odisha assembly: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ସୁରକ୍ଷା ଯୋଜନାରେ ବର୍ଷବର୍ଷ ଧରି ଚାଲିଥିବା ‘କେଳେଙ୍କାରୀ’ଧରାପଡିଛିି । ପୂର୍ବ ସରକାର ସମୟର ଏହି ଅନିୟମିତତା ଓ ଚାଉଳ ବାଟମାରଣାର ରହସ୍ୟ ଖୋଦ୍ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଖୋଲିଛନ୍ତି । ଗରିବ ଲୋକଙ୍କ ହକ୍ ଛଡାଇ ନେଇ ଭୂତ ଖାଇଥିଲା ସରକାରୀ ଚାଉଳ ଅର୍ଥା ରାଜ୍ୟରେ ପ୍ରାୟ ୭ଲକ୍ଷ ମୃତ ବ୍ୟକ୍ତି, ୨୧ହଜାରରୁ ଅଧିକ ସରକାରୀ ଚାକିରିଆ ଓ ୧୨ହଜାରରୁ ଅଧିକ ଧନୀ ବ୍ୟକ୍ତି ନିୟମିତ ଭାବେ ରାସନ୍ ଉଠା ଯାଉଥିଲା ।
ଇ-କେୱାଇସି ଯାଂଚ ପ୍ରକ୍ରିୟାକୁ କଡାକଡି କରାଯିବା ପରେ ଏହି ଲକ୍ଷ ଲକ୍ଷ ଅଯୋଗ୍ୟଙ୍କୁ ସରକାର ଚିହ୍ନଟ କରିଛନ୍ତି ସତ, ମାତ୍ର କେବେଠୁ ଏହି ୭ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ଚାଉଳ ଉଠାଯାଉଥିଲା ଓ ସେବାବଦରେ ମାସକୁ ୩୫ହଜାର କ୍ୱିଣ୍ଟାଲ ତଥା ବାର୍ଷିକ ପ୍ରାୟ ୯୦ରୁ ୧୦୦କୋଟି ଟଙ୍କାର ଚାଉଳ କାହା ପକେଟକୁ ଯାଉଥିଲା ସେବାବଦରେ ସରକାର ନିରବ ରହିଛନ୍ତି । ଏତେବଡ ଅନିୟମିତତା ଚିହ୍ନଟ କରିବା ପରେ ମଧ୍ୟ ରାଜ୍ୟ ସରକାର ଏଥିପାଇଁ କାହାରିକୁ ଉତ୍ତରଦାୟୀ ନକରିବା ଓ ଏତେବର୍ଷ ଧରି ଏହି ଚାଉଳ ବାଟମାରଣା ରାକେଟରେ କେଉଁମାନେ ସମ୍ପୃକ୍ତ ଥିଲେ ତା’ର ଖୋଳତାଡ ନକରିବା ସାଧାରଣରେ ସନ୍ଦେହ ବଢାଇଛି ।
ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ବିଧାନସଭାରେ ବିଧାୟକମାନଙ୍କ ପ୍ରାୟ ଦୁଇ ଡଜନ ପ୍ରଶ୍ନର ଲିଖିତ ଉତ୍ତରରେ ପୂର୍ବ ସରକାର ସମୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ହୋଇଥିବା ଅନିୟମିତତାର ପର୍ଦ୍ଦାଫାସ କରିଛନ୍ତି । ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ଏବେ ରାଜ୍ୟ ସରକାରଙ୍କ ଆନ୍ତଃ ବିଭାଗୀୟ ଇ-କେୱାଇସି ଅଭିଯାନ ଓ କ୍ଷେତ୍ରସ୍ତରରେ ତର୍ଜମା ଯୋଗୁ ୨୦୨୫ ନଭେମ୍ବର ୨୬ ତାରିଖ ସୁଦ୍ଧା ରାଜ୍ୟରେ ପ୍ରାୟ ୬ ଲକ୍ଷ ୯୩ ହଜାର ୯୯୫ ଜଣ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଏହି ମୃତକମାନଙ୍କ ନାଁ ରାସନ କାର୍ଡ ତାଲିକାରୁ ବାଦ୍ ଦିଆଯାଇଛି । ସେହିପରି ସରକାରୀ ଚାକିରି କରିଥିବା ୨୦୭୮୫ଟି ପରିବାରକୁ ଚିହ୍ନଟ କରାଯାଇଛି ଯେଉଁମାନେକି ନିଜର ୭୫ହଜାରରୁ ଅଧିକ ସଦସ୍ୟଙ୍କ ପାଇଁ ମାସିକ ଚାଉଳ ନେଉଥିଲେ । କେବଳ ସେତିକି ନୁହେଁ ୧୨୩୪୩ଟି ଧନୀ ପରିବାର, ଯିଏକି ଆୟକର ଦାଖଲ କରୁଛନ୍ତି ସେମାନେ ବି ନିଜର ପ୍ରାୟ ୪୫ହଜାର ସଦସ୍ୟଙ୍କ ପାଇଁ ନିୟମିତ ଚାଉଳ ନେଉଥିଲେ । ସରକାର ଏବେ ଏହି ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଚାଉଳ ଦେବା ବନ୍ଦ କରିଛନ୍ତି ।
ଖାଦ୍ୟ ସୁରକ୍ଷା ଯୋଜନାରେ ଅନିୟମିତତାକୁ ରୋକିବା ପାଇଁ ବର୍ତ୍ତମାନର ବିଜେପି ସରକାର ଇ-କେୱାଇସି ବ୍ୟବସ୍ଥାକୁ କଡାକଡି କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଇ-କେୱାଇସି ଯାଂଚ ପ୍ରକ୍ରିୟାର ଅବଧିକୁ ୨୦୨୫ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । କ୍ଷେତ୍ରସ୍ତରରେ ତର୍ଜମାବେଳେ ଯେଉଁମାନଙ୍କ ପାଖରେ ଚାରି ଚକିଆ ଗାଡି ଅଛି କିମ୍ବା ଯେଉଁମାନେ ଗତ ୬ରୁ ୧୨ ମାସ ଧରି ରାସନ ନେଇନାହାନ୍ତି, ସେମାନଙ୍କୁ ସନ୍ଦେହଜନକ ତାଲିକାରେ ରଖି ଯାଞ୍ଚ କରାଯାଉଛି । ଏହି ସଫେଇ ଅଭିଯାନ ଯୋଗୁ ଏବେସୁଦ୍ଧା ଅନେକ ଅଯୋଗ୍ୟ ହିତାଧିକାରୀ ବାଦ୍ ପଡିବା ପରେ, ପ୍ରକୃତ ଗରିବ ଲୋକଙ୍କ ପାଇଁ ବାଟ ଫିଟିଛି ।
୨୦୨୪ ଜୁନ୍ ମାସ ପରଠାରୁ ଅର୍ଥାତ୍ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠୁ ରାସନ କାର୍ଡ ନିମନ୍ତେ ପ୍ରାୟ ୧୫ ଲକ୍ଷ ୩୩ ହଜାର ନୂଆ ଆବେଦନ ଆସିଥିବାବେଳେ, ଆବଶ୍ୟକ ଯାଂଚ ପରେ ସେଥିରୁ ୩ ଲକ୍ଷ ୨୩ ହଜାର ଯୋଗ୍ୟ ପରିବାରଙ୍କୁ ନୂତନ ଭାବେ ‘ଖାଦ୍ୟ ସୁରକ୍ଷା ଯୋଜନା’ରେ ସାମିଲ କରାଯାଇଛି । ନିୟମ ବହିର୍ଭୂତ ହୋଇଥିବାରୁ ପ୍ରାୟ ୭ ଲକ୍ଷ ୩୭ ହଜାର ଆବେଦନକୁ ଖାରଜ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।
ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଖାଦ୍ୟଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସୂଚନା ଦେଇଛନ୍ତି ଯେ, ଇକେୱାଇସି ଯାଂଚ ପ୍ରକ୍ରିୟାରେ ଅଦ୍ୟାବଧି ୯ଲକ୍ଷ ୯୪ହଜାର ୬୮୧ଜଣଙ୍କ ମୃତବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ରାସନ କାର୍ଡ ତଥ୍ୟାବଳୀରୁ ବାଦ୍ ଦିଆଯାଇଛି । ଅର୍ଥାତ୍ ଏହି ମୃତ ବ୍ୟକ୍ତିମାନଙ୍କ ନାମରେ ରାସନ୍ ଉଠାଯାଉଥିଲା ବୋଲି ମନ୍ତ୍ରୀ ପରୋକ୍ଷରେ ସ୍ୱୀକାର କରିଛନ୍ତି ।
ପ୍ରଶ୍ନ ଉଠୁଛି, ଯଦି ହିତାଧିକାରୀ ମୃତ ତେବେ ତାଙ୍କ ଭାଗର ଚାଉଳ ନେଉଥିଲା କିଏ? ବିନା ବାୟୋମେଟ୍ରିକ୍ ବା ଟିପଚିହ୍ନରେ ଏତେ ବର୍ଷ ଧରି ଏହି ଚାଉଳ ବଂଟନ ହେଉଥିଲା କିପରି? ଏହି ମହାଦୁର୍ନୀତିରେ ସ୍ଥାନୀୟ ଡିଲର ଏବଂ ଯୋଗାଣ ଅଧିକାରୀଙ୍କ ଭୂମିକା ଉପରେ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ଥାନୀୟ ଡିଲର ନିର୍ଦ୍ଦିଷ୍ଟ ପରିବାରକୁ ବର୍ଷବର୍ଷ ଧରି ଚାଉଳ ଦେଉଥିବାବେଳେ, ପରିବାରର କେଉଁ ସଦସ୍ୟ ଜୀବିତ ଅଛନ୍ତି ବା ମୃତ, ତାହା ନଜାଣିବା ଅସମ୍ଭବ । ଯଦି ହିତାଧିକାରୀଙ୍କୁ ଚାଉଳ ଦିଆଯାଉନଥିଲା ତା’ହେଲେ ସେହି ମୃତବ୍ୟକ୍ତିଙ୍କ ନାଁରେ ଉଠୁଥିବା ଚାଉଳ ନେଉଥିଲା କିଏ ?
ଏକ ଆନୁମାନିକ ହିସାବରୁ ଜଣାପଡିଛି ଯେ, ଜଣେ ହିତାଧିକାରୀଙ୍କୁ ମାସକୁ ୫କିଲୋ ଚାଉଳ ମିଳିଥାଏ । ପ୍ରାୟ ୭ଲକ୍ଷ ମୃତ ବ୍ୟକ୍ତିଙ୍କୁ ରାସନ କାର୍ଡରୁ ବାଦ୍ ଦିଆଯାଇଛି ଅର୍ଥାତ୍ ମାସକୁ ପ୍ରାୟ ୩୫ହଜାର କ୍ୱିଣ୍ଟାଲ ଚାଉଳର ବାଟମାରଣାକୁ ସରକାର ଏବେ ବଂଚାଇବାରେ ସକ୍ଷମ ହୋଇଛନ୍ତି । ଯଦି ଚାଉଳ କିଲୋପିଛା ହାରାହାରି ୨୨ରୁ ୨୫ଟଙ୍କା ହୁଏ ତା’ହେଲେ ମାସିକ ପ୍ରାୟ ୮.୭୫କୋଟି ଟଙ୍କା ଓ ବାର୍ଷିକ ୯୦ରୁ ୧୦୦କୋଟି ଟଙ୍କାର ଚାଉଳ ବାଟମାରଣା ହେଉଥିଲା । ଖୋଲାବଜାରରେ ଏହି ଦର ଆହୁରି ଅଧିକ ହେବ ।

