ଚାନ୍ଦବାଲି ଲଜ୍ଜା: ନାବାଳିକା ଦୁଷ୍କର୍ମ ପରେ ହତ୍ୟା

Reporterspen

ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ; ପଡ଼ିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି

ଭୁବନେଶ୍ୱର, (ରିପୋର୍ଟର୍ସପେନ୍‌): ଭଦ୍ରକ ଚାନ୍ଦବାଲିରେ ଦୁର୍ବୃତ୍ତମାନେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦେଇଛନ୍ତି । ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ରାସ୍ତା ଅବରୋଧ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି । ହେଲେ ଘଟଣା ଥମିବାର ନା ନେଉନି । ଆସନ୍ତାକାଲି ବିରୋଧୀ ବିଜେଡି ଓ ବିଜେପି ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପୀଡିତାଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ।

ଏହି ଘଟଣାରେ ପ୍ରତିକ୍ରିୟା ରଖି ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର କହିଛନ୍ତି, ୧୦ ବର୍ଷର ନାବାଳିକାକୁ ହତ୍ୟା ଘଟଣାରେ ଭଦ୍ରକ ଏସପି ଓ ସମ୍ପୂର୍ଣ୍ଣ ଟିମ ତଦନ୍ତ ଦାୟିତ୍ୱ ନେଇଥିଲେ । ନାବାଳିକାଙ୍କ ବାପାଙ୍କ ଏତଲାରେ ପୋସ୍କୋ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତକୁ ଠାବ କରିବା ଚାଲେଞ୍ଜ ଥିଲା ବୋଲି ପୂର୍ବାଞ୍ଚଳ ଡିଆଇଜି କହିଛନ୍ତି ।

ଡିଆଇଜି କହିଛନ୍ତି, ଲୋକେ ଉତ୍ତେଜିତ ଥିଲେ, ଆଇନଶୃଙ୍ଖଳାକୁ ନିୟନ୍ତ୍ରଣ କରିଛୁ । ବହୁତ୍ ଟିମ୍ ଗଠନ ହୋଇଥିଲା । ସାକ୍ଷୀ କେହି ନଥିଲେ । ୧୨ ଘଣ୍ଟାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ବଳିଷ୍ଠ ପ୍ରମାଣ ପାଇଁ ଡାକ୍ତର ଶବ ବ୍ୟବଚ୍ଛେଦ କରିବେ । ସାଇଣ୍ଟିଫିକ ଟିମ୍ ତଦନ୍ତ କରିଛି । ବର୍ତ୍ତମାନ ସୁଦ୍ଧା ଜଣେ ଅଭିଯୁକ୍ତ ସଂପୃକ୍ତି ପ୍ରମାଣ ମିଳିଛି । ଅଧିକ ଲୋକଙ୍କ ସଂପୃକ୍ତିକୁ ନେଇ ତଦନ୍ତ ଚାଲିଛି । ଅଭିଯୁକ୍ତ ନିକ ରୁ ସମ୍ବେଦନଶୀଳ ସାମଗ୍ରୀ ପାଇଛୁ । ଅଭିଯୁକ୍ତ ଘଟଣା ସ୍ୱୀକାର କରିଛି ।

ଭଦ୍ରକ ଚାନ୍ଦବାଲିରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡ଼ିଛି । ଜଗତସିଂହପୁରରୁ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ପୋଲିସ କରିଛି । ଘଟଣାକୁ ନେଇ ଚାନ୍ଦବାଲିରେ ରାସ୍ତାରୋକ ଓ ଉତ୍ତେଜନା ଦେଖା ଦେଇଛି। ଗାଁରେ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଉଲ୍ଲେଖଥାଉ କି, ଗତକାଲି ସଂଧ୍ୟାରେ ଜଙ୍ଗଲରୁ ନାବାଳିକାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଥିଲା । ଚାନ୍ଦବାଲି ଅଞ୍ଚଳର ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ଜଣେ ୧୦ ବର୍ଷର ନାବାଳିକା ଅପରାହ୍ଣ ପ୍ରାୟ ୨ଟା ବେଳେ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲା । ସଂଧ୍ୟା ହେବାରୁ ପରିବାର ଲୋକେ ଖୋଜାଖୋଜି କରି ପାଇନଥିଲେ । ତେବେ ଛାତ୍ରୀଙ୍କ ମୃତଦେହ ସହର ଉପକଣ୍ଠ ବାଲିଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ନିଛାଟିଆ ସ୍ଥାନରେ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ । ସଂପୃକ୍ତ ନାବାଳିକାଙ୍କୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପ୍ରଚାର ହେବା ପରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ।

ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହାସହିତ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ପ୍ରାଥର୍ନା କରିଛନ୍ତି । ସମ୍ପୃକ୍ତ ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା ପୀଡ଼ିତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ସହୟତା ରାଶି ଘୋଷଣା କରିଛନ୍ତି ।


Reporterspen