ଭୁବନେଶ୍ୱର, (ରିପୋର୍ଟର୍ସପେନ୍) : ରାଜ୍ୟରେ ବନ୍ୟା ଦ୍ୱାରା କ୍ଷୟକ୍ଷତିକୁ ହ୍ରାସ କରାଯିବ । ଏ ନେଇ ରାଜ୍ୟ ସରକାର ନୂଆ ଯୋଜନା ଆଣିଛନ୍ତି । ଯାହାକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି । ୨୭୮୧ କୋଟି ଟଙ୍କାର ବ୍ୟାପକ ବନ୍ୟା ପରିଚାଳନା ଯୋଜନା ପ୍ରସ୍ତୁତ ହୋଇଛି । ଏହି ଯୋଜନା ଆସନ୍ତା ୫ବର୍ଷ(୨୦୨୫- ୨୬ରୁ ୨୦୨୯-୩୦) ମଧ୍ୟରେ ଲାଗୁ ହେବ । ଯୋଜନାରେ ତଟବନ୍ଧ ଉନ୍ନତୀକରଣ, ସଶକ୍ତୀକରଣ, ଲୁଣାବନ୍ଧ ସୁରକ୍ଷା, ପୁନରୁଦ୍ଧାର, ଉପକୂଳ କ୍ଷୟ ନିୟନ୍ତ୍ରଣ କରାଯିବ । ଏହା ସହିତ ବନ୍ୟା ପୁର୍ବାନୁମାନ, ବନ୍ୟା ପ୍ରସ୍ତୁତି, ବନ୍ୟାପ୍ରବଣ ଅଞ୍ଚଳ ଚିହ୍ନଟ, ପ୍ରକ୍ରିୟାଗତ ସଂସ୍କାର ତଥା ଉଦ୍ଧାର କାର୍ଯ୍ୟ ରହିବ ।
ସେହିପରି ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ବିକାଶ ଯୋଜନାରେ ୫ ବର୍ଷ ମଧ୍ୟରେ ମୋଟ୍ ୫୮୯.୧୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ କର୍ମଶାଳା ନିର୍ମାଣ, ଭିତ୍ତିଭୂମି ବିକାଶ, ଦକ୍ଷତା ବିକାଶ, ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ବିପଣନ ନିମନ୍ତେ ପ୍ରୋତ୍ସାହନ, ବ୍ରାଣ୍ଡ ନିର୍ମାଣ, ଭୌଗୋଳିକ ସୂଚକାଙ୍କ ଓ ପ୍ରସାର, ପ୍ରଚାର, କଞ୍ଚାମାଲ ବ୍ୟାଙ୍କ, ସୂଚନା ପ୍ରଯୁକ୍ତି ଏବଂ ନୂତନତ୍ୱ, ମୁଖ୍ୟମନ୍ତ୍ରୀ ବୁଣାକାର ସମ୍ମାନ ପ୍ରଦାନ କରାଯିବ ।
୩୫୨ କୋଟି ଟଙ୍କା ଖର୍ଚ୍ଚ କରି ୨୦୧୧ରୁ ବନ୍ଦ ପଡ଼ିଥିବା ବଡ଼ମ୍ବା ଚିନିକଳର ପୁନରୁଦ୍ଧାର କରାଯିବ । ଯାହା ଦ୍ୱାରା ଦୈନିକ ୩୫୦୦ ଟନ୍ ଆଖୁ ପେଡ଼ିବା ସହ ସଲଫର-ମୁକ୍ତ ଚିନି ଉତ୍ପାଦନ ହୋଇପାରିବ । ୫୦୦ରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ବଡ଼ମ୍ୱା ଏବଂ ଆଖପାଖ ଅଞ୍ଚଳର ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ହେବ । ପୋଷଣ ୨.୦ ଅଧୀନରେ ମା’ ଏବଂ ଶିଶୁଙ୍କ ପୁଷ୍ଟିସାଧନର ରିଅଲ୍ ଟାଇମ ମନିଟରିଂ କରାଯିବ । ସେ ବାବଦରେ ଅଙ୍ଗନବାଡି କର୍ମୀ, ପରିଦର୍ଶିକା ଏବଂ ବ୍ଲକ୍ କୋ-ଅର୍ଡିନେଟରଙ୍କୁ ପ୍ରତି ୪ ବର୍ଷରେ ଥରେ ସ୍ମାର୍ଟଫୋନ୍ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ସେଥିପାଇଁ ୯୩.୧୩ କୋଟି ଟଙ୍କାର ୭୯,୦୩୩ ସାମସଙ୍ଗ ଏ୦୬ ସ୍ମାର୍ଟ ଫୋନ୍ କିଣିବାକୁ କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛି ।
୨୦୨୪-୨୫ ଧାନ ସଂଗ୍ରହ ବର୍ଷରେ ରାଜ୍ୟର ବିଭିନ୍ନ ଯୋଜନାରେ ବଳକା ଚାଉଳ ବଣ୍ଟନ କରିବା ପରେ ମଧ୍ୟ ୨.୦୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ବଳକା ରହିଛି । ସେଥି ମଧ୍ୟରୁ ୧ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଖୋଲା ବଜାରରେ ନିଲାମ କରାଯିବ । ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ବୃତ୍ତିଗତ, ବ୍ୟବସାୟ, ଆଜୀବିକା ଟିକସ ନିୟମ ସଂଶୋଧନ ହେବ । ଏହାଦ୍ୱାରା ବୃତ୍ତିଗତ ଟିକସ ଉଚ୍ଛେଦ ହେବ । ଏହା ଦ୍ୱାରା ରାଜ୍ୟରେ ବାଣିଜ୍ୟିକ ପରିବେଶ ସୁଗମ ହେବ । ଏ ନେଇ ଅଧ୍ୟାଦେଶ ଆଣିବେ ସରକାର । ସେହିଭଳି ଓଡ଼ିଶା ସୁପିରିୟର ଜୁଡିସିଆଲ୍ ସର୍ଭିସ ନିୟମ ସଂଶୋଧନ ହେବ । ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍)ର ବିକାଶ ପାଇଁ ୯୨୯.୯୬ କୋଟି ଖର୍ଚ୍ଚ ହେବ । ଓଡ଼ିଶା ଶିଳ୍ପ ସେବା(ସହାୟକ ପରିଚାଳକ ନିର୍ଦ୍ଦେଶକଙ୍କ ନିଯୁକ୍ତିର ବିଧି ମାନ୍ୟକରଣ) ଅଧିନିୟମ ସଂଶୋଧନ ବିଧେୟକ ଆସିବ ।
୧୯୭୦ ମାର୍ଚ୍ଚ ୧୧ରୁ ୧୯୯୮ ଏପ୍ରିଲ ୩୦ ତାରିଖ ମଧ୍ୟରେ ସରକାରଙ୍କ ଅନୁମୋଦନକ୍ରମେ ଯଥା ଲିଜଦାତାଙ୍କ ସମ୍ମତିକ୍ରମେ ଲିଜ୍ ଜମି ହସ୍ତାନ୍ତର କରାଯାଇ ପରବର୍ତ୍ତୀ ସମୟରେ ଆବଶ୍ୟକୀୟ ତ୍ରିପାକ୍ଷିକ ଦଲିଲ ନିଷ୍ପାଦିତ ଓ ପଞ୍ଜୀକରଣ କରାଯାଇଛି । ସେହି କ୍ଷେତ୍ରରେ ଲିଜ ହସ୍ତାନ୍ତର ମାଧ୍ୟମରେ ଜମି ପ୍ରାପ୍ତ ହୋଇଥିବା ବ୍ୟକ୍ତି ତଥା ସେମାନଙ୍କ ଉତ୍ତରାଧିକାରୀଙ୍କଠାରୁ ସମ୍ମତି ଶୁଳ୍କ ଆଦାୟ ନକରିବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ସାଧାରଣ ପ୍ରଶାସନ ବିଭାଗର ସମ୍ମତିକ୍ରମେ ଲିଜ ଜମି ହସ୍ତାନ୍ତର କରାଯାଇ ହୋଇଥିବା ତ୍ରିପାକ୍ଷିକ ଦଲିଲର ବେଞ୍ଚମାର୍କ ଭାଲ୍ୟୁସନରେ ସମ୍ମତି ଶୁଳ୍କ ଆଦାୟ ହୋଇଛି । ସେଗୁଡିକୁ ଉପଯୁକ୍ତ ଆର୍ଥିକ ପ୍ରକ୍ରିୟାକୁ ଅନୁସରଣ କରି ଫେରସ୍ତ କରାଯିବ ।

