ଭୁବନେଶ୍ୱର, (ରିପୋଟର୍ସ ପେନ୍) : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ସୁଦୃଢ଼ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟରେ ବ୍ୟାପକ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ କେତେକ ସ୍ଥାନରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କଟକ, ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ରାଜ୍ୟ ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ସ୍ୱତନ୍ତ୍ର ରିଲିଫ କମିଶନର (SRC)ଙ୍କ ଅଧୀନସ୍ଥ ଷ୍ଟେଟ୍ ଇମର୍ଜେନ୍ସି ଅପରେସନ୍ ସେଣ୍ଟର୍ (SEOC) ସମସ୍ତ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC) ସହ ସମନ୍ୱୟ ରକ୍ଷା କରି ୨୪ ଘଣ୍ଟିଆ ପରିସ୍ଥିତିର ନିରୀକ୍ଷଣ କରୁଛି।
ରାଜ୍ୟର ସମସ୍ତ ପ୍ରମୁଖ ନଦୀ ବର୍ତ୍ତମାନ ସତର୍କ ସ୍ତରରୁ ତଳେ ପ୍ରବାହିତ ହେଉଛନ୍ତି ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ରେଡ୍, ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ସମସ୍ତ ଜିଲ୍ଲାରେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସଜାଗ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ଭାବେ ଜଳବନ୍ଦୀ, ତଳିଆ ଅଞ୍ଚଳରେ ଜଳଜମା, ସହରାଞ୍ଚଳର ଅଣ୍ଡରପାସ୍ ବନ୍ଦ, କଚ୍ଚା ରାସ୍ତା ଓ ଦୁର୍ବଳ ସଂରଚନାର କ୍ଷୟକ୍ଷତି, ଫସଲର ସମ୍ଭାବ୍ୟ କ୍ଷତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ସେହିପରି ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରହିବା, ପାଣିପାଗ ସମ୍ବନ୍ଧୀୟ ସରକାରୀ ସୂଚନା ଉପରେ ନଜର ରଖିବା ଏବଂ ସମସ୍ତ ପରାମର୍ଶକୁ ପାଳନ କରିବା ପାଇଁ ଲୋକମାନଙ୍କୁ ଅନୁରୋଧ କରାଯାଇଛି।
ଜୁଲାଇ ୪ରୁ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଏବଂ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବା ପାଇଁ ନଯିବାକୁ ପରାମର୍ଶ ଦିଆଯାଇଛି। ଷ୍ଟେଟ୍ ଇମର୍ଜେନ୍ସି ଅପରେସନ୍ ସେଣ୍ଟର୍ ସମସ୍ତ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ପରିସ୍ଥିତି ଉପରେ ସତତ ନଜର ରଖିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସାମଗ୍ରିକ ପରିସ୍ଥିତି ସ୍ୱାଭାବିକ ରହିଛି ଏବଂ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି।
ଗତ ୨୪ ଘଣ୍ଟାରେ ଅର୍ଥାତ୍ ଜୁଲାଇ ୪ ତାରିଖ ସକାଳ ୮ଟା ୩୦ ସୁଦ୍ଧା ରାଜ୍ୟରେ ହାରାହାରି ୨୪.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବରଗଡ଼ ଜିଲ୍ଲାର ସୋହେଲା ବ୍ଲକରେ ସର୍ବାଧିକ ୨୦୨ ମିଲିମିଟର ବର୍ଷା ହୋଇଛି। ରାଜ୍ୟର ୬ଟି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ଏବଂ ୩୮ଟି ବ୍ଲକ ସହ ୩ଟି ସହରାଞ୍ଚଳର ୪ଟି କେନ୍ଦ୍ରରେ ୫୦ରୁ ୧୦୦ ମିଲିମିଟର ମଧ୍ୟରେ ବର୍ଷା ରେକର୍ଡ ହୋଇଛି। ଜୁଲାଇ ୧ରୁ ୪ ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୯୪.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ଏହା ସ୍ୱାଭାବିକ ହାର ୪୩.୭ ମିଲିମିଟର ତୁଳନାରେ ୧୧୫.୮ ପ୍ରତିଶତ ଅଧିକ ରହିଛି।

