ଭୁବନେଶ୍ୱର, (ରିପୋଟର୍ସ ପେନ୍) :ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ଆଇନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥିସହିତ ଚଳିତ ବର୍ଷ ରଥଯାତ୍ରାରେ ୨୨୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବ । ଯାତ୍ରୀଙ୍କ ପାଇଁ ରେଳ ବିଭାଗ ପକ୍ଷରୁ ୩୭୦ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଯାତ୍ରୀଙ୍କୁ ସୂଚନା ପ୍ରଦାନ ପାଇଁ ସହରର ବିଭିନ୍ନ ସ୍ଥାନରେ ୬୫ଟି ଏଲଇଡି ଡିସପ୍ଲେ ଲାଗିବ । ବିଶେଷ କରି ସାରା ସହର ସିସିଟିଭି ନଜରରେ ରହିବ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଟାଉନ ହଲ ଠାରେ ଅନୁଷ୍ଠିତ ଦ୍ୱିତୀୟ ସମନ୍ୱୟ ବୈଠକରେ ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ବୈଠକରେ ରଥ ନିର୍ମାଣ, ସ୍ୱାସ୍ଥ୍ୟ ଓ ପରିମଳ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ ସୁରକ୍ଷା, ପରିବହନ ବ୍ୟବସ୍ଥା, ରାସ୍ତାଘାଟ ନିର୍ମାଣ, ସ୍ୱେ୍ୱରେଜ୍ ଓ ଡ୍ରେନେଜ ବ୍ୟବସ୍ଥା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ବୈଠକରେ ସୂଚନା ଦେଇ କହିଥିଲେ ଏବର୍ଷ ଅଧିକ ଚାରମାଳ ସେଟ୍ ପାଇଁ ତାଳ ଗଛ କାଠ ପହଞ୍ଚି ସାରିଛି । ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଁଚିଛି ।ରଥ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ରଥ ନିର୍ମାଣ କମିଟି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠନ କରାଯାଇଛି । ରଥ ଟଣା ଓ ପହଣ୍ଡିକୁ ଶୃଙ୍ଖଳିତ କରିବା ପାଇଁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ।
ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଳିତ ବର୍ଷ ଅନେକ ପଦକ୍ଷେପ ନିଆଯାଇଛି । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ୨୦୦ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା ହେବ । ସହରର ବିଭିନ୍ନ ସ୍ଥାନରେ ୩୦ ଟି ଆଶୁ ଆରୋଗ୍ୟ କେନ୍ଦ୍ର ହେବ । ସେହିପରି ଗହଳି ଓ ସମ୍ବେଦନଶୀଳ ସ୍ଥାନରେ ରାପିଡ ରେସ୍ପନ୍ସ ଟିମ୍ କାମ କରିବ । ୨୩୦ ଡାକ୍ତରଙ୍କ ସହ ସ୍ପେଶିଆଲିଷ୍ଟ ଡାକ୍ତର ଆସିବେ । ପୁରୀରେ ସ୍ଥାୟୀ ବର୍ଣ୍ଣ ଓ କ୍ୟାଥୋଲାବ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ବର୍ଷା ଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ପାୱାର ପମ୍ପ ରଖାଯିବ । ଦେବସ୍ନାନ ପୂର୍ଣ୍ଣମୀରେ ୩୦୦ ଅସ୍ଥାୟୀ ଶୌଚାଳୟକୁ ମିଶାଇ ସହରରେ ମୋଟ ୧୬୦୦ ଟି ଅସ୍ଥାୟୀ ଶୌଚାଳୟ ହେବ । ୨୩ ଟି ସ୍ଥାନରେ ହେବ ଅସ୍ଥାୟୀ ପାର୍କିଂ । ରଥଯାତ୍ରାରେ ସ୍ୱଚ୍ଛତାକୁ ବିଶେଷ ଗୁରୁତ୍ୱ ଦେଇଛି ପ୍ରଶାସନ ।
ରଥଯାତ୍ରା ସୁପରିଚାଳନା ଦାୟିତ୍ୱରେ ଥିବା ଅତିରିକ୍ତ ପୋଲିସ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇ କହିଥିଲେ ସମଗ୍ର ସହର ସିସିଟିଭି ନଜରରେ ରହିବ । ବିଭିନ୍ନ ସ୍ଥାନରେ ୧୭୦ ସିସିଟିଭି କ୍ୟାମେରା ଲଗାଯାଇ କାର୍ଯ୍ୟକ୍ଷମ ହୋଇଛି । ମୋଟ ୪୭୫ ଟି ସିସିଟିଭି କ୍ୟାମେରା ଲାଗିବ । ଜନଗହଳି ନିୟନ୍ତ୍ରଣ ପାଇଁ ୨୮ଟି ଜରୁରୀକାଳିନ ପ୍ରସ୍ଥାନ ପଏଣ୍ଟ୍ ରହିବ । ଆମ୍ବୁଲାନ୍ସ ଯାତାୟତ ପାଇଁ ଗ୍ରୀନ କରିଡ଼ର କରାଯିବ । ସହରର ସୁରକ୍ଷା ପାଇଁ ଏନଏସଜି ସହ ସ୍ୱତନ୍ତ୍ର ଟାକ୍ଟିକାଲ ୟୁନିଟ ମୁତୟନ ରହିବ ।ଯାତ୍ରୀଙ୍କ ସହାୟତା ପାଇଁ ସହାୟତା ଆପ କାର୍ଯ୍ୟକାରୀ ହେବ । ରଥଯାତ୍ରା ସମୟରେ ସବୁ ବିଭାଗ ମଧ୍ୟରେ ସମନ୍ୱୟ ରଖାଯାଇ ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ, ରଥ ଟଣା, ଦର୍ଶନ ପାଇଁ ଆଇପିଏସ ଅଧିକାରୀ ଦାୟିତ୍ୱରେ ରହିବେ । ୧୫ ଲକ୍ଷ ଯାତ୍ରୀଙ୍କ ସମାଗମ ସମ୍ଭାବନାକୁ ଦୃଷ୍ଟିରେ ରଖି ୧୩୦ ଟି ସ୍ୱତନ୍ତ୍ର ବସ ଚଳାଚଳ କରିବ । ତେବେ ରେଳ ବିଭାଗ ପକ୍ଷରୁ ୩୭୦ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ରଥଯାତ୍ରା ସମୟରେ ରେଗୁଲାର ଓ ସ୍ୱତନ୍ତ୍ର ଟ୍ରେନ୍ କୁ ମିଶାଇ ମୋଟ ୧୨୦୦ ଟ୍ରେନ୍ ଚଳାଚଳ କରିବ । ୨୫୦୦୦ ଯାତ୍ରୀଙ୍କ ପାଇଁ ରେଳଷ୍ଟେସନ ପାଖରେ ହୋଲ୍ଡିଂ ଏରିଆ କରାଯାଉଛି । ୩୫ଟି ଅତିରିକ୍ତ ଟିକେଟ କାଉଣ୍ଟର, ୧୨ଟି ଏଟିଭିଏମ କାର୍ଯ୍ୟ କରିବ । ୮୦୦ ଆରପିଏଫଙ୍କ ସହ ୧୫୦୦ ଜିଆରପି ମୁତୟନ ହେବେ ।
ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ରାଜ୍ୟସଭା ସାଂସଦ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ, ସତ୍ୟବାଦୀ ଓ ପିପିଲି ବିଧାୟକ, ପୁରୀ ଜିଲ୍ଲାପାଳ, ଏସପି, ଅତିରିକ୍ତ ଡ଼ିଜିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

