ଭୁବନେଶ୍ୱର, (ରିପୋର୍ଟର୍ସପେନ୍) : ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତି ତଥା ମାଟିର ଝିଅ ଦୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି। ତାଙ୍କର ଏହି ଗସ୍ତ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଗର୍ବ ଓ ଗୌରବର ଏକ ଅନନ୍ୟ ମୁହୂର୍ତ୍ତ ବୋଲି ମୁଖ୍ୟମନ୍ତୀ ନିଜ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି। ରାଷ୍ଟ୍ରପତିଙ୍କ ଏହି ଓଡ଼ିଶା ଗସ୍ତ ରାଜ୍ୟର ସର୍ବାଙ୍ଗୀନ ବିକାଶ, ସମୃଦ୍ଧି ଓ ଜନକଲ୍ୟାଣ ପାଇଁ ନୂତନ ଆଶା ଓ ଆକାଂକ୍ଷା ଆଣିବା ସହ ଓଡ଼ିଶାର ପ୍ରଗତି ପଥରେ ଏକ ନୂତନ ଅଧ୍ୟାୟ ଯୋଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ସୋମବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବାୟୂସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆସନ୍ତାକାଲି ଅପରାହ୍ନ ୫ଟାରେ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ତାଳବଣିଆ ହେଲିପ୍ୟାଡ୍ରେ ପହଞ୍ଚିବେ। ଏହାପରେ ପୁରୀ ଲୋକଭବନ ଯାଇ ସେଠାରେ ରାତ୍ରିଯାପନ କରିବେ। ଆସନ୍ତା ୪ ତାରିଖରେ ଶ୍ୱେତଗଙ୍ଗାରେ ରାଷ୍ଟ୍ରପତି ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବା ସହ ଶ୍ରୀମନ୍ଦିରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
ଆସନ୍ତା ୩ ତାରିଖ ସକାଳ ସାଢେ ୮ଟାରେ ରାଷ୍ଟ୍ରପତି ଲୋକଭବନରୁ କାରକେଡ୍ରେ ବିମାନବନ୍ଦରକୁ ଯିବେ। ସେଠାରୁ ହେଲିକପ୍ଟର ଯୋଗେ ବାଲେଶ୍ୱର ଅଭିମୁଖେ ବାହାରିବେ। ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ବିଶ୍ୱବିଦ୍ୟାଳୟର ନବନିର୍ମିତ ଅଡିଟୋରିୟମକୁ ଉଦଘାଟନ କରିବେ।
ଆସନ୍ତା ୪ ତାରିଖରେ ରାଷ୍ଟ୍ରପତି ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ରାଇରଙ୍ଗପୁରର ମାହୁଲଦିହାସ୍ଥିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିବେ। ସେ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଏବଂ ଡାକ୍ତରଖାନା, ଓୟୁଏଟି କ୍ୟାମ୍ପସ, ତୀରନ୍ଦାଜୀ କେନ୍ଦ୍ର, ସହରୀ ସୌନ୍ଦର୍ଯ୍ୟକରଣ ଏବଂ ଡ୍ରେନେଜ ଅପଗ୍ରେଡେସନ ପ୍ରକଳ୍ପ, ବିଭିନ୍ନ ସିଏସଆର ପ୍ରକଳ୍ପ ଏବଂ ରାଇରଙ୍ଗପୁରରେ ଏମଏସସିବି ବିଶ୍ୱବିଦ୍ୟାଳୟ ସୂଚନା ପ୍ରଯୁକ୍ତିବିଦ୍ୟା କ୍ୟାମ୍ପସ ଭଳି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
ଆସନ୍ତା ୬ ତାରିଖରେ ରାଷ୍ଟ୍ରପତି ଶିମିଳିପାଳଠାରେ ଆଦିବାସୀ ସମ୍ପ୍ରଦାୟର ମହିଳା ଏବଂ ଯୁବକମାନଙ୍କ ସହ ଭାବବିନିମୟ କରିବେ । ପରେ ହେଲିକପ୍ଟର ଯୋଗେ ମଧ୍ୟାହ୍ମ ସାଢେ ୧ଟା ସୁଦ୍ଧା ଭୁବନେଶ୍ୱର ବିମାନବନ୍ଦରକୁ ଫେରିବେ। ସେଠାରୁ କାରକେଡ୍ ଯୋଗେ ଲୋକଭବନକୁ ଯାଇ ଅପରାହ୍ଣ ୪ଟାରେ ଜାଭିଅର ଛକ ଅଭିମୁଖେ ବାହାରିବେ। ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ସହଯୋଗରେ ଓଡିଶା ସରକାରଙ୍କ ଦ୍ୱାରା ମେ’ ଫେୟାର ହୋଟେଲରେ ଆୟୋଜିତ “ବ୍ଲାକ୍ ସ୍ୱାନ୍ ସମ୍ମିଟ୍ ଇଣ୍ଡିଆ’ରେ ଯୋଗଦେବେ। ସେହିଦିନ ଲୋକଭବନରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି। ତା’ ପରଦିନ ସକାଳ ସାଢେ ୮ଟାରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରୁ ଛତିଶଗଡ ଅଭିମୁଖେ ବାହାରିବେ। ଜଗଦଲପୁରରେ “ବସ୍ତର ପାଣ୍ଡୁମ ୨୦୨୬’ ମହୋତ୍ସବର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି।

