ନିଶା ଦେଇ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀରେ ପୁଣି ଏକ ଳଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ଏକ ଘରୋଇ କଲେଜର ଇଞ୍ଜିନିୟରିଂ ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ କାଇମାଟିଆ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ପୀଡ଼ିତାଙ୍କ ପକ୍ଷରୁ ଏତଲା ହେବା ପରେ କମିଶନରେଟ୍‌ ପୋଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବଡ କଥା ହେଉଛି, ପୁରୁଷବନ୍ଧୁର ରୁମରେ ହିଁ ପୀଡିତାଙ୍କ ସହ ଏଭଳି ଅମାନବୀୟ ଆପରାଧିକ କାଣ୍ଡ ଘଟିଛି। ଇନ୍‌ଫୋଭ୍ୟାଲି ଥାନା ପୋଲିସ ପୀଡ଼ିତାଙ୍କ ପୁରୁଷବନ୍ଧୁ ସମେତ ୪ ଜଣଙ୍କୁ ଆଜି (ବୁଧବାର) ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଶୁଭଙ୍କର ପାଢ଼ୀ, ସିପୁନ ବେହେରା, ରଞ୍ଜନ ବେହେରା, ରତିରଞ୍ଜନ ତରାଇ। ଅଭିଯୁକ୍ତ ଶୁଭଙ୍କର ହିଁ ପୀଡ଼ିତାଙ୍କ ବିଏଫ୍‌ରେଣ୍ଡ ବୋଲି ପୋଲିସ ସୂଚନା ଦେଇଛି। ଅନ୍ୟପକ୍ଷରେ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା ସହ ବୟାନ ମଧ୍ୟ ରେକର୍ଡ କରାଯାଇଛି।

ପୋଲିସ ସୂଚନା ଅନୁଯାୟୀ, କାଇମାଟିଆ ଅଞ୍ଚଳରେ ପୁରୁଷ ବନ୍ଧୁ ଶୁଭଙ୍କରର ଭଡ଼ାଘର ରହିଛି। ଶୁଭଙ୍କର ଓ ପୀଡିତା ଗୋଟିଏ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ନ୍ତି। ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ୨୦ ଦିନ ତଳେ ତାଙ୍କ ସହ ଦୁଷ୍କର୍ମ କାଣ୍ଡ ଘଟିଥିଲା। ସେ ଶୁଭଙ୍କରଙ୍କ ରୁମକୁ ଖାଇବାକୁ ଯାଇଥିଲେ। ସେହି ସମୟରେ ସେଠାରେ ଶୁଭଙ୍କରର ଅନ୍ୟ ୩ ସାଙ୍ଗ ମଧ୍ୟ ଥିଲେ। ପୀଡ଼ିତା ମୃଦ୍ୟୁପାନୀୟ ପିଇବା ପରେ ତାଙ୍କ ମୁଣ୍ଡ ବୁଲାଇଥିଲା। ସେ ଶୋଇପଡ଼ିବା ପରେ ଅଭିଯୁକ୍ତମାନେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ନିଦ ଭାଙ୍ଗିବା ପରେ ସେ ଏକଥା ଜାଣିବାକୁ ପାଇଥିଲେ।

ଥାନାଧିକାରୀ ଗୟାନନ୍ଦ ଶାହା କହିଛନ୍ତି, ପୀଡିତାଙ୍କ ପକ୍ଷରୁ ଗତକାଲି (ମଙ୍ଗଳବାର) ଏତଲା ହୋଇଥିଲା। ଆମେ ତୁରନ୍ତ ମାମଲା ପଞ୍ଜିକୃତ କରି ଆଇନଗତ ପ୍ରକ୍ରିୟା ଆରମ୍ଭ କରିଥିଲୁ। ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଘଟଣାରେ ଅଧିକ ତଦନ୍ତ ଚାଲୁ ରହିଛି।

ଦୁଇ ସପ୍ତାହ ତଳେ ଜଣେ ଅଣଓଡିଆ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ତେଜରାତି ଦୋକାନୀକୁ ଇନ୍‌ଫୋଭ୍ୟାଲି ପୋଲିସ ଗିରଫ କରିଥିଲା। ଭଡ଼ା ଘରେ କେହି ନ ଥିବାର ସୁଯୋଗ ନେଇ ଅଭିଯୁକ୍ତ ବୃଦ୍ଧ ଜଣକ ଏହି କାଣ୍ଡ ଘଟାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ତଥା ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଗଙ୍ଗପଡ଼ା ମାଝୀସାହିର ଦୀପକ ଚନ୍ଦ୍ର ପ୍ରଧାନ (୬୭)ଙ୍କୁ ଜେଲ ପଠାଇ ଦିଆ ଯାଇଥିଲା।


Reporterspen