ନେଦରଲାଣ୍ଡସକୁ ହରାଇବାକୁ ସଂଘର୍ଷ କଲା ପାକିସ୍ତାନ

Reporterspen

ନୂଆଦିଲ୍ଲୀ,୦୭/୦୨; ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ପ୍ରଥମ ମ୍ୟାଚ ପାକିସ୍ତାନ ଏବଂ ନେଦରଲାଣ୍ଡସ ମଧ୍ୟରେ ଖେଳାଯାଇଛି । କଲମ୍ବୋରେ ଏହି ମ୍ୟାଚ ଖେଳାଯାଇଥିଲା । ଏକ ବଡ଼ ବିପର୍ଯ୍ୟରୁ ଅଳ୍ପକେ ବର୍ତ୍ତିଛି ପାକିସ୍ତାନ କ୍ରିକେଟ ଦଳ। ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ପାକିସ୍ତାନ ନେଦରଲ୍ୟାଣ୍ଡସ୍କୁ ୩ ୱିକେଟ୍‌ରେ ପରାସ୍ତ କରିଛି। ଫହିମ୍‌ ଅସରଫ୍‌ ଅଳ୍ପକେ ପରାଜୟରୁ ଦଳକୁ ରକ୍ଷା କରିଛନ୍ତି। ନଚେତ୍‌ ୨୦୨୬ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାନ୍ତା। ଫହିମ୍‌ ଅସରଫ୍‌ ପ୍ଲେୟାର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

କଲମ୍ବୋରେ ଖେଳାଯାଇଥିବା ମ୍ୟାଚ୍‌ରେ, ନେଦରଲ୍ୟାଣ୍ଡସ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ୧୪୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା ନେଦରଲାଣ୍ଡସ। ଜବାବରେ, ପାକିସ୍ତାନ ଶେଷ ଓଭରରେ ୩ ୱିକେଟ୍‌ ବାକି ଥାଇ ଏକ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ନେଦରଲ୍ୟାଣ୍ଡସର କୌଣସି ବ୍ୟାଟର ବଡ଼ ପାଳି ଖେଳି ନଥିଲେ। କିନ୍ତୁ ଅଧିନାୟକ ସ୍କଟ୍‌ ଏଡୱାର୍ଡସ୍‌ ଏବଂ ବାସ ଡି ଲିଡେ ଯଥାକ୍ରମେ ୩୭ ଏବଂ ୩୦ ରନ କରିଥିଲେ। ମାଇକେଲ୍‌ ଲେଭିଟ୍‌ ୨୪ ଏବଂ କଲିନ୍‌ ଆକରମ୍ୟାନଙ୍କ ୨୦ ରନ ନେଦରଲ୍ୟାଣ୍ଡସକୁ ୧୪୭ ରନରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲା ।

୧୪୮ ରନର ଟାର୍ଗେଟକୁ ପିଛା କରି ପାକିସ୍ତାନର ଓପନର ସାହିବଜାଦା ଫରହାନ ୪୭ ରନ କରିଥିଲେ । ସାମ ଆୟୁବ ଦଳକୁ ଏକ ଦୃଢ଼ ଆରମ୍ଭ ଦେବା ପାଇଁ ଦ୍ରୁତ ୨୪ ରନର ଇନିଂସ ଖେଳିଥିଲେ । ଅଧିନାୟକ ସଲମାନ ଆଘା ଏବଂ ବାବର ଆଜାମ ଯଥାକ୍ରମେ ୧୨ ଏବଂ ୧୫ ରନ କରି ବିଫଳ ହୋଇଥିଲେ । ପାକିସ୍ତାନର ଦଳୀୟ ସ୍କୋର ୯୮ ରନ ଏବଂ ୫୮ ବଲରେ କେବଳ ୫୦ ରନ ଦରକାର ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ୱିକେଟ ପତନ ଆରମ୍ଭ ହୋଇଥିଲା । ବିଶେଷକରି ପଲ ଭାନ ମିକେରେନ ପାକିସ୍ତାନୀ ବ୍ୟାଟିଂକୁ ଧ୍ୱଂସ କରିଦେଇଥିଲେ । ସ୍କୋର ୧୦୦ରେ ପହଞ୍ଚିବା ବେଳକୁ ପାକିସ୍ତାନୀ ଦଳର ଅଧା ପ୍ଲେୟାର ପାଭିଲିୟନ ଫେରିଥିଲେ।

ସ୍କୋର ୧୧୪ରେ ପହଞ୍ଚିବା ବେଳକୁ ଉଭୟ ଅଭିଜ୍ଞ ଅଲରାଉଣ୍ଡର ମହମ୍ମଦ ନୱାଜ ଏବଂ ଉସାମା ଖାନଙ୍କ ୱିକେଟ ପତନ ହୋଇଥିଲା । ପାକିସ୍ତାନ ୧୧୪ ରନରେ ୭ ଜଣ ବ୍ୟାଟରଙ୍କୁ ହରାଇଥିଲା । ଫହିମ ଆସରଫଙ୍କ ୧୧ ବଲରୁ ୨୯ ରନ ଯୋଗୁଁ ପାକିସ୍ତାନ ଏକ ବଡ଼ ବିପର୍ଯ୍ୟୟ ଏଡାଇ ଯାଇଥିଲା । ପରାଜୟରୁ ଅଳ୍ପକେ ବର୍ତ୍ତିଛି ଆଘାସେନା। ୩ ୱିକେଟରେ ନେଦରଲାଣ୍ଡସ ବିପକ୍ଷରେ ପ୍ରଥମ ମ୍ୟାଚ ଜିତିଛି ପାକିସ୍ତାନ।


Reporterspen