ଖୁବଶୀଘ୍ର ଆସିବ ସଂଶୋଧିତ ଲକ୍ଷ୍ମୀ ପୁରାଣ; କୋଟିଏ ବହି ବାଣ୍ଟିବେ ସରକାର

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ନୂଆ ସ୍ୱର ଓ ନୂଆ ଛାନ୍ଦରେ ପରିମାର୍ଜିତ ହୋଇ ଆସିବ ମହାକବି ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣ । ଏବେ ଘରେ ଘରେ ପଢ଼ା ଯାଉଥିବା ଲକ୍ଷ୍ମୀ ପୁରାଣ ବଳରାମ ଦାସଙ୍କ ଭ୍ରମାତ୍ମକ ସଂସ୍କରଣ । ନୂଆ ଲକ୍ଷ୍ମୀ ପୁରାଣ ବଳରାମ ଦାସଙ୍କ ମୂଳ ରଚିତ ଲେଖାରୁ ଆସିବ । ଓଡ଼ିଆ ସାହିତ୍ୟ ଏକାଡେମୀ ପୁସ୍ତକ ଛାପିବ । ୧ କୋଟି ଲକ୍ଷ୍ମୀ ପୁରାଣ ବହି ଓଡ଼ିଶାରେ ଘରେ ଘରେ ମାଗଣା ବଣ୍ଟାଯିବ । ନମିତା ଅଗ୍ରୱାଲ ଓ ଗୀତା ଦାସ ଏହି ସଂଶୋଧିତ ପରିମାର୍ଜିତ ପୁରାଣକୁ କଣ୍ଠ ଦେବେ । ରାଜ୍ୟ ସରକାର ଉଭୟଙ୍କ ସହ କଥା ହୋଇଛନ୍ତି । ସେମାନେ ନୂଆ ଛନ୍ଦରେ ଗାଇବା ପାଇଁ ରାଜି ହୋଇଛନ୍ତି । ମିଶନ ଶକ୍ତି ଅଡିଟୋରିୟମରେ ଆୟୋଜିତ ହୋଇଥିବା ଲକ୍ଷ୍ମୀ ପୁରାଣ କରିଡର୍ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ବିଶିଷ୍ଟ ଗବେଷକ ଅସିତ୍ ମହାନ୍ତି ନମିତା ଅଗ୍ରୱାଲ ଓ ଗୀତା ଦାସଙ୍କ ଗୀତ ଗାଇବା ନେଇ ସିଧାସଳଖ ପ୍ରଶ୍ନ ଉଠାଇଥିଲେ ଆଜି ସଭାରେ । ତାଙ୍କ ଅଭିଯୋଗ ଅନୁସାରେ, ଗାୟିକା ନମିତା ଅଗ୍ରୱାଲ, ଗୀତା ଦାସ ଓ ଅନ୍ୟ କିଛି ଗାୟକ ମାନେ ଅସମ୍ପୂର୍ଣ୍ଣ ଓ ଭ୍ରମାତ୍ମକ ‘ଲକ୍ଷ୍ମୀ ପୁରାଣ’ ଗାନ କରି ଆସୁଛନ୍ତି । ଯାହାଫଳରେ ଘରେ ଘରେ ମହିଳାମାନେ ବଳରାମ ଦାସଙ୍କ ମୂଳ ରଚନାରୁ ବିଚ୍ୟୁତ ହୋଇ ବିକୃତ ସଂସ୍କରଣ ପାଠ କରୁଛନ୍ତି । ବଜାରେ ମିଳୁଥିବା ସଂସ୍କରଣରେ ମହାକବି ବଳରାମ ଦାସଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ମୂଳ ଭାବଧାରା ଅଦୃଶ୍ୟ । ତେଣୁ ଯାହା ଭୁଲ୍ ଭାବେ ପ୍ରଚଳିତ ହୋଇଛି, ତାହା ଏବେ ବନ୍ଦ ହେବା ଉଚିତ୍ ବୋଲି ସେ ଦାବି କରିଛନ୍ତି ।

ସେପଟେ ଆଜି ନୂଆ ସଂଶୋଧିତ ଲକ୍ଷ୍ମୀ ପୁରାଣ କିପରି ହେବ ଓ ସ୍ୱର ଓ ଛାନ୍ଦ କିପରି ହେବା ଉଚିତ ସେନେଇ ମଞ୍ଚରେ ଗାଇ ଶୁଣାଇଥିଲେ ବିଶିଷ୍ଟ ଜଗନ୍ନାଥ ଗବେଷକ ଗୌରାଙ୍ଗ ଚରଣ ଦାଶ । ଅନ୍ୟପଟେ ୩୪ ବର୍ଷ ତଳେ ଚଟି ଲକ୍ଷ୍ମୀ ପୁରାଣ ବହି ରୁ ଗୀତ ପ୍ରସ୍ତୁତ କରିଥିବା ସୀତାରାମ ଅଗ୍ରୱାଲ ପୁରୁଣା ଭୁଲ୍କୁ ସ୍ୱୀକାର କରିବା ସହ ନୂଆ ଗୀତକୁ ଭବ୍ୟ ଦିବ୍ୟ ଭାବେ ରଚନା କରିବାକୁ ଆଶାୟୀ ଅଛନ୍ତି ବୋଲି କହିଛନ୍ତି । ବଳରାମ ଦାସଙ୍କ ମୂଳ ରଚିତ ଲକ୍ଷ୍ମୀ ପୂରାଣର ନୂଆ ଗୀତ ରେକର୍ଡ ହେବ । ଗୀତା ଦାସ ଓ ନମିତା ଅଗ୍ରୱାଲ ମିଶି ଗାଇବେ । ଘରେ ଘରେ ପହଞ୍ଚିବ ନୂଆ ବଳରାମ ଦାସଙ୍କ ମୂଳ ପରିମାର୍ଜିତ ଲକ୍ଷ୍ମୀ ପୂରାଣ ।

ଆସନ୍ତା ମାଣବସା ଗୁରୁବାରରେ ପରିମାର୍ଜିତ ହୋଇଥିବା ଲକ୍ଷ୍ମୀ ପୁରାଣ ଆସିବ । ଗବେଷଣା ଚାଲିଛି । ସଙ୍ଗୀତ ପ୍ରସ୍ତୁତ ଲାଗି ଦୁଇ ମାସ ଲାଗିବ ବୋଲି କହିଛନ୍ତି ନମିତା ଅଗ୍ରୱାଲ ଙ୍କ ସ୍ୱାମୀ ତଥା ପ୍ରଖ୍ୟାତ ସଙ୍ଗୀତଜ୍ଞ ସୀତାରାମ ଅଗ୍ରୱାଲ । ପ୍ରସିଦ୍ଧ ଗାୟିକା ଗୀତା ଦାସ ନୂଆ ଲକ୍ଷ୍ମୀ ପୁରାଣ ଗାଇବା ପାଇଁ ବ୍ୟଗ୍ର ଥିବା କହିଛନ୍ତି । ସିଙ୍ଗର ଭାବେ ମା‘ ଲକ୍ଷ୍ମୀଙ୍କ କୃପାରୁ ସେ ଯେଉଁ ଲକ୍ଷ୍ମୀ ପୁରାଣ ଗାଇଥିଲେ ଶ୍ରୋତା ତାକୁ ଗ୍ରହଣ କରିଥିଲେ । ଏବେ ସଠିକ୍ ଭାବରେ ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣ ଗାଇ ମା‘ ଲକ୍ଷ୍ମୀ ଙ୍କ କୃପା ଲାଭ କରିବେ ବୋଲି କହିଛନ୍ତି ଗୀତା ଦାସ । ଆଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ \’ଲକ୍ଷ୍ମୀ ପୁରାଣ\’ ଆଧାରିତ ନାଟକ ମଞ୍ଚସ୍ଥ ହେବ । ଭଜନ, କୀର୍ତ୍ତନ ଏବଂ ସଙ୍ଗୀତ ମାଧ୍ୟମରେ ମା ଲକ୍ଷ୍ମୀଙ୍କ ସମତାର ସନ୍ଦେଶ ଘରେ ଘରେ ପହଞ୍ଚିବ । କଳସ ଧରି ମହିଳାମାନେ ଗାଁ ଗାଁ ବୁଲି ଏକ ନୂଆ ସୁସ୍ଥ ପରମ୍ପରାର ଶୁଭାରମ୍ଭ କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।


Reporterspen