ଭୁବନେଶ୍ୱର, (ରିପୋଟର୍ସ ପେନ୍) : ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ‘ରାଷ୍ଟ୍ର ପ୍ରଥମ’ ନୀତିରେ ଅନୁପ୍ରାଣିତ ହୋଇ ଓଡ଼ିଶା ମାଟି ତଥା ସମଗ୍ର ଭାରତବର୍ଷକୁ ସଶକ୍ତ, ସମୃଦ୍ଧ ଓ ଏକତାର ସୂତ୍ରରେ ବାନ୍ଧି ରଖିବା ପାଇଁ କାର୍ଯ୍ୟ କରିବାକୁ ଯୁବପିଢିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆହ୍ୱାନ ଦେଇଛନ୍ତି । ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଯୁବପିଢିଙ୍କୁ ଏହି ଆହ୍ୱାନ ଦେଇଛନ୍ତି ।
ଡଃ ମୁଖାର୍ଜୀଙ୍କ ଅତୁଳନୀୟ ତ୍ୟାଗ ଓ ଶିକ୍ଷା ସଂସ୍କାର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମାତ୍ର ୩୩ ବର୍ଷ ବୟସରେ ସେ କଲିକତା ବିଶ୍ୱବିଦ୍ୟାଳୟର ସର୍ବକନିଷ୍ଠ କୁଳପତି ଭାବେ ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଥିଲେ । ଦେଶର ଏକତା ଓ ଅଖଣ୍ଡତା ପାଇଁ ଜାମ୍ମୁ-କାଶ୍ମୀର ଆନ୍ଦୋଳନରେ ସେ ଦେଇଥିବା ଐତିହାସିକ ସ୍ଳୋଗାନ “ଏକ ଦେଶ ମେଁ ଦୋ ବିଧାନ, ଦୋ ପ୍ରଧାନ, ଦୋ ନିଶାନ ନେହିଁ ଚଲେଙ୍ଗେ” ସମଗ୍ର ରାଷ୍ଟ୍ରକୁ ଏକତା ସୂତ୍ରରେ ବାନ୍ଧିଥିଲା ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଗତ ୫ ଅଗଷ୍ଟ ୨୦୧୯ ମସିହାରେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇ ଡଃ ମୁଖାର୍ଜୀଙ୍କ ସେହି ଅଧୁରା ସ୍ୱପ୍ନକୁ ସାକାର କରାଯାଇଛି ଏବଂ ଏହାହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଆଜି ଗୋଟିଏ ସମ୍ବିଧାନ ଏବଂ ଗୋଟିଏ ତ୍ରିରଙ୍ଗା ଭାରତର ବିଜୟ ପତକା ଉଡ଼ାଉଛି । ୨୧ ଅକ୍ଟୋବର ୧୯୫୧ରେ ଡଃ ମୁଖାର୍ଜୀଙ୍କ ଦ୍ୱାରା ପ୍ରତିଷ୍ଠିତ \’ଭାରତୀୟ ଜନସଂଘ\’ ଆଜି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ “ଭାରତୀୟ ଜନତା ପାର୍ଟି” ଭାବେ ଉଭା ହୋଇଛି, ଯାହାର ମୂଳମନ୍ତ୍ର ହେଉଛି ସାଂସ୍କୃତିକ ରାଷ୍ଟ୍ରବାଦ ।
ପୂର୍ବ ସରକାର ଡଃ ମୁଖାର୍ଜୀଙ୍କ ସ୍ମୃତି ଦିବସକୁ ଅଣଦେଖା କରୁଥିବା ବେଳେ ବର୍ତ୍ତମାନର ସରକାର ଏହାକୁ ଏକ ଜାତୀୟ କର୍ତ୍ତବ୍ୟ ଭାବେ ଗ୍ରହଣ କରି ପାଳନ କରୁଛନ୍ତି । ଏହି ଅବସରରେ ସେ ଦେଶ ଓ ରାଜ୍ୟକୁ ଦୁର୍ବଳ କରୁଥିବା ଭ୍ରଷ୍ଟ, ଦେଶବିରୋଧୀ ଏବଂ ପରିବାରବାଦୀ ଶକ୍ତିମାନଙ୍କ ପ୍ରତି ସତର୍କ ରହିବାକୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଓଡ଼ିଶା ବିଧାନ ସଭାର ବାଚସ୍ପତି ସୁରମା ପାଢୀ କହିଥିଲେ ଯେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଜାତୀୟତାବାଦ ଚିନ୍ତାଧାରାକୁ ଯିଏ ବିଚ୍ଛୁରିତ କରିଥିଲେ ସେ ହେଉଛନ୍ତି ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ । ସେ ହେଉଛନ୍ତି ପ୍ରକୃତ ଦେଶ ଭକ୍ତର ନିଦର୍ଶନ, ଯିଏ କି ଦଳ ମତ ନିର୍ବିଶେଷରେ ନିଜ ଦେଶକୁ ଭଲପାଉଥିଲେ ।
ଏହି ଅବସରରେ ପୂର୍ବତନ ରାଜ୍ୟସଭା ସାଂସଦ ଦୁଷ୍ମନ୍ତ କୁମାର ଗୌତମ, ଏକାମ୍ର ବିଧାୟକ ବାବୁ ସିଂହ ପ୍ରମୁଖ ମତବ୍ୟକ୍ତ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ।

