ଧା ୭୫% ଭୋଟିଂ ହୋଇଛି ବୋଲି ନିର୍ବାଚନ ଅଧିକାରୀଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ବୃଦ୍ଧି ପାଇ ୮୩.୫% ଭୋଟିଂ ହୋଇଛି ବୋଲି ସୂଚନା ଦିଆଯାଇଥିଲା । ଅଧିକ ପ୍ରତିଶତ ଭୋଟ ହେବା ଗଣତନ୍ତ୍ର ପାଇଁ ଏକ ଶୁଭ ଲକ୍ଷଣ । କିନ୍ତୁ ଭୋଟିଂ ସମୟ ଶେଷ ହେବା ପରେ ଅର୍ଥାତ ସନ୍ଧ୍ୟା ୫ଟା ପରେ ପ୍ରାୟ ୮%ରୁ ଅଧିକ ଭୋଟ ପଡିବା ସନେ୍‌ଦହଜନକ । ଆହୁରି ପ୍ରାୟ ୪୧ଟି ବୁଥ୍‌ରେ ୯୧ ପ୍ରତିଶତରୁ ଅଧିକ ଭୋଟିଂ ହେବା, ଭୋଟ ରିଗିଙ୍ଗ ହୋଇଥିବା ସନେ୍‌ଦହ ସୃଷ୍ଟି କରିଛି । ନିର୍ବାଚନ ପ୍ରଚାର ଚାଲିଥିବା ସମୟରେ ବିଜେପି ପ୍ରତି ସରକାରୀ ଅଧିକାରୀ ମାନଙ୍କ ଅହେତୁକ ସହଯୋଗ ଦେଖିବାକୁ ମିଳିଥିଲା । ସାଇଲେଣ୍ଟ ପିରିଅଡରେ ଭୋଟରଙ୍କ ବ୍ୟତୀତ ଅନ୍ୟ କେହି ଉପସ୍ଥିତ ରହିପାରିବେ ନାହିଁ ବୋଲି ନିୟମ ଥିବାରୁ, ବିଧି ବ୍ୟବସ୍ଥାକୁ ସମ୍ମାନ ଜଣାଇ ବିଜୁ ଜନତା ଦଳର ସମସ୍ତ ନେତା ମାନେ ନୂଆପଡା ଛାଡି ଦେଇଥିଲେ । କିନ୍ତୁ ବିଜେପିର ଅନେକ ନେତା ସେଠାରେ ଉପସ୍ଥିତ ରହି ଭୋଟର ମାନଙ୍କୁ ପ୍ରଭାବିତ କରୁଥିଲେ । ଏହାର ଅଭିଯୋଗ ବିଧିବଧ ଭାବେ ନିର୍ବାଚନ ଅଧିକାରୀଙ୍କ ପାଖରେ ରଖାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ।

ଡ ଲେନିନ ମହାନ୍ତି କହିଥିଲେ, ଯେଉଁ ବୁଥ୍ ଗୁଡିକରେ ୯୦%ରୁ ଅଧିକ ଭୋଟିଂ ହୋଇଛି, ସେଇ ବୁଥ୍ ଗୁଡିକର ସିସିଟିଭି ଫୁଟେଜ ଆମକୁ ପ୍ରଦାନ କରାଯାଉ । ସିସିଟିଭି ଫୁଟେଜ ହିଁ ପ୍ରମାଣ କରିବ ବାସ୍ତବରେ ଲୋକ ଭୋଟ ଦେଇଛନ୍ତି ନା ହେରଫେର ହୋଇଛି । ଇଭିଏମ ମେସିନ ଗୋଟିଏ ଘରୋଇ ଗାଡିରେ ବୁଲୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ମୁକ୍ତ ଓ ଅବାଧ ନିର୍ବାଚନ କରିବା ଉକ୍ତି ଏହି ଉପନିର୍ବାଚନରେ ପ୍ରହସନରେ ପରିଣତ ହୋଇଥିଲା । ପ୍ରାର୍ଥୀ ଚୋରି, ଭୋଟ ଚୋରି ପରେ ଏବେ ବୁଥ୍ ଚୋରି ଦେଖିବାକୁ ମିଳିଲା ।

ଡ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ଜିତିବା ବିଜେପି ପକ୍ଷରେ ସମ୍ଭବ ନୁହେଁ ବୋଲି ଜାଣି ବିଜେପି ପ୍ରଶାସନିକ କଳର ଅପବ୍ୟବହାର କରି ନିର୍ବାଚନ ଜିତିବାକୁ ଉଦ୍ୟମ କରି ଆସୁଛି । ୯୦ ପ୍ରତିଶତ ଭୋଟିଂ ହେବା ଏକ ବିରଳ ଘଟଣା । ବିଶେଷକରି ଉପନିର୍ବାଚନରେ ଏପରି ହେବା ନିଶ୍ଚିତ ଭାବେ ସନେ୍‌ଦହ ସୃଷ୍ଟି କରିଛି । ଏହାଛଡା ସରକାରୀ ଅଧିକାରୀ ମାନେ ବିଜେପିର ଏଜେଣ୍ଟ ସାଜି ବିଜେପିକୁ ଜିତାଇବା ପାଇଁ କାମ କରୁଥିଲେ । ବିଜୁ ଜନତା ଦଳ ଅନେକ ସମୟରେ ନିର୍ବାଚନ ପ୍ରଚାର ବେଳେ ଘଟୁଥିବା ଅନିୟମିତତାକୁ ନେଇ ଜିଲ୍ଲାର ଅଧିକାରୀ ମାନଙ୍କୁ ଭେଟି ସେମାନଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା । କିନ୍ତୁ ସେମାନଙ୍କ ଠାରୁ ବିଜେଡିକୁ କୌଣସି ସହଯୋଗ ମିଳୁ ନଥିଲା । ଶେଷ ପର୍ଯ୍ୟାୟରେ ପୋଲିସ୍ର ତତ୍ୱାବଧାନରେ ଟଙ୍କା ବଣ୍ଟା କାର୍ଯ୍ୟକ୍ରମ ଚାଲିଥିଲା । ବୁଥ୍ ଭିତରେ ବିଜେପି ତରଫରୁ କ୍ୟାମ୍‌ପେନ କରାଯାଉଥିଲା । ବିଜେଡି ତରଫରୁ ଏହାର ଅଭିଯୋଗ ନିର୍ବାଚନ ଅଧିକାରୀଙ୍କ ପାଖରେ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ତେଣୁ ସମସ୍ତ କଥାକୁ ଅନୁଶୀଳନ କଲେ ସ୍ପଷ୍ଟ ହୁଏ ଯେ, ସରକାରୀ କଳର ଅପବ୍ୟବହାର କରି ବିଜେପି ଦେଶର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି ।


Reporterspen