ଭୁବନେଶ୍ୱର, (ରିପୋର୍ଟର୍ସପେନ୍): ଆଉ ଟେନସନ୍ ନାହିଁ ! ମାସେ ବଢିଲା ପିୟୁସିସି ଅବଧି। ଫେବୃଆରୀ ପହିଲା ଯାଏଁ ଗାଡିର ବୈଧ କାଗଜପତ୍ର କରାଇନେବାକୁ ପରାମର୍ଶ ଦିଆଯାଇଛି। ଏହି ଅବଧି ଭିତରେ RC, ଫିଟନେସ୍, ପିୟୁସି, ବୀମା ଆଦି କରାଇନେବାକୁ କୁହାଯାଇଛି। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାନୁଯାୟୀ, ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା ନିଷ୍ପତ୍ତି ଫେବ୍ରୁଆରୀ ପହିଲାକୁ ଘୁଞ୍ଚିଯାଇଛି। ପୂର୍ବରୁ ଜାନୁଆରୀରୁ ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା। ଗାଡ଼ିର ପ୍ରଦୂଷଣ ଯାଞ୍ଚ ପାଇଁ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅବଧି ବୃଦ୍ଧି କରାଯାଇଛି। ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଫେବ୍ରୁଆରୀ ପହିଲାକୁ ଘୁଞ୍ଚାଯାଇଛି। ଏହି ଅବଧି ମଧ୍ୟରେ ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣ ପତ୍ର ନଥିବା ଗାଡ଼ି ପ୍ରଦୂଷଣ ଯାଞ୍ଚ କରାଇନେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଅବଧିକୁ ବୃଦ୍ଧି କରାଯାଇଥିବାରୁ ଜନସାଧାରଣ ବିବ୍ରତ ନ ହୋଇ ସୁବିଧାରେ ଯାଞ୍ଚ କରାଇବେ ବୋଲି ଆଶା କରାଯାଉଛି ।
ଫେବ୍ରୁଆରୀ ୧ ପୂର୍ବରୁ କୌଣସି ପେଟ୍ରୋଲ ପମ୍ପରେ କାହାକୁ ମଧ୍ୟ ପ୍ରଦୂଷଣ ସାର୍ଟିଫିକେଟ ପାଇଁ ଇନ୍ଧନ ଦେବାକୁ ମନା କରାଯାଇପାରିବ ନାହିଁ। ଏହି ସମୟରେ ପ୍ରଦୂଷଣ ସାର୍ଟିଫିକେଟ ସଂକ୍ରାନ୍ତରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି।

