ଭୁବନେଶ୍ୱର, (ରିପୋର୍ଟର୍ସପେନ୍) : ଗ୍ରୀଷ୍ମପ୍ରବାହ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍, ପାନୀୟ ଜଳ ଯୋଗାଣ କରାଯାଉ। ଏଥିସହ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ମଡେଲ୍ କୁଲିଂ ସେଲଟରର ବ୍ୟବସ୍ଥା କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମପ୍ରବାହ ସମୟରେ ସାଧାରଣ ଲୋକଙ୍କ ଜୀବନର ସୁରକ୍ଷା ଆମର ପ୍ରାଥମିକତା ବୋଲି ମନ୍ତ୍ରୀ କହିଛନ୍ତି।
ସମ୍ଭାବ୍ୟ ଗ୍ରୀଷ୍ମ-ପ୍ରବାହ ପ୍ରସ୍ତୁତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନଠାରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ବିଭାଗକୁ ପୂର୍ବ ପ୍ରସ୍ତୁତିମୂଳକ ପଦକ୍ଷେପ ଗ୍ରହଣ କରିବା ସହ ମାନବଜୀବନର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ କହିଥିଲେ କ୍ଷ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ମଡେଲ୍ କୁଲିଂ ସେଲଟର୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଛାତ୍ରଛାତ୍ରୀ, ଏବଂ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ଗୁରୁତ୍ୱାରୋପ କରିଥିଲେ କ୍ଷ ଏଥିସହିତ ହିଟ୍ ୱେଭ୍ ପ୍ରସଙ୍ଗର ଗୁରୁତ୍ୱ ଉପଲବ୍ଧି କରି ତ୍ୱରିତ ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ କ୍ଷମତା ଦିଆଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ଅର୍ଥାତ୍ ଦିନ ୧୧ରୁ ୩ ଘଟିକା ଯାଏ କୌଣସି ବି ନିର୍ମାଣ ଆଦି ଶାରୀରିକ କାର୍ଯ୍ୟ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା କ୍ଷ ଏଥିରେ ଖିଲାପ କରି ଶ୍ରମିକ ବା ସାଧାରଣ ଲୋକଙ୍କୁ କାମରେ ଲଗାଉଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଦ୍ୟାଳୟରେ ଶିଶୁମାନଙ୍କ ପାଇଁ ନିୟମିତ ବ୍ୟବଧାନରେ ପାଣି ପିଇବା ନିମନ୍ତେ ସ୍ୱତନ୍ତ୍ର ବେଲ୍ ବ୍ୟବସ୍ଥା କରାଯିବାକୁ ପରାମର୍ଶ ଦିଆଯାଇଥିଲା କ୍ଷ ଜନବହୁଳ ଟ୍ରାଫିକ୍ ସ୍ଥାନମାନଙ୍କରେ ଅସ୍ଥାୟୀ ସେଡ୍ ବ୍ୟବସ୍ଥା କରାଯିବା ନେଇ ଆଲୋଚନା ହୋଇଥିଲା କ୍ଷ ବୈଠକରେ ଡାକ୍ତରଖାନାମାନଙ୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଂଶୁଘାତ ୱାର୍ଡର ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସମସ୍ତ ଗ୍ରାମପଞ୍ଚାୟତମାନଙ୍କରେ ନଳକୂପ ମରାମତି ସହ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆବଶ୍ୟକ ସ୍ଥଳେ ପାଣି ଟ୍ୟାଙ୍କର୍ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିଲା।
ସେହିପରି ଖରାଦିନେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇ ଦେବାକୁ ଅଧିକ ଶକ୍ତି ସଂରକ୍ଷଣ କରି ରଖିବାକୁ ଆଲୋଚନା ହୋଇଥିଲା। ଝାରସୁଗୁଡା, ବ୍ରଜରାଜନଗର, ଅନୁଗୁଳ, ତାଳଚେର ଆଦି ଅଞ୍ଚଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଧିକ ପ୍ରଭାବିତ ହେଉଥିବା ଯୋଗୁ ସେସବୁ ଅଞ୍ଚଳରେ ବିଶେଷ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିଲା। ବିଭିନ୍ନ ଖଣି ଅଞ୍ଚଳ ଏବଂ କଳକାରଖାନାମାନଙ୍କରେ ସୁରକ୍ଷା ପାଇଁ କୁଲିଂ ସେଲଟର୍ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଶୀତତାପ ନିୟନ୍ତ୍ରିତ ବସ୍ ସେବା ଯୋଗାଇ ଦେବାକୁ ଆଲୋଚନା ହୋଇଥିଲା। ସେହିପରି ଦୀର୍ଘମିଆଦୀ ସୂତ୍ରରେ ସହରାଞ୍ଚଳରେ କ୍ଷୁଦ୍ର ଜଙ୍ଗଲୀକରଣ ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ଖାଲି ଥିବା ସରକାରୀ ଜମି ଯୋଗାଇ ଦିଆଯିବାକୁ ଆଲୋଚନା ହୋଇଥିଲା।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପ୍ରଶାସନକୁ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ। ସ୍ୱତନ୍ତ୍ର ସାହାଯ୍ୟ ଆୟୁକ୍ତ ରାଜେଶ ପ୍ରଭାକର ପାଟିଲ୍ ଗ୍ରୀଷ୍ମ ପ୍ରବାହ ସହ ସମ୍ଭାବ୍ୟ କାଳବୈଶାଖୀର ମୁକାବିଲା କରିବା ପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଥିଲେ। ଏହି ସମୀକ୍ଷା ବୈଠକରେ ଶକ୍ତି ବିଭାଗ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତ ଆରଡିସି, ଜିଲ୍ଲାପାଳ ଏବଂ ସମସ୍ତ ମହାନଗର ନିଗମର କମିଶନର ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ।

