ୟୁ-ଟର୍ଣ୍ଣ ନେବା ପାକିସ୍ତାନର ପୁରୁଣା ଅଭ୍ୟାସ

Reporterspen

ନୂଆଦିଲ୍ଲୀ,୧୦।୦୨; ପାକିସ୍ତାନର ନିଜ ବୟାନରୁ ଓହରିଯିବାର ଏକ ପୁରୁଣା ଅଭ୍ୟାସ ରହିଛି। ଏହା ପ୍ରଥମ ଥର ନୁହେଁ ଯେ, ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଧମକ ଦେଇଛି ଏବଂ ପରେ ଓହରିଯାଇଛି । ଏହି କାରଣରୁ ଅନେକ କ୍ରିକେଟ୍‌ ବିଶେଷଜ୍ଞ ପାକିସ୍ତାନକୁ ଅହଂକାରୀ ବୋଲି କହିଥାନ୍ତି। ପାକିସ୍ତାନ ଟୁର୍ଣ୍ଣାମେଣ୍ଟ ସମୟରେ ବିବାଦୀୟ ବୟାନ ଦେଇ ପ୍ରାୟତଃ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି, କିନ୍ତୁ ପରେ ୟୁ-ଟର୍ଣ୍ଣ ନେଇ ପଡ଼ିଆକୁ ଫେରିଥାଏ କିମ୍ବା ସମସ୍ୟାର ସମାଧାନ କରିଥାଏ। ୨୦୨୬ ଟି-୨୦ ବିଶ୍ୱକପ୍‌ ଖେଳିବନି ବୋଲି କହିବା ପରେ ପାକିସ୍ତାନ ପୁଣି ଥରେ ତାର ମତ ବଦଳାଇ ଫେରିଛି । ଏହାପରେ ପୁଣି ବିଶ୍ୱକପ ଖେଳିବ ହେଲେ ଭାରତ ସହ ମ୍ୟାଚ ଖେଳିବନି ବୋଲି କରିଥିବା ନାଟକ ଶେଷ ହୋଇଛି।

ପାକିସ୍ତାନ ଫେବୃଆରୀ ୧୫ ତାରିଖରେ ଶ୍ରୀଲଙ୍କାର କଲମ୍ବୋରେ ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ୍‌ ଗ୍ରୁପ୍‌ ମ୍ୟାଚ୍‌ ବୟକଟ ଘୋଷଣା କରିଥିଲା । ବାଂଲାଦେଶକୁ ସମର୍ଥନ ଏବଂ ସୁରକ୍ଷା/ରାଜନୈତିକ ଉତ୍ତେଜନା ହେତୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କହିଥିଲା। ତଥାପି, ଆଇସିସି, ବିସିସିଆଇ ଏବଂ ଶ୍ରୀଲଙ୍କାର ଚାପ ପରେ, ପିସିବି ଏବଂ ପାକିସ୍ତାନ ସରକାର ମ୍ୟାଚ୍‌ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି, ଅର୍ଥାତ୍‌ ପାକିସ୍ତାନ ପୁଣି ଥରେ ୩୬୦-ଡିଗ୍ରୀ ୟୁ-ଟର୍ଣ୍ଣ ନେଇଛି।
ଏହା ପ୍ରଥମ ଥର ନୁହେଁ ଯେ ପିସିବି ୟୁ-ଟର୍ଣ୍ଣ ନେଇଛି। ପୂର୍ବରୁ ଅନେକ ଥର ଡ୍ରମା କରିସାରିଛି ।

୨୦୨୬ ଟି-୨୦ ବିଶ୍ୱକପ୍‌ – ପିସିବି ପ୍ରଥମେ ଭାରତ ବିପକ୍ଷ ମ୍ୟାଚ୍‌ ବର୍ଜନ କରିବାକୁ ଧମକ ଦେଇଥିଲା। ତଥାପି, ଆଇସିସି, ଅନ୍ୟ ବୋର୍ଡ ଏବଂ ସରକାରଙ୍କ ସହିତ ଆଲୋଚନା ପରେ, ଶାହବାଜ ସରକାର ସ୍ପଷ୍ଟ ଭାବରେ କ୍ରିକେଟ୍‌ ବୋର୍ଡକୁ ମ୍ୟାଚ୍‌ ଖେଳିବାକୁ କହିଛନ୍ତି ।
ଏସିଆ କପ୍‌ ୨୦୨୫- ମ୍ୟାଚ୍‌ ରେଫରିଙ୍କୁ ହଟାଇବା ପାଇଁ ଦାବି ପୂରଣ ନ ହେଲେ ପିସିବି ଟୁର୍ଣ୍ଣାମେଣ୍ଟ ବର୍ଜନ କରିବାକୁ ଧମକ ଦେଇଥିଲା। କିନ୍ତୁ ଶେଷରେ ପାକିସ୍ତାନ ୟୁଏଇ ବିପକ୍ଷରେ ମ୍ୟାଚ୍‌ ଖେଳିଲା ଏବଂ ଟୁର୍ଣ୍ଣାମେଣ୍ଟ ଜାରି ରଖିଲା ।
ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫- ଯେତେବେଳେ ଭାରତ ପାକିସ୍ତାନରେ ମ୍ୟାଚ୍‌ ଖେଳିବାକୁ ମନା କରିଦେଲା ଏବଂ ମ୍ୟାଚଗୁଡ଼ିକ ୟୁଏଇର ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେଲା । ସେତେବେଳେ ପିସିବି ପ୍ରଥମେ କଠୋର ମନୋଭାବ ଗ୍ରହଣ କରିଥିଲା କିନ୍ତୁ ପରେ ପାକିସ୍ତାନ ଆଇସିସି ବ୍ୟବସ୍ଥାରେ ରାଜି ହୋଇଥିଲା।

୨୦୨୩ ଦିନିକିଆ ବିଶ୍ୱକପ୍‌- ପୂର୍ବତନ ପିସିବି ମୁଖ୍ୟ ରମିଜ ରାଜା ଏବଂ ଅନ୍ୟାନ୍ୟ ଅଧିକାରୀମାନେ ପ୍ରଥମେ କହିଥିଲେ ଯେ, ଏସିଆ କପ୍‌ ଆୟୋଜନ କରିବାକୁ ଭାରତ ମନା କରିବା ପରେ ପାକିସ୍ତାନ ବିଶ୍ୱକପ୍‌ ପାଇଁ ଭାରତ ଯାତ୍ରା କରିବ ନାହିଁ। ମାସ ମାସର ଅନିଶ୍ଚିତତା ଏବଂ ନିରପେକ୍ଷ ସ୍ଥାନ ପାଇଁ ଦାବି ପରେ, ପାକିସ୍ତାନ ସରକାର ଶେଷରେ ଅଗଷ୍ଟ ୬, ୨୦୨୩ରେ ଦଳକୁ ଭାରତରେ ଅଂଶଗ୍ରହଣ କରିବା ପାଇଁ ସରକାରୀ ଅନୁମତି ପ୍ରଦାନ କରିଥିଲେ। ଏଠାରେ ମଧ୍ୟ, ଏକ ଲମ୍ବା ବିବାଦ ପରେ ପାକିସ୍ତାନକୁ ହାର ମାନିବାକୁ ପଡିଥିଲା।

୨୦୨୩ ଏସିଆ କପ୍‌ ହାଇବ୍ରିଡ୍‌ ମଡେଲ୍‌ (ଜୁନ୍‌ ୨୦୨୩)- ପାକିସ୍ତାନ ପ୍ରଥମେ ଜିଦ୍‌ ଧରିଥିଲା ଯେ, ଯଦି ଏସିଆ କପ୍‌ ସମ୍ପୂର୍ଣ୍ଣ ଭାବରେ ଦେଶ ବାହାରେ ଅନୁଷ୍ଠିତ ହୁଏ ତେବେ ଅଂଶଗ୍ରହଣ କରିବ ନାହିଁ । ପରେ, ସେମାନେ ସେମାନଙ୍କର ମତ ପରିବର୍ତ୍ତନ କଲେ ଏବଂ ଏକ ‘ହାଇବ୍ରିଡ୍‌ ମଡେଲ୍‌’ ଗ୍ରହଣ କଲେ, ଯେଉଁଥିଦ୍ୱାରା କେବଳ ୪ଟି ମ୍ୟାଚ୍‌ ପାକିସ୍ତାନରେ ଖେଳାଯାଇଥିଲା, ଅବଶିଷ୍ଟ (ଫାଇନାଲ ସମେତ) ଶ୍ରୀଲଙ୍କାରେ ଖେଳାଯାଇଥିଲା ।

୨୦୧୬ ଟି୨୦ ବିଶ୍ୱକପ୍‌ (ମାର୍ଚ୍ଚ ୨୦୧୬)- ସୁରକ୍ଷା ଚିନ୍ତା, ବିଶେଷକରି ଧର୍ମଶାଳାରେ ସ୍ଥାନ ସମ୍ପର୍କରେ ଉଲ୍ଲେଖ କରି ପାକିସ୍ତାନ ପ୍ରଥମେ ଭାରତ ଯାତ୍ରା କରିବାକୁ ମନା କରିଥିଲା। ଏକ ସୁରକ୍ଷା ପ୍ରତିନିଧିମଣ୍ଡଳୀର ରିପୋର୍ଟ ଏବଂ ଆଇସିସିର ମ୍ୟାଚ୍‌ କୋଲକାତାକୁ ସ୍ଥାନାନ୍ତରିତ କରିବାର ନିଷ୍ପତ୍ତି ପରେ, ଦଳ ନିଜ ମନ ପରିବର୍ତ୍ତନ କରି ଭାରତରେ ମ୍ୟାଚ୍‌ ଖେଳିଥିଲା। ପ୍ରଥମେ ଭାରତ ଯାତ୍ରା କରିବାକୁ ଅନିଚ୍‌ଛା ସତ୍ତ୍‌ବେ ପାକିସ୍ତାନ ପରେ ଭାରତରେ ମ୍ୟାଚ୍‌ ଖେଳିଥିଲା।

ପାକିସ୍ତାନ କାହିଁକି ପଛକୁ ଫେରୁଛି? କ୍ରିକେଟ୍‌ ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ, ପିସିବିର ଧମକ ପ୍ରାୟତଃ ଆର୍ଥିକ ଚାପ, ଆଇସିସିର ରାଜସ୍ୱ ଅଂଶ ଏବଂ ବିଶ୍ୱ କ୍ରିକେଟ୍‌ ଗଠନକୁ ସହ୍ୟ କରିବାରେ ବିଫଳ ହୁଏ। ଅତୀତର ଉଦାହରଣଗୁଡ଼ିକ ଦର୍ଶାଉଛି ଯେ, ପାକିସ୍ତାନ କଡ଼ା ବୟାନ ଦେବା ପରେ ପଛକୁ ହଟିଛି, ବିଶେଷକରି ଯେତେବେଳେ ଆଇସିସି କିମ୍ବା ଅନ୍ୟ ବୋର୍ଡଗୁଡ଼ିକ ଆର୍ଥିକ/ନିୟାମକ ଆଧାରରେ କଠୋର ଆଭିମୁଖ୍ୟ ଗ୍ରହଣ କରନ୍ତି।

ଆଇସିସିକୁ ବିସିସିଆଇର ଧନ୍ୟବାଦ- ପାକିସ୍ତାନ ମୁଣ୍ଡ ନୁଆଁଇବା ପରେ ଆଇସିସିକୁ ଧନ୍ୟବାଦ ଜଣାଇଛି ବିସିସିଆଇ । ଏନେଇ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହା ଆଇସିସି ପାଇଁ ବଡ଼ ସଫଳତା । ସର୍ବୋପରି କ୍ରିକେଟକୁ ପ୍ରାଥମିକତା ଦିଆଯାଇଥିବାରୁ ଆଇସିସିକୁ ଧନ୍ୟବାଦ ଜଣାଉଛି। ବାଂଲାଦେଶ ବୋର୍ଡକୁ ମଧ୍ୟ ଆଶ୍ୱସ୍ତି ଦିଆଯାଇଛି, ସେମାନେ ବି ଖୁସି’ -‘ତେଣୁ ଏଥିରେ ସମସ୍ତଙ୍କ ବିଜୟ ହୋଇଛି, ବିଶେଷ କରି କ୍ରିକେଟ୍ରରେ ବିଜୟ ହୋଇଛି ।’


Reporterspen