ଭୁବନେଶ୍ୱର, (ରିପୋଟର୍ସ ପେନ୍) : ଆଜି କଂଗ୍ରେସ ଭବନ ଠାରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ନୂତନ ନିଯୁକ୍ତ ଓଡିଶା କଂଗ୍ରେସ ପ୍ରଭାରୀଙ୍କ ପ୍ରଥମ ଓଡିଶା ଗସ୍ତ ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସର ରାଜନୈତିକ ବ୍ୟାପର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଯୋଗ ଦେଇ ଶ୍ରୀ ଦେଶାଇ କହିଲେ ଯେ, ଦଳ ଅନୁଶାସନ ହିସାବରେ ଚାଲିବ । ଯେତେ ବରିଷ୍ଠ ହେଲେ ମଧ୍ୟ ସଭାପତିଙ୍କ ପରାମର୍ଶ କ୍ରମେ କାର୍ଯ୍ୟ ନିର୍ଣ୍ଣୟ ହେବ । ଯେତେ ବଡ଼ ନେତା ହେଲେ ମଧ୍ୟ କ୍ଷେତ୍ରକୁ ଯିବାକୁ ହେବ । ସେ କଂଗ୍ରେସର ଆଗାମୀ କାର୍ଯ୍ୟପନ୍ଥା ଉପରେ ପ୍ରକାଶ କରି କହିଲେ ଯେ, ବିଜେପି ସରକାର ସବୁଠାରୁ ଦୁର୍ନୀତିଗ୍ରସ୍ତ ସରକାର । ଓଡିଶା ରାଜ୍ୟ ଖଣି ଖାଦାନରେ ଭରପୂର । କିନ୍ତୁ ବାହାର ରାଜ୍ୟରୁ କମ୍ପାନୀ ଆସି ଏଠାରେ ଲକ୍ଷ ଲକ୍ଷ କୋଟି ଉପାର୍ଜନ କରୁଥିବା ବେଳେ ଓଡିଶାର ଯୁବକ ଯୁବତୀ ଆମ ଗୁଜୁରାଟ ଓ ଅନ୍ୟାନ୍ୟ ରାଜ୍ୟକୁ ମୁଲ ଖଟି ଯିବା ପାଇଁ ବାଧ୍ୟ ହେଉଛନ୍ତି । ଆମକୁ ଓଡିଶାର ଗର୍ବ ଓ ଗୌରବ ପ୍ରତି ଦୃଷ୍ଟି ଦେବାକୁ ପଡିବ ।
କଂଗ୍ରେସ ଦଳକୁ ପ୍ରଥମେ ଓଡିଶାବାସୀଙ୍କ ହୃଦୟ ଜିତିବାକୁ ପଡିବ, ପରେ ନିର୍ବାଚନ ବିଷୟ । ବିଜେପି ସରକାରର ପ୍ରତ୍ୟେକ ଦୁର୍ନୀତି ବିରୁଦ୍ଧରେ ଏକ ବଡ ଧରଣର ଲମ୍ବା ଆନ୍ଦୋଳନ କଂଗ୍ରେସ କରିବ ବୋଲି ସମ୍ୟକ ସୂଚନା ଦେଇଥିଲେ । ଆଜିର ପିଏସି ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ବିଭିନ୍ନ ପ୍ରସଙ୍ଗ ବିଷୟରେ ସୂଚନା ଦେଇଥିଲେ । ଦଳଠାରୁ ଊର୍ଦ୍ଧ୍ୱରେ କେହି ନୁହନ୍ତି, ତେଣୁ ଦଳର ଅନୁଶାସନ ସମସ୍ତଙ୍କ ପାଇଁ ଅଗ୍ରାଧିକାର ବୋଲି ସହପ୍ରଭାରୀ ଜେଟି କୁସୁମ କୁମାର କହିଥିଲେ । ବିଜେଡି ଏବେ ନିମ୍ନଗାମୀ ହେଉଥିବାରୁ କଂଗ୍ରେସ ପାଇଁ ବଡ଼ ସୁଯୋଗ ଆସିଛି ବୋଲି ଅନ୍ୟତମ ସହପ୍ରଭାରୀ ମୟୂର ଜୟକୁମାର ମତ ଦେଇଥିଲେ ।
ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ ଓଡ଼ିଶା ରାଜନୀତିରେ ସୃଷ୍ଟ ଶୂନ୍ୟସ୍ଥାନକୁ ପୂରଣ କରିବାକୁ ହେଲେ କଂଗ୍ରେସକୁ ବହୁତ ପରିଶ୍ରମ କରିବାକୁ ପଡ଼ିବ ବୋଲି କହିଥିଲେ । ବ୍ଲକ୍ ସଭାପତିମାନଙ୍କୁ ନେଇ ଏକ ସମାବେଶ ଆୟୋଜନ କରିବାକୁ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ । କେନ୍ଦୁଝର ଡିଏମ୍ଏଫ୍ ପାଣ୍ଠିରେ ଥିବା ୧୪,୦୦୦ କୋଟି ଟଙ୍କାର ଏକ ଅଂଶ ଜନଜାତିଙ୍କ ବିକାଶ ପାଇଁ ବିନିଯୋଗ କରିଥିଲେ ଦାଦନ ସମସ୍ୟା ଦୂର ହୋଇଥା’ନ୍ତା ଓ ତେଲକୋଇର ୧୪ ମହିଳାଙ୍କୁ ତାମିଲନାଡ଼ୁରେ ମରିବାକୁ ପଡ଼ି ନ ଥା’ନ୍ତା ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ । ଖଣି ଉତ୍ତୋଳନ ଉପରେ ୫୦% ସେସ୍ ଲଗାଇଲେ ରାଜ୍ୟକୁ ବର୍ଷକୁ ଦେଢ଼ ଲକ୍ଷ କୋଟି ମିଳିପାରନ୍ତା ବୋଲି ସେ ମତ ଦେଇଥିଲେ । ବାହାରକୁ ଦାଦନ ଖଟିବାକୁ ଯାଇଥିବା ୧.୨୫ କୋଟି ଓଡ଼ିଆଙ୍କ ବିଷୟରେ ସରକାର ଶ୍ୱେତପତ୍ର ପ୍ରକାଶ କରିବାକୁ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଦାବି କରିଥିଲେ ।
ତେଲକୋଇର ପ୍ରତି ମୃତ ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଦେବାସହ ଜଣକୁ ଚାକିରୀ ଦେବାକୁ ଦାବି କରିଥିଲେ । ଓଡ଼ିଶାର ବିଦ୍ୟୁତ ଶୁଳ୍କ ନେଇ ଲବଣ ସତ୍ୟାଗ୍ରହ ପରି ଏକ ଆନ୍ଦୋଳନ ଆବଶ୍ୟକ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଥିଲେ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏକାଧିକ ପ୍ରସଙ୍ଗରେ କଂଗ୍ରେସର ସ୍ୱର ଆହୁରି ଶାଣିତ ହେବା ଦରକାର ବୋଲି ମତ ଦେଇଥିଲେ । ଦଳରେ ଅଧିକ ସଂଖ୍ୟକ ମହିଳା କାର୍ଯ୍ୟକର୍ତ୍ତା ଲୋଡ଼ା ବୋଲି କୋରାପୁଟ ସାଂସଦ ସପ୍ତଗିରି ଉଲାକା ମତ ଦେଇଥିଲେ । ଓଡ଼ିଶା କଂଗ୍ରେସରେ ଏକ ନବଚିଂତନ ବୈଠକ କରିବାକୁ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରସ୍ତାବ ଦେଇଥିଲେ ।
ରାଜ୍ୟର ଜନସଂଖ୍ୟାର ୯୦ ପ୍ରତିଶତ ଆଦିବାସୀ-ଦଳିତ-ଓବିସି; ସେମାନଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଯୁକ୍ତି ବାଢ଼ିଥିଲେ । ପିଏସି କମିଟିର ବହୁ ସଦସ୍ୟ ନିଜ ମତାମତ ଉପସ୍ଥାପନ କରିଥିଲେ । ଉପସ୍ଥିତ ଥିବା ସଦସ୍ୟଗଣ ଏହି ବୈଠକରେ ଅଂଶ ଗ୍ରହଣ ଆଗାମୀ ଦିନରେ କଂଗ୍ରେସରେ ଏକତା ପ୍ରତିଷ୍ଠା କରି ଏକ ଶକ୍ତିଶାଳୀ ରାଜନୈତିକ ଦଳ ଭାବରେ ରାଜ୍ୟ ଗଢି ତୋଳିବାକୁ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ ।

