ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ପୁରୀ ଉପରେ ବିଶେଷ ନଜର
ମହାନଦୀ ଅବବାହିକାରେ ଥିବା ଅଞ୍ଚଳ ପାଇଁ ସତର୍କ ଘଣ୍ଟି
ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ମହାନଦୀରେ ବନ୍ୟା ସ୍ଥିତି ଏବେ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଛି । ଏବେ ବନ୍ୟାର ପ୍ରକୃତ ପରୀକ୍ଷା ମହାନଦୀ ଅବବାହିକାରେ । ଗୋଟିଏ ପଟେ ବଢ଼ୁଥିବା ଜଳପ୍ରବାହ, ଅନ୍ୟପଟେ ପ୍ରଶାସନର ପ୍ରସ୍ତୁତି । ଆଗାମୀ ୨୪ ଘଣ୍ଟାର ସ୍ଥିତି ଉପରେ ନିର୍ଭର କରିବ ଉପକୂଳ ଓଡ଼ିଶାର ବନ୍ୟାର ଚିତ୍ର । ବୈତରଣୀ, ସାଳନ୍ଦୀ ଓ ଜଳକାରେ ବନ୍ୟା ପ୍ରଭାବ କମିବା ଆରମ୍ଭ ହୋଇଥିବା ବେଳେ ଏବେ ନଜର ମହାନଦୀ ଉପରେ । ଆଜି ସନ୍ଧ୍ୟା ସୁଦ୍ଧା କଟକ ମୁଣ୍ଡଳୀରେ ବନ୍ୟାଜଳ ୯ଲକ୍ଷ କ୍ୟୁସେକ ଛୁଇଁପାରେ ବୋଲି ଆକଳନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ । ଆଗାମୀ ୧୮ରୁ ୨୪ ଘଣ୍ଟା ମହାନଦୀ ଓ ଏହାର ଶାଖାନଦୀ ଅଞ୍ଚଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେପଟେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପୂରା ସତର୍କ ରହିଥିବା ଦାବି କରିଛି ।
ହୀରାକୁଦ ଜଳଭଣ୍ଡାରରୁ ବର୍ତ୍ତମାନ ୨ଟି ଗେଟ୍ ଖୋଲା ରହିଛି । ମୁଣ୍ଡଳୀରେ ଏପର୍ଯ୍ୟନ୍ତ ୮ ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବାହ ରେକର୍ଡ ହୋଇଛି । ସନ୍ଧ୍ୟା ସୁଦ୍ଧା ଏହା ୯ ଲକ୍ଷ କ୍ୟୁସେକ୍ ନିକଟରେ ପହଞ୍ଚିପାରେ । ତେବେ ଅଧିକ ଚିନ୍ତାର କାରଣ ନାହିଁ ବୋଲି ଜଳ ସମ୍ପଦ ବିଭାଗ କହିଛି । ପୂର୍ବରୁ ମୁଣ୍ଡଳୀ ଦେଇ ୧୦ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ଜଳ ପ୍ରବାହ ହୋଇଥିବାରୁ ବର୍ତ୍ତମାନ ସ୍ଥିତିକୁ ନିୟନ୍ତ୍ରଣଯୋଗ୍ୟ ବୋଲି କୁହାଯାଉଛି । ଆବଶ୍ୟକ ପଡ଼ିଲେ ହୀରାକୁଦର ଆଉ ୧୦ରୁ ୧୨ଟି ଗେଟ୍ ଖୋଲାଯାଇପାରେ ।
ମହାନଦୀର ବଢ଼ୁଥିବା ଜଳସ୍ତର ସହ ଏହାର ଶାଖାନଦୀ ଲୁଣା, କରାଣ୍ଡିଆ, ପାଇକା, କୁଶଭଦ୍ରା, ଦେବୀ ଓ କୁଆଖାଇରେ ମଧ୍ୟ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ନିମ୍ନାଞ୍ଚଳ ପ୍ରଭାବିତ ହୋଇପାରେ । ସେଥିପାଇଁ ଜିଲ୍ଲା ପ୍ରଶାସନକୁ ପୂର୍ବରୁ ସତର୍କ କରାଯାଇଛି ଏବଂ ଅଧିକାରୀମାନେ ଗତକାଲି ରାତିରୁ ମୈଦାନରେ କାମ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି, ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ।
ଜଗତସିଂହପୁରର ବିରିଡ଼ି, ନାଉଗାଁ, ତିର୍ତ୍ତୋଲ, କୁଜଙ୍ଗ, ରଘୁନାଥପୁର, ଏରସମା ଓ ବାଲିକୁଦା, କଟକର ବାଙ୍କୀ ଓ ଆଠଗଡ଼, ପୁରୀର କଣାସ, ଡେଲାଙ୍ଗ, ବ୍ରହ୍ମଗିରି, କାକଟପୁର, ନିମାପଡ଼ା ଓ ଗୋପ, କେନ୍ଦ୍ରାପଡ଼ାର ପାଟକୁରା, ଗରଦପୁର ଓ ଆଳି ଅଞ୍ଚଳ ଉପରେ ବିଶେଷ ନଜର ରଖାଯାଇଛି । ଏପଟେ ବୈତରଣୀ ଓ ସାଳନ୍ଦୀରେ ବନ୍ୟାଜଳ କମିବା ଆରମ୍ଭ କରିଥିଲେ ମଧ୍ୟ ଅନେକ ଅଞ୍ଚଳରେ ଲୋକେ ଏବେ ବି ଜଳବନ୍ଦୀ ଅଛନ୍ତି । ପୂର୍ଣ୍ଣିମା ଯୋଗୁଁ ସମୁଦ୍ରରେ ଜୁଆର ବଢ଼ିଥିବାରୁ ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇଥିଲା । ବ୍ରାହ୍ମଣୀ ଓ ବୈତରଣୀର ଜଳସ୍ତର କମୁଥିବା ବେଳେ ରେଙ୍ଗାଲି ଡ୍ୟାମରୁ ଗୋଟିଏ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।
କେନ୍ଦୁଝରରେ ନିର୍ମାଣାଧୀନ କପର୍ ଡ୍ୟାମ ଭାଙ୍ଗିବା ପ୍ରସଙ୍ଗରେ ଜଳ ସମ୍ପଦ ବିଭାଗ ସ୍ପଷ୍ଟୀକରଣ ଦେଇଛି । ଏହା ଏକ ଅସ୍ଥାୟୀ ମାଟି ବନ୍ଧ ଥିଲା, ଯାହା ନିର୍ମାଣ କାମ ପାଇଁ କରାଯାଇଥିଲା । ପ୍ରବଳ ବର୍ଷାରେ ଏହା ଭାଙ୍ଗିଥିଲେ ମଧ୍ୟ କୌଣସି ବଡ଼ କ୍ଷୟକ୍ଷତି ହୋଇନାହିଁ । ପ୍ରାୟ ୧୦୦୦ କ୍ୟୁସେକ ପାଣି ନିଷ୍କାସିତ ହେଉଥିଲେ ମଧ୍ୟ ଏଥିରୁ ବନ୍ୟା ସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ନଦୀବନ୍ଧଗୁଡ଼ିକୁ ଚଉଡ଼ା ଓ ସୁଦୃଢ଼ କରାଯାଇଛି । ବିଭାଗ ପକ୍ଷରୁ ବନ୍ଧଗୁଡ଼ିକର ନିୟମିତ ତଦାରଖ କରାଯାଉଛି । ଆଗାମୀ ୧୮ରୁ ୨୪ଘଣ୍ଟା ପର୍ଯ୍ୟନ୍ତ ମୁଣ୍ଡଳୀରେ ବନ୍ୟାଜଳର ପ୍ରଭାବ ରହିଥିବାରୁ ପ୍ରଶାସନ ସତର୍କ ରହିବା ସହ ନଦୀକୂଳବାସୀଙ୍କୁ ଅନାବଶ୍ୟକ ଆତଙ୍କିତ ନହୋଇ ସରକାରୀ ପରାମର୍ଶ ମାନିବାକୁ ଅନୁରୋଧ କରିଛି ।
ଆଜି ଦିନ ୧୨ ସୁଦ୍ଧା ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ହୀରାକୁଦର ଜଳସ୍ତର ରହିଛି, ୬୨୦.୪୫ ଫୁଟ୍ । ଅନ୍ୟପଟେ ହୀରାକୁଦର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବା ବେଳେ ଆଉ ୧୦ ଫୁଟ୍ ଜଳ ବଢ଼ିଲେ ହୀରାକୁଦ ସମ୍ପୂର୍ଣ ପୂର୍ଣ୍ଣ ହୋଇଯିବ । ଅନ୍ୟପଟେ ହୀରାକୁଦର ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ୩,୧୧,୬୬୦ କ୍ୟୁସେକ ଜଳ ପଶୁଥିବା ବେଳେ ବର୍ତ୍ତମାନ ୨ଟି ଗେଟ୍ ଜରିଆରେ ମହାନଦୀରୁ ସେକେଣ୍ଡ ପ୍ରତି ୬୩ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି । ତେବେ ସବୁଠାରୁ ବଡ଼ କଥା ହେଲା ହୀରାକୁଦ ଡ୍ୟାମ୍ର ରୁଲ୍ କର୍ଭ ଅନୁସାରେ ଜୁଲାଇ ମାସ ଶେଷ ସୁଦ୍ଧା ଏହାର ଜଳସ୍ତର ୬୦୫ରୁ ୬୦୭ ଫୁଟ୍ ରହିବା କଥା । ତେବେ ଆଜି ଏହାର ଜଳସ୍ତର ୬୨୦.୪୫ ଫୁଟ୍ରେ ପହଞ୍ଚି ସାରିଛି କ୍ଷ ତେଣୁ ରୁଲ କର୍ଭ ଅବମାନନା କରି କାହିଁକି ୧୩ ଫୁଟ ଅଧିକ ଜଳ ରଖାଯାଇଛି ବୋଲି ସାଧାରଣ ଲୋକଙ୍କ ଭିତରେ ଏହା ଏକ ପ୍ରଶ୍ନ ହୋଇଛି ।
ଆଜି ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହି ସାରିଛନ୍ତି କ୍ଷ ବର୍ତ୍ତମାନ ହିତାକୁଦ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ହୀରାକୁଦ ଡ୍ୟାମ୍ ତଳ ମୁଣ୍ଡରେ ବୌଦ୍ଧ ଜିଲ୍ଲାର ଖଇରମାଳ ଠାରେ ମହାନଦୀରେ ୭,୯୦,୦୦୦ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଛି । ଠିକ ସେହିପରି ନୟାଗଡ଼ ଜିଲ୍ଲାର ବରମୂଳ ଠାରେ ମହାନଦୀରେ ୭,୯୭,୫୦୦ କ୍ୟୁସେକ୍ ବନ୍ୟା ଜଳ ଓ କଟକ ମୁଣ୍ଡୁଳି ଠାରେ ୮,୨୮,୨୫୭ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଛି । ତେଣୁ ଏହି ପରିସ୍ଥିତି ବର୍ତ୍ତମାନ ହୀରାକୁଦ ଡ୍ୟାମରୁ ୨ରୁ ଅଧିକ ସଂଖ୍ୟକ ଗେଟ୍ ଖୋଳିଲେ ତଳ ମୁଣ୍ଡରେ ବଡ଼ ଧରଣର ବନ୍ୟା ହେବାର ସମ୍ଭାବନା ଅଛି । ତେଣୁ ରୁଲ୍ କର୍ଭ ଅନୁସାରେ ହୀରାକୁଦର ଜଳସ୍ତର ୧୩ ଫୁଟ୍ ଅଧିକ ଥିଲେ ମଧ୍ୟ ଅଧିକ ଗେଟ୍ ଖୋଲାଯାଇ ପାରୁନାହିଁ । ଏହି ପ୍ରସଙ୍ଗରେ ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ପ୍ରତାପ ଚୌଧୁରୀ କହିଛନ୍ତି ଯେ, ବର୍ତ୍ତମାନ ହୀରାକୁଦର ୨ଟି ଗେଟ୍ ଖୋଲା ରହିଛି କ୍ଷ ତେବେ ତଳ ମୁଣ୍ଡରେ ମହାନଦୀରେ ଅଧିକ ବନ୍ୟା ଜଳ ପ୍ରବାହିତ ହେଇଥିବାରୁ ବର୍ତ୍ତମାନ ପରିସ୍ଥିତିରେ ହୀରାକୁଦରୁ ଅଧିକ ଗେଟ୍ ଖୋଲା ଯାଉନାହିଁ । ଆଉ ଅଧିକ ଗେଟ୍ ଖୋଲାଯିବ ନା ନାହିଁ ତାହା ନିଷ୍ପତି ନିଆଯିବ ।
ତେବେ ଏହାଦ୍ୱାରା ହୀରାକୁଦ ଡ୍ୟାମକୁ କୌଣସି ବିପଦ ନାହିଁ କ୍ଷ ଅନ୍ୟପଟେ ତଳ ମଣ୍ଡରେ ବନ୍ୟା ଜଳ ଅପସାରିତ ହେଲା ପରେ ଆସନ୍ତାକାଲି ଆଡକୁ ହୀରାକୁଦର ଅଧିକ ଗେଟ୍ ଖୋଲାଯିବାକୁ ନିଷ୍ପତି ନିଆଯିବ । ମୁଖ୍ୟତଃ ଖଇରମାଳ ଠାରେ ବର୍ତ୍ତମାନ ୭,୯୦,୦୦୦ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି, ତାହା ୪ରୁ ୫ ଲକ୍ଷକୁ ହ୍ରାସ ପାଇଲେ ହୀରାକୁଦରୁ ଗେଟ୍ ଖୋଲାଯିବ । ତେବେ ଗେଟ୍ ଗୁଡ଼ିକ ପର୍ଯ୍ୟାୟକ୍ରମରେ ଖୋଲାଯାଇ ରୁଲ୍ କର୍ଭ ଅନୁଯାୟୀ ଜଳସ୍ତରକୁ ପୁଣି ୬୦୭ ପର୍ଯ୍ୟନ୍ତ ଅଣାଯିବ ବୋଲି କହିଛନ୍ତି ହୀରାକୁଦର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚୌଧୁରୀ କ୍ଷହୀରାକୁଦରୁ ବାହାରୁ ଥିବା ବନ୍ୟା ଜଳ ବୌଦ୍ଧ ଜିଲ୍ଲାର ଖଇରମାଳକୁ ପହଂଚିବାକୁ ୧୨ରୁ ୧୬ ଘଣ୍ଟା ଲାଗିଥାଏ । ଖଇରମାଳରୁ ନୟାଗଡ଼ ଜିଲ୍ଲାର ବରମୁଳକୁ ଏହି ବନ୍ୟଜଳ ପହଞ୍ଚିବାକୁ ୧୨ରୁ ୧୬ ଘଣ୍ଟା ଲାଗିଥାଏ ଓ ସେଠାରୁ ମୁଣ୍ଡୁଳିକୁ ପହଞ୍ଚିବାକୁ ୧୨ରୁ ୧୬ ଘଣ୍ଟା ଲାଗିଥାଏ ।

