- ବାଲେଶ୍ୱରରେ ରାଇସ୍ ମିଲିଙ୍ଗ୍ ଉଦଘାଟିତ
- ପାହାଳରେ ହେବ ରସଗୋଲା କ୍ଲଷ୍ଟର
- ଗଞ୍ଜାମ ଓ କଳାହାଣ୍ଡିରେ ଉଦ୍ଘାଟିତ ହେଲା ମଲ୍ଟି-ପ୍ରଡକ୍ଟ MSME ପାର୍କ
ଭୁବନେଶ୍ୱର, (ରିପୋଟର୍ସ ପେନ୍) : ମହିଳାମାନଙ୍କୁ ଉଦ୍ୟୋଗ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ମହିଳା ଉଦ୍ୟମିତା ପ୍ଲାଟଫର୍ମ ଓଡିଶା ଅଧ୍ୟାୟର ଶୁଭାରମ୍ଭ କରିଛନ୍ତି। ନୀତି ଆୟୋଗର ସହାୟତାରେ ଆରମ୍ଭ ହୋଇଥିବା ଏହି ପ୍ଲାଟଫର୍ମ’ କେବଳ ଏକ ଅନୁଷ୍ଠାନ ନୁହେଁ, ବରଂ ଓଡ଼ିଶାର ବିକାଶ ଯାତ୍ରାରେ ମହିଳାମାନଙ୍କ ଅର୍ଥନୈତିକ ନେତୃତ୍ୱର ଏକ ମହା-ଅଭିଯାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ WEP ର ଏକ ବର୍ଷର ଆକ୍ସନ ପ୍ଲାନର ମଧ୍ୟ ଶୁଭାରମ୍ଭ କରିଥିଲେ।
‘ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ’ ତଥା ଅନ୍ତର୍ଜାତୀୟ MSME ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ଲକ୍ଷ୍ୟ ହେଉଛି ଆମେ ଏମିତି ଏକ ଓଡ଼ିଶା ଗଠନ କରିବୁ, ଯେଉଁଠାରେ ମହିଳାମାନେ ଚାକିରି ଖୋଜିବେ ନାହିଁ, ବରଂ ଚାକିରି ସୃଷ୍ଟି କରିବେ। ବିଭିନ୍ନ ଉତ୍ପାଦର କେବଳ ଉପଭୋକ୍ତା ହେବେ ନାହିଁ, ବରଂ ଉତ୍ପାଦକୁ ନିଜେ ସୃଷ୍ଟି କରିବେ, ସେମାନେ ବିକାଶର କେବଳ ଅଂଶୀଦାର ହେବେ ନାହିଁ, ବରଂ ବିକାଶର ନେତୃତ୍ୱ ନେବେ” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ନୂତନ ଭାବେ ଗଠିତ WEP ପ୍ଲାଟଫର୍ମ ଜରିଆରେ ମିଶନ ଶକ୍ତି, MSME, ଷ୍ଟାର୍ଟଅପ୍ ଓଡ଼ିଶା, ବ୍ୟାଙ୍କ ଏବଂ ଶିଳ୍ପ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ମହିଳାମାନଙ୍କୁ ଆର୍ଥିକ ସହାୟତା, ବଜାର ସୁବିଧା, ମେଣ୍ଟରସିପ୍ ଓ ସ୍କିଲ୍ ଡେଭଲପ୍ମେଣ୍ଟ ଆଦି ସମସ୍ତ ସୁବିଧା ଗୋଟିଏ ମଞ୍ଚରେ ଯୋଗାଇ ଦିଆଯିବ। ହସ୍ତତନ୍ତ, ସ୍କିଲ୍, ହୋମ୍ ଷ୍ଟେ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଅନେକ ନୂତନ ପାର୍ଟନରସିପ୍ ଓ କୋଲାବରେସନ୍ ମଧ୍ୟ ଆରମ୍ଭ କରାଯାଇଛି।
ଏହି ଅବସରରେ ବାଲେଶ୍ୱରଠାରେ ୨୪ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ‘ରାଇସ୍ ମିଲିଙ୍ଗ୍ କ୍ଲଷ୍ଟର’ର ଉଦ୍ଘାଟନ କରାଯାଇଛି। ଯାହା ରାଇସ୍ ବ୍ରାନ୍ ଅଏଲ୍ ଉତ୍ପାଦନକୁ ପ୍ରୋତ୍ସାହିତ କରିବ। ସେହିପରି ପାହାଳଠାରେ ୧୭ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ଏକ ‘ରସଗୋଲା କ୍ଲଷ୍ଟର’ ପାଇଁ ଶିଳାନ୍ୟାସ କରାଯାଇଛି। ଏହାଦ୍ୱାରା ପାହାଳର ଦୈନିକ ଉତ୍ପାଦନ କ୍ଷମତା ୭ ହଜାର କେଜିରୁ ୧୧ ହଜାର କେଜିକୁ ବୃଦ୍ଧି ପାଇବ। ଏହା ବ୍ୟତୀତ ଗଞ୍ଜାମର ବରପାଲ୍ଲି ଓ କଳାହାଣ୍ଡିର କେସିଙ୍ଗାଠାରେ ୧୦ କୋଟି ଟଙ୍କା ଲେଖାଏଁ ବ୍ୟୟରେ ୨ଟି ‘ମଲ୍ଟି-ପ୍ରଡକ୍ଟ MSME ପାର୍କ’ର ଉଦ୍ଘାଟନ କରାଯାଇଛି। ଆଗାମୀ ଦିନରେ ଏକ ଇଞ୍ଜିନିୟରିଙ୍ଗ୍ କ୍ଲଷ୍ଟର, ମୁଦ୍ରଣ ଓ ପ୍ୟାକେଜିଙ୍ଗ୍ କ୍ଲଷ୍ଟର ଏବଂ କାଜୁ କ୍ଲଷ୍ଟରର ଶୁଭାରମ୍ଭ କରାଯିବ ।ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏ ମଲ୍ଟି ପ୍ରଡକ୍ଟ MSME ପାର୍କ ସ୍ଥାପନ କରାଯାଉଛି ବୋଲି ସେ କହିଥିଲେ।
ରାଜ୍ୟରେ MSME ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଓଡ଼ିଶାର ୪ ଲକ୍ଷ ୩୨ ହଜାରରୁ ଅଧିକ MSME ଉପକୃତ ହୋଇଛନ୍ତି। ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତିକୁ ୫୦୦ ବିଲିୟନ ଡଲାରରେ ପହଞ୍ଚାଇବା ପାଇଁ MSME କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିବ ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରୀ କହିଛନ୍ତି ଓଡ଼ିଶା ଆଜି ବିକାଶର ଏକ ନୂଆ କିରଣ ସାଜିବା ସହ ଏକ ଉଦୀୟମାନ ତାରକା ଭାବେ ଉଭା ହୋଇଛି । ଓଡ଼ିଶାର ଜିଏସଡିପି (GSDP) ଅଭିବୃଦ୍ଧି ହାର ଜାତୀୟ ଜିଡିପି (GDP) ଠାରୁ ଅଧିକ ରହିଥିବା ବେଳେ ରାଜ୍ୟର ସ୍ୱାସ୍ଥ୍ୟ ଏବଂ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ଯୋଗୁଁ ନୀତି ଆୟୋଗର Fiscal Health Index- ୨୦୨୬ ରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଛି। ରାଜ୍ୟର ଏହି ସୁଦୃଢ଼ ଆର୍ଥିକ ନୀତି ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶା ବର୍ତ୍ତମାନ ବୟନଶିଳ୍ପ ଓ ପର୍ଯ୍ୟଟନ ଭଳି Sunrise Sectors ଗୁଡ଼ିକରେ ବେଶ୍ ଆଗକୁ ବଢ଼ୁଥିବା ଦର୍ଶାଇ ଏହାକୁ ଏକ ‘ଡାଇନାମିକ ଓଡ଼ିଶା’ ବୋଲି ଅଭିହିତ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ ମନ୍ତ୍ରୀ ଶ ପ୍ରଭାତୀ ପରିଡା କହିଥିଲେ ଯେ ଆଜିଠାରୁ ମହିଳା ମାନଙ୍କ ପାଇ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ମହିଳାମାନେ ହେଉଛନ୍ତି ଓମେନ ଲେଡ ଇକୋନୋମି ର ଅଗ୍ରଦୂତ । ତାଙ୍କର ଦକ୍ଷତାକୁ ପ୍ରକାଶ କରିବା ପାଇ ଗୋଟିଏ ପ୍ଲାଟଫର୍ମର ଆବଶ୍ୟକତା ଥିଲା ଯାହା ଆଜି ବାସ୍ତବତାରେ ପରିଣତ ହୋଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ ଆଜିର ଏହି ସୁଯୋଗରୁ MSME କ୍ଷେତ୍ରରେ ବଡ଼ ସଫଳତା ହାସଲ କରାଯାଇପାରିବ । ମହିଳା ଉଦ୍ୟୋଗୀଙ୍କ ଉଦ୍ୟମରେ ୨୦୩୬ ସୁଦ୍ଧା ଥିବା ଓଡ଼ିଶାର ସ୍ୱପ୍ନ ପୂର୍ଣ୍ଣ ହୋଇପାରିବ ।
ଏହି ଅବସରରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ , ମୁଖ୍ୟ ଶାସନ ସଚିବ ଶ୍ ଅନୁ ଗର୍ଗ, ନୀତି ଆୟୋଗର କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ତଥା ମହିଳା ଉଦ୍ୟୋଗିତା ମଞ୍ଚର ମିଶନ ନିର୍ଦ୍ଦେଶିକା ଆନା ରୟ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ଼ଃ ମୃଣାଳିନୀ ଦର୍ସ୍ୱାଲ୍ ଏବଂ ଆଭାସୀ ମାଧ୍ୟମରେ ଗଞ୍ଜାମ, ବାଲେଶ୍ୱର ଓ କଳାହାଣ୍ଡି ଜିଲ୍ଲାପ୍ରଶାସନ ସମେତ ବହୁ ଶିଳ୍ପପତି, ଅଣୁ ଓ କ୍ଷୁଦ୍ର ଉଦ୍ୟୋଗୀ ଏବଂ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସହସ୍ରାଧିକ ମହିଳା ଉଦ୍ୟୋଗୀ ଉପସ୍ଥିତ ଥିଲେ। MSME ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ରଶ୍ମିତା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓ ଶିଳ୍ପ ବିଭାଗ ନିର୍ଦ୍ଦେଶିକା ଆବୋଲି ସୁନୀଲ ନରଭାଣେ ଧନ୍ୟବାଦ୍ ଦେଇଥିଲେ।

