Delanga News: ଭୁବନେଶ୍ୱର,ଡେଲାଙ୍ଗ (ରିପୋଟର୍ସ ପେନ୍): ଡେଲାଙ୍ଗ ଥାନା ବେରବୋଇରେ ଏକ ଯଜ୍ଞ ଚାଲୁଥିବା ବେଳେ ସ୍ଥାନୀୟ ବିଜେପି କୁଜିନେତା ଆତଙ୍କରାଜ ସୃଷ୍ଟି କରିଥିଲେ । ମାରପିଟ୍, ଗାଡି ଭଙ୍ଗାରୁଜା କରିଥିଲେ । ପୋଲିସରେ ଅଭିଯୋଗ ହେବା ସହ ଲୋକେ ଥାନା ଘେରାଉ କରିଥିଲେ । ହେଲେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍ । ବିଜେପି ନେତାଙ୍କ ଚାପରେ ପୋଲିସ ଚେପା ହୋଇ ଚୁପ୍ ବସିଥିବା ଅଭିଯୋଗ ହେଉଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି ।
ସୂଚନା ଅନୂସାରେ, ବେରବୋଇରେ ଏକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଥିଲା । ଗତକାଲି ଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟ ଅନୁଷ୍ଠିତ ହେବା ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଆଖପାଖର ଲୋକେ ସେଠାକୁ ନିମନ୍ତ୍ରିତ ଅତିଥି ହୋଇ ଆସିଥିଲେ । ଏପରିକି ସ୍ଥାନୀୟ ସରପଂଚ ଓ ବିଜେପି କୁଜିନେତା ସନ୍ତୋଷ ରାଉତଙ୍କୁ ମଧ୍ୟ ଡକାଯାଇଥିଲା । ବିଳମ୍ବିତ ରାତିରେ କୁଜିନେତା ସନ୍ତୋଷ ନିଶାସକ୍ତ ଅବସ୍ଥାରେ ସେଠାରେ ପହଞ୍ଚିଥିଲେ । ପ୍ରସାଦ ସେବନ କରିବା ସହ ସରପଂଚଙ୍କୁ କାହିଁକି ନିମନ୍ତ୍ରଣ କଲ ଓ ତା’ଠାରୁ ଯଜ୍ଞ ପାଇଁ ଟଙ୍କା କାହିଁକି ନେଲ ବୋଲି କହି ଗାଁ ଲୋକଙ୍କୁ ଗାଳିଗୁଲଜ କରିଥିଲେ ।
ଏକ ଧାର୍ମିକ କାର୍ଯ୍ୟକ୍ରମରେ ଅଶାନ୍ତ ବାତାବରଣ ସୃଷ୍ଟି ନକରିବାକୁ ଲୋକେ କହି ତାକୁ ଘରକୁ ଯିବାକୁ କହିଥିଲେ । ଏଥିରେ କୁଜିନେତା ଜଣକ ରାଗି ଯାଇ ଗାଁର ଜଣେ ମୁରବିତୁଲ୍ୟ ଲୋକଙ୍କୁ ଧକ୍କା ମାରିଥିଲେ । ଉପସ୍ଥିତ ଲୋକେ ଏହାର ପ୍ରତିବାଦ କରିବାରୁ ସେ ସେଠାରୁ ପଳାଇଯାଇଥିଲା । ମାତ୍ର ଅଧଘଣ୍ଟା ପରେ ୪/୫ଜଣଙ୍କୁ ନେଇ ଗାଁରେ ପହଞ୍ଚି ହଙ୍ଗାମା କରିଥିଲା । ଅଶ୍ରାଭ୍ୟ ଭାଷାରେ ଗାଳିକଗୁଲଜ କରିବା ସହ ଉତ୍ପାତ କରିଥିଲା । ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ବ୍ୟାହତ ସୃଷ୍ଟି କରିବା ଓ ଗାଁରେ ପଶି ଝିଅ-ବୋହୂଙ୍କୁ ଗାଳିଗୁଲଜ କରିବାରୁ ଲୋକେ ଏକତ୍ରିତ ହୋଇ ଥାନାକୁ ଯାଇଥିଲେ ।
ହେଲେ ଅଧାରାସ୍ତାରେ ଗାଡି ଅଟକାଇ ଅଟୋ ଭଙ୍ଗାରୁଜା କରିବା ସହ ଲୋକଙ୍କୁ ମାଡ ମାରିଥିଲେ । ଏପରି କି ମହିଳାମାନଙ୍କୁ ର୍ଦ୍ୟୁବହାର କରିଥିଲେ । ବିଳମ୍ବିତ ରାତିରେ ଶତାଧିକ ଲୋକ ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ଦାବି କରିଥିଲେ । ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ସନ୍ତୋଷକୁ ତୁରନ୍ତ ଥାନାକୁ ନେଇଯାଇଥିଲା । ଅଭିଯୁକ୍ତ ଗିରଫ ହେଲା ଓ ସକାଳେ ଆସିବାକୁ କହି ଲୋକଙ୍କୁ ପଠାଇଦେଇଥିଲା । ପରେ ସେ ଅଭିଯୁକ୍ତକୁ ଛାଡି ଦେଇଥିଲା । ସକାଳୁ ଲୋକେ ଥାନାକୁ ଯିବାରୁ ପୋଲିସ ଏବେ ଆଶୁସମାଧାନ କରିବାକୁ କହୁଛି ।
ହେଲେ ପୋଲିସର ଏଭଳି ନୀତି କାହିଁକି? ଅଭିଯୁକ୍ତକୁ ଗିରଫ ନକରି ଛାଡି ନେଇ ସମାଧାନ ପାଇଁ କହିବାର ଉର୍ଦ୍ଦେଶ୍ୟ କଣ? ବିଜେପି ନେତା ବୋଲି ପୋଲିସର ଏଭଳି କୋହଳ ମନୋଭାବ କି? ନା ନେତାଙ୍କ ଚାପରେ ପୋଲିସ ଚେପା ହୋଇଗଲା? ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଲୋକେ ନ୍ୟାୟ ପାଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।