ଶରଧାବାଲିରେ ଲାଗିଲା ତିନି ରଥ; ଆଜି ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ଦ୍ୱିତୀୟ ଦିନର ରଥଟଣା ଶେଷ ହୋଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଲାଗିଛି । ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ପଛେପଛେ ଉଭଣୀ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଲାଗିଥିଲା । ଶେଷରେ ହଟିଆ ଠାକୁରଙ୍କ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛି । ‘ଜୟଜଗନ୍ନାଥ’, ‘ହରିବୋଲ’ ଓ ହୁଳହୁଳିର ଧ୍ୱନିରେ ଭକ୍ତିମୟ ଶ୍ରୀକ୍ଷେତ୍ର ହୋଇ ଉଠିଛି । ଦର୍ଶନ ପାଇଁ ଶରଧାବାଲିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତମାନେ ଏବେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପରୂପ ଦୃଶ୍ୟ ଦେଖି ବିମୋହିତ ହୋଇପଡୁଛନ୍ତି ।

ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ଏ ନେଇ ସୂଚନା ଦେଇ କହିଛନ୍ତି ଯେ ଆଜି ରଥ ଉପରେ ଗୋପାଳବଲ୍ଲଭ, ସକାଳ ଧୂପ ନୀତି, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ବଡ଼ ସିଂହାର ବେଶ ଏବଂ ପହୁଡ଼ ନୀତି ଅନୁଷ୍ଠିତ ହେବ । ଆସନ୍ତାକାଲି ଭୋରୁ ମଙ୍ଗଳା ଆଳତୀ, ଅବକାଶ, ଗୋପାଳ ବଲ୍ଲଭ, ସକାଳ ଧୂପ, ଯାତ୍ରାଙ୍ଗି ମହାସ୍ନାନ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ଘୋଡ଼ା ପିଠା, ଚାରମାଳ ବନ୍ଧା ନୀତି ପରେ ପୁଷ୍ପାଞ୍ଜଳି, ଡୋର ଲାଗି ଏବଂ ଗୋଟି ପହଣ୍ଡିରେ ତିନି ଠାକୁର ଜନ୍ମ ବେଦୀକୁ ଯିବେ ।

ଗୁରୁବାର ନିର୍ଦ୍ଧାରିତ ନୀତିନିର୍ଘଣ୍ଟର ୧ ଘଣ୍ଟା ବିଳମ୍ବରେ ରଥଟଣା ଆରମ୍ଭ ହୋଇଥିଲା । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆନନ୍ଦ ଓ ଉତ୍ସାହର ସହ ତିନିରଥକୁ ଟାଣି ନେଇଥିଲେ ଭକ୍ତ । ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ହୋଇଥିଲା ତେବେ ସନ୍ଧ୍ୟାହୋଇ ଯିବାରୁ କୌଣସି ରଥ ଶରଧାବାଲିରେ ପହଞ୍ଚି ପାରିନଥିଲା ।

ମାର୍କେଟ ଛକ ନିକଟରେ ତାଳଧ୍ୱଜ ଓ ମରିଚୀକୋଟ ଛକ ନିକଟରେ ଦର୍ପଦଳନ ରଥ ପହଞ୍ଚିବା ବେଳେ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ଅଳ୍ପ କିଛି ବାଟ ଗଡ଼ି ଅଟକି ରହିଥିଲା ।ଶୁକ୍ରବାର ପୂର୍ବାହ୍ନ ୯ଟା୩୦ରେ ପୁଣି ରଥଟଣା ହୋଇଥିଲା । ଏବଂ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଆନନ୍ଦ ଉଲ୍ଲାସର ସହ ଭକ୍ତମାନେ ରଣକୁ ଟାଣିଥିବାବେଳ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚାଇଛନ୍ତି । ତେବେ ଆଜି ଆଡ଼ପବିଜେ ନୀତି ହେବନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ମହାପ୍ରଭୁଙ୍କ ଆଡ଼ପ ବିଜେ ନୀତି ଅନୁଷ୍ଠିତ ହେବ ।

ତେବେ ଗତକାଲି ପ୍ରଥମେ ଚକ୍ରରାଜ ସୁଦର୍ଶନ ତାପରେ ମାଆ ସୁଭଦ୍ରା ଏବଂ ତାପରେ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ପରେ ରଥରେ ବିରାଜିଥିଲେ କାଳିଆ ସାଆନ୍ତ । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ହରିବୋଲ, ହୁଳହୁଳିରେ ଫାଟି ପଡୁଛି ବଡ଼ଦାଣ୍ଡ । କଳା ଶ୍ରୀମୁଖକୁ ଚାହିଁ ଭାବ ବିହ୍ୱଳ ହୋଇପଡିଛନ୍ତି ଭକ୍ତ । ତିନି ରଥରେ ତିନି ଦିଅଙ୍କୁ ଦେଖି ବଡ ଦାଣ୍ଡରେ ହାତ ଟେକିଦେଉଛନ୍ତି ଶ୍ରଦ୍ଧାଳୁ ।

ଝୁଲି ଝୁଲି ଧାଡ଼ି ପହଣ୍ଡିରେ ଆସି ନନ୍ଦିଘୋଷରେ ବିରାଜମାନ କରିଥିଲେ କାଳିଆ ଠାକୁର । ଦର୍ପଦଳନ ରଥରେ ଦେବୀ ସୁଭଦ୍ରା ଏବଂ ତାଳଧ୍ୱଜ ରଥରେ ବିରାଜିତ ହୋଇଥିଲେ ବଡ ଠାକୁର ବଳଭଦ୍ର । ବିନା ଟାହିଆରେ ସିଂହଦ୍ୱାରରୁ ବାହାରିଥିଲେ କାଳିଆ ଠାକୁର । ପହଣ୍ଡି ବେଳେ କୌଣସି କାରଣବଶତଃ ଟାହିଆ ଖସି ପଡ଼ିଥିଲା । ପହଣ୍ଡି ସମୟରେ ଭୀଷଣ ବର୍ଷାରେ ଭିଜିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ।

ପହଣ୍ଡି ବେଳେ ଶ୍ରୀଜଗନ୍ନାଥଙ୍କ ଟାହିଆ ନଥିବା ପ୍ରସଙ୍ଗରେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରବଳ ବର୍ଷା ଯୋଗୁଁ ଟାହିଆ ଓଜନ ଅଧିକ ବଢ଼ି ଯାଇଥିଲା । ଅଧିକ ଓଜନ ଯୋଗୁଁ ଖୋଲାଯାଇଥିଲା ଜଗନ୍ନାଥ ମହାପ୍ରଭୁଙ୍କ ଟାହିଆ । ପହଣ୍ଡି ସମୟରେ ଟାହିଆ ଖୋଲା ନଯାଇଥିଲେ ମହାପ୍ରଭୁ ରଥକୁ ଆସି ପାରିନଥାନ୍ତେ ।


Reporterspen