putin india visit: ଭାରତରେ ଋଷ ରାଷ୍ଟ୍ରପତି ପୁଟିନ

Reporterspen

putin india visit: ନୂଆଦିଲ୍ଲୀ: ଦୀର୍ଘ ୪ ବର୍ଷ ପରେ ପ୍ରାୟ ୨୭ ଘଣ୍ଟା ପାଇଁ ଭାରତ ଗସ୍ତରେ ଆସିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଆଜି ସନ୍ଧ୍ୟା ପ୍ରାୟ ୬.୫୦ରେ ପୁଟିନଙ୍କ ସ୍ୱତନ୍ତ୍ର ବିମାନ ଦିଲ୍ଲୀର ପାଲାମ ଏୟାରପୋର୍ଟରେ ପହଞ୍ଚିଥିଲା । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସ୍ୱାଗତ କାର୍ଯ୍ୟକ୍ରମରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଛନ୍ତି । ଏହା ଗୋଟିଏ ବିରଳ କୂଟନୀତିକ ପଦକ୍ଷେପ ।

ଏୟାରପୋର୍ଟରେ ପୁଟିନଙ୍କୁ ମୋଦି ସ୍ୱାଗତ କରିବା ଅର୍ଥ ତାଙ୍କ ଗସ୍ତ ଭାରତ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତା’କୁ ଦର୍ଶାଉଛି । କୌଣସି ବିଶ୍ୱସ୍ତରୀୟ ନେତାଙ୍କୁ ମୋଦି ନିଜେ ଏୟାରପୋର୍ଟକୁ ଯାଇ ସ୍ୱାଗତ କରିବା ସାଧାରଣତଃ ଦେଖିବାକୁ ମିଳି ନଥାଏ । ହେଲେ ପୁଟିନଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ।

ଏହାପୂର୍ବରୁ ୨୦୧୫ରେ ମୋଦି ଏୟାରପୋର୍ଟକୁ ଯାଇ ବାରାକ ଓବାମା, ୨୦୧୭ରେ ଶେଖ ହସିନା, ୨୦୧୭ରେ ଜାପାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ସିଞ୍ଜେ ଆବେ, ୨୦୨୦ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଳ ୨୦୨୪ରେ ୟୁଏଇର ମହମ୍ମଦ ବିଜୟ ଜାୟେଦ ଅଲ ନହୟାନ ଓ ୨୦୨୫ରେ କତାରର ତାମିମ ବିନ ହାମାଦ ଅଲ ଥାନିଙ୍କୁ ସ୍ୱାଗତ କରିବା ପାଇଁ ଏୟାର ପୋର୍ଟରେ ପହଞ୍ଚିଥିଲେ ।

ଏବେ ସେ ପୁଟିନଙ୍କୁ ଏୟାରପୋର୍ଟରେ ସ୍ୱାଗତ କରିଛନ୍ତି । ଏୟାରପୋର୍ଟରେ ମୋଦି ସ୍ୱାଗତ କରିବା ପରେ ପୁଟିନଙ୍କୁ ନିଜ କାରରେ ବସାଇଥିଲେ । ସେଠାରୁ ଉଭୟ ଗୋଟିଏ କାରରେ ଲୋକ କଲ୍ୟାଣ ମାର୍ଗ ସ୍ଥିତି ପ୍ରଧାନମନ୍ତ୍ରୀ ବାସଭବନକୁ ଯାଇଛନ୍ତି । ସେଠାରେ ପୁଟିନଙ୍କ ପାଇଁ ରାତ୍ର ଭୋଜନର ଆୟୋଜନ କରିଛନ୍ତି ମୋଦି । ରାତ୍ର ଭୋଜନ ପରେ ପୁଟିନ ସିଧା ଆଇଟି ମୌର୍ଯ୍ୟକୁ ଯାଇଛନ୍ତି । ସେଠାକାର ଚାଣକ୍ୟ ପ୍ରେସିଡେଣ୍ଟାଲ ସୁଟରେ ସେ ରାତି କାଟିବେ । ପୁଟିନ ଆଇଟିସି ମୌର୍ଯ୍ୟରେ ରହୁଥିବାରୁ ହୋଟେଲର ସମସ୍ତ ରୁମକୁ ବୁକ କରି ଦିଆଯାଇଛି । ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଶୁକ୍ରବାର ଦିନ ୧୧ଟାରେ ରାଷ୍ଟ୍ରପତି ଭବନରେ ପୁଟିନଙ୍କ ପାଇଁ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ୧୧.୩୦ରେ ସେ ରାଜଘାଟ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିବେ । ଦିନ ପ୍ରାୟ ୧୧.୩୦ରେ ହାଇଦ୍ରାବାଦ ହାଉସରେ ମୋଦିଙ୍କୁ ଭେଟିବେ ପୁଟିନ । ସେଠାରେ ଦୁଇ ନେତାଙ୍କ ମଧ୍ୟ ଦୁଇ ପାକ୍ଷିକ ଆଲୋଚନା ହେବ ।

ଦିନ ପ୍ରାୟ ୧.୫୦ର ଉଭୟ ନେତା ହାଇଦ୍ରାବାଦ ହାଉସରେ ପ୍ରେସକୁ ସମ୍ବୋଧନ କରିବେ କିମ୍ବା ମିଳିତ ବିବୃତି ଜାରି କରିବେ । ୩.୪୦ରେ ଆୟୋଜିତ ଗୋଟିଏ ବ୍ୟବସାୟିକ କାର୍ଯ୍ୟକ୍ରମରେ ପୁଟିନ ସାମିଲ ହେବେ । ତେବେ ବ୍ୟବସାୟିକ କାର୍ଯ୍ୟକ୍ରମ କେଉଁଠି ହେବ, ସେକଥା ଜଣାପଡିନି ।

୨୩ ତମ ଭାରତ-ରୁଷ ସମ୍ମିଳନୀ ପରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ଠାରୁ ଆରମ୍ଭ କରି ବାଣିଜ୍ୟକୁ ନେଇ ଏକାଧିକ ବୁଝାମଣା ସ୍ୱାକ୍ଷରିତ ହେବ । ସନ୍ଧ୍ୟା ୭ଟା ବେଳେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଭେଟିବେ ପୁଟିନ । ସେହିପରି ରାତି ୯ଟା ବେଳେ ସେ ଭାରତ ଛାଡିବେ ।

ପୁଟିନ ଶେଷ ଥର ପାଇଁ ୨୦୨୧ରେ ଭାରତ ଗସ୍ତରେ ଆସିଥିଲେ । ୨୧ତମ ଭାରତ-ରୁଷ ସମ୍ମିଳନୀରେ ଯୋଗଦେବାକୁ ଆସି ସେ ମୋଦିଙ୍କୁ ଭେଟିଥିଲେ । ଏବେ ୨୩ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀ ପାଇଁ ସେ ଭାରତ ଆସିଛନ୍ତି ।


Reporterspen