ହତ୍ୟାରେ ବ୍ୟବହୃତ କାର ଓଭରବ୍ରିଜ ତଳକୁ ଖସିଲା, ୮ ଅଳ୍ପକେ ବର୍ତ୍ତିଲେ
ପ୍ରେମିକା ସହ ଦୁଇ ଥାନାରେ ଅଟକ, ପୋଲିସର ତନାଘନା
ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍): ପ୍ରେମ ସପ୍ତାହରେ ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ପ୍ରେମ ବ୍ୟାପାରକୁ ନେଇ ଜଣେ ଟ୍ୟାକ୍ସି ଡ୍ରାଇଭରକୁ ଛୁରୀ ଭୂଷି ହତ୍ୟ।। କରାଯାଇଛି। ମୃତକ ଜଣକ ବ୍ରହ୍ମଗିରିର ହାସିନାପୁରର ସତ୍ୟବ୍ରତ ପ୍ରଧାନ। ପୋଲିସ ଘଟଣାକୁ ନେଇ ତନାଘନା ଚଳାଇଥିବା ବେଳେ ପ୍ରେମିକା ସହ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସେପଟେ ହତ୍ୟାକାଣ୍ଡରେ ବ୍ୟବହୃତ କାର ମାଉସୀ ମା’ ଓଭରବ୍ରିଜ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଅଳ୍କକେ ୮ଜଣ ଲୋକ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁସାରେ, ସତ୍ୟବ୍ରତ ପେଷାରେ ଜଣେ ଡ୍ରାଇଭର ଭାବେ କାମ କରୁଥିଲା। କିଛି ମାସ ତଳେ ଚନ୍ଦ୍ରଶେଖରପୁର ଅଂଚଳରେ ଥିବା ଏକ ପାର୍ଲରରେ କାମ କରୁଥିବା ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ମାତ୍ର ଯୁବତୀ ଜଣକ ତାଙ୍କୁ ଧୋକା ଦେଇ ଦୀନେଶ ନାମକ ଜଣେ ଯୁବକଙ୍କୁ ଭଲଏ ପାଉଥିଲେ। ଏକଥା ସତ୍ୟବ୍ରତ ଜାଣି ପାରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ତେବେ ଏବେ ଭାଲେଣ୍ଟାଇନ୍ ସପ୍ତାହ ଚାଲିଥିବାରୁ ମାମଲର ରଫାଦଫା କରିବାକୁ ସତ୍ୟବ୍ରତ ସଂପୃକ୍ତ ଯୁବତୀଙ୍କ ପାଖକୁ ଆସିଥିଲେ। ନିଳାଦ୍ରୀବିହାର ସେକ୍ଟର-୨ରେ ରହୁଥିବା ସଂପୃକ୍ତ ଯୁବତୀଙ୍କ ଭଡା ଘରେ ଏକ କାର ଯୋଗେ ସତ୍ୟବ୍ରତ ପହଞ୍ଚିଥିଲେ। ସେତେବେଳକୁ ଭଡା ଘରେ ଦିନେଶ ସହ ସଂପୃକ୍ତ ଯୁବତୀ ଓ ଅନ୍ୟ ଦୁଇ ଯୁବକ ଉପସ୍ଥିତ ଥିଲେ।
ସତ୍ୟବ୍ରତ ପହଞ୍ଚିବା କ୍ଷଣି ପ୍ରେମ ବ୍ୟାପାରକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଆଉ ସେହି ଗଣ୍ଡଗୋଳ ଭିତରେ ତାଙ୍କୁ ଛୁରା ମାଡ କରାଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ସତ୍ୟବ୍ରତ ଘର ଭିତରୁ ଦୌଡି ଦୌଡି ରାସ୍ତା ଉପରକୁ ଆସିଥିଲେ। ସେଠାରୁ ସ୍ଥାନୀୟ ଲୋକେ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଆଜି ଭୋରରେ ଡାକ୍ତର ସତ୍ୟବ୍ରତଙ୍କୁ ମୃତ ଘୋଷଣା କରିଥିଲେ। ଆକ୍ରମଣ ଭିତରେ ଭୋର ସାଢେ ୪ଟାରେ ମାମଲାର ମାଷ୍ଟରମାଇଣ୍ଡ ଯୁବତୀ ଜଣକ ଇନଷ୍ଟାଗ୍ରାମରେ ନିଜ ଷ୍ଟାଟସରେ ଏକ ରିଲ୍ସ ବି ପୋଷ୍ଟ କରିଥିଲେ।
ଅନ୍ୟପକ୍ଷରେ ଏହି ଘଟଣା ଘଟିବା ପରେ ସତ୍ୟବ୍ରତ ଆସିଥିବା କାରଟି ଭୋର ସାଢେ ୫ଟା ବେଳେ ମାଉସୀ ମା’ ଓଭରବ୍ରିଜ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏପରିକି ବ୍ରିଜର ବ୍ୟାରିକେଡ ଭାଙ୍ଗି ତଳକୁ ଖସିପଡିଥିଲା। ତଳେ ଥିବା ଘର ଉପରେ କାରଟି ଖସି ପଡିବାରୁ ଦୁଇ ଜଣ ଆହତ ହୋଇଥିବା ବେଳେ ୮ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୋଲିସ କାରକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।
ପୋଲିସର କହିବା କଥା, ଦୁର୍ଘଟଣାଗ୍ରସ୍ତ ହୋଇଥିବା କାର ଯୋଗେ ମୃତ ସତ୍ୟବ୍ରତ ନିଳାଦ୍ରୀବିହାର ସେକ୍ଟର-୨ରେ ରହୁଥିବା ସଂପୃକ୍ତ ଯୁବତୀଙ୍କ ଘରକୁ ଏକୁଟିଆ ଯାଇଥିଲେ। ଏଠାରେ ପ୍ରଶ୍ନ, ସତ୍ୟବ୍ରତଙ୍କ ମୃତ୍ୟୁ ପରେ କିଏ ଏହି କାରଟିକୁ ଧରି ଘଟଣାସ୍ଥଳରୁ ଫେରାର୍ ମାରୁଥିଲେ? କୁହାଯାଉଛି, କାରର ମାଲିକାଣୀ ଅନ୍ୟ ଜଣେ ଡ୍ରାଇଭର ସହାୟତାରେ ମର୍ଡର୍ ସ୍ପଟରୁ ଗାଡିଟିକୁ ଗାୟବ କରିବା ପାଇଁ ପ୍ଲାନ୍ କରିଥିଲେ। କାର୍ ଗାୟବ ଉଦ୍ୟମ ପଛରେ ମାଲିକାଣୀଙ୍କ ହାତ ଥିବା ସନ୍ଦେହ କରି ପୋଲିସ ତାଙ୍କୁ ଥାନାକୁ ଡାକି ପଚରାଉଚରା କରୁଛି। ତା’ସହ ପୋଲିସ ୩ଟି ଟିମ୍ ଗଠନ କରି ମାମଲାର ତଦନ୍ତ କରୁଛି।

