ଶାନ୍ତିପୂର୍ଣ୍ଣ ଭାବେ ସରିଲା ଶ୍ରାବଣ ମାସ; ୩୪ ଲକ୍ଷରୁ ଅଧିକ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ସୁନିଶ୍ଚିତ କଲା ପୋଲିସ

Reporterspen

କଟକ,(ରିପୋର୍ଟର୍ସ ପେନ୍‌): ପବିତ୍ର ଶ୍ରାବଣ ମାସ ଅବସରରେ ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତମାନଙ୍କ ସୁରକ୍ଷିତ ଦର୍ଶନ, ସୁଗମ ଯାତାୟାତ ଓ ଶୃଙ୍ଖଳିତ ଭିଡ଼ ପରିଚାଳନା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଶ୍ରାବଣ ମାସର ଚାରିଟି ସୋମବାରରେ ୩୫ଟି ପୋଲିସ ଜିଲ୍ଲାର ୪୫୨ଟି ପ୍ରମୁଖ ଶୈବ ପୀଠରେ ୩୪ ଲକ୍ଷରୁ ଅଧିକ ଭକ୍ତ ସୁରକ୍ଷିତ ଭାବେ ଦର୍ଶନ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଶ୍ରାବଣ ମାସକୁ ଦୃଷ୍ଟିରେ ରଖି ସୁରକ୍ଷା, ଭିଡ଼ ଓ ଯାତାୟାତ ପରିଚାଳନା ପାଇଁ ରାଜ୍ୟବ୍ୟାପୀ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ମେଳା ସମୟରେ କୌଣସି ଅଞ୍ଚଳରେ ବଡ଼ଧରଣର ଆଇନଶୃଙ୍ଖଳା ସମସ୍ୟା କିମ୍ବା ଦଳାଚକଟା ଭଳି ଅଘଟଣ ଘଟିନଥିଲା ।

ଚଳିତ ବର୍ଷ ଭକ୍ତ ସମାଗମକୁ ଆଧାର କରି ବିଭିନ୍ନ ଶୈବପୀଠରେ ଆବଶ୍ୟକତାନୁସାରେ ପୋଲିସ ଫୋର୍ସ ନିୟୋଜିତ କରାଯାଇଥିଲା । ବଲାଙ୍ଗୀର, ବାଲେଶ୍ୱର ଓ କୋରାପୁଟ ଜିଲ୍ଲାରେ ଥିବା ଶୈବ ପୀଠ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କେନ୍ଦ୍ରାଞ୍ଚଳ,କଟକ ଅଧୀନରେ ଲୋକନାଥ ଦେବ, ଯୋଡ଼ଲିଙ୍ଗ ଶିବ, ବାଲିକପିଳେଶ୍ୱର ଓ ଧବଳେଶ୍ୱର ଭଳି ପ୍ରମୁଖ ଶୈବପୀଠରେ ମଧ୍ୟ ବ୍ୟାପକ ପୋଲିସ ନିୟୋଜିତ କରାଯାଇଥିଲା । ସେହିପରି ରାଜ୍ୟର ରେଞ୍ଜରେ ଭକ୍ତଙ୍କ ସମାଗମ ଅନୁଯାୟୀ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ପ୍ରତ୍ୟେକ ଶ୍ରାବଣ ସୋମବାର ପୂର୍ବରୁ କମିଶନରେଟ୍ ପୋଲିସ ଓ ଜିଲ୍ଲା ପୋଲିସ ପକ୍ଷରୁ ଆଗୁଆ ଯାତାୟତ ପରାମର୍ଶ ଜାରି କରାଯାଇଥିଲା । ରବିବାର ସନ୍ଧ୍ୟାରୁ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ସମ୍ଭାବ୍ୟ ଭିଡ଼କୁ ଆକଳନ କରି ସମ୍ବେଦନଶୀଳ ଅଞ୍ଚଳରେ ଆବଶ୍ୟକ ଯାତାୟାତ କଟକଣା ଲାଗୁ କରାଯାଇଥିଲା । ଗଡ଼ଗଡ଼ିଆ ଘାଟ ଓ ମଧୁସୂଦନ ସେତୁ ଭଳି ସ୍ଥାନରେ ଯାତାୟାତକୁ ସୁଚାରୁ ଭାବେ ନିୟନ୍ତ୍ରଣ କରାଯିବା ସହ ଜରୁରୀକାଳୀନ ଯାନବାହନର ଚଳାଚଳ ନିରବଚ୍‌ଛିନ୍ନ ରଖାଯାଇଥିଲା । ପ୍ରମୁଖ ମନ୍ଦିରଗୁଡ଼ିକରେ ଅତ୍ୟଧିକ ଭିଡ଼କୁ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଭିଡ଼ ନିୟନ୍ତ୍ରଣ ଦଳ, କୁଇକ୍ ରେସପନ୍ସ ଟିମ୍‌କୁ ସଜାଗ ରଖାଯାଇଥିଲା ।

ମହିଳା, ବରିଷ୍ଠ ନାଗରିକ, ଶିଶୁ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ପ୍ରମୁଖ ଶୈବପୀଠଗୁଡ଼ିକରେ ସ୍ୱତନ୍ତ୍ର ସୁରକ୍ଷା ଓ ସହାୟତା ବ୍ୟବସ୍ଥା କରାଯାଇଥିଲା । ନଦୀ ଓ ଅନ୍ୟାନ୍ୟ ଜଳପଥ ନିକଟରେ ମଧ୍ୟ ସୁରକ୍ଷାକୁ ସୁଦୃଢ଼ କରାଯାଇଥିଲା । ମନ୍ଦିର ସେବାୟତ, ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧାକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା ।

ଶ୍ରାବଣ ମେଳା ପରିଚାଳନାରେ ନିର୍ଦ୍ଧାରିତ ପରିଚାଳନା ନୀତିକୁ ଅନୁସରଣ କରାଯିବା ସହ ବିଭିନ୍ନ ପର୍ଯ୍ୟାୟରେ ଏକାଧିକ ସମନ୍ୱୟ ବୈଠକ ଆୟୋଜନ କରାଯାଇଥିଲା । ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ନିରନ୍ତର ଯୋଗାଯୋଗ, ସୂଚନା ଆଦାନପ୍ରଦାନ ଯୋଗୁଁ ସମଗ୍ର ମେଳା ପରିଚାଳନା ସୁଚାରୁ ଭାବେ ସମ୍ପନ୍ନ ହୋଇପାରିଥିଲା । ସୁଚିନ୍ତିତ ଯୋଜନା, ବିଭିନ୍ନ ରେଞ୍ଜ ମଧ୍ୟରେ ଉତ୍ତମ ସମନ୍ୱୟ ଏବଂ ଭକ୍ତମାନଙ୍କ ସହଯୋଗ ଯୋଗୁଁ ଶ୍ରାବଣ ମାସ ଶୃଙ୍ଖଳିତ ଭାବେ ସମାପ୍ତ ହୋଇଛି ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ମତବ୍ୟକ୍ତ କରିଛନ୍ତି । ଏହି ଅଭିଯାନରେ ସୂଚାରୁ ରୁପେ କାର୍ଯ୍ୟ ସମ୍ପାଦନ କରିଥିବା ସମସ୍ତ ରେଞ୍ଜର ଅଧିକାରୀ, ପୋଲିସ ଜିଲ୍ଲାର ଏସ୍‌ପି ଏବଂ ସେମାନଙ୍କ ସମଗ୍ର ଟିମ୍‌କୁ ସାଧୁବାଦ ଜଣାଇଛନ୍ତି ।


Reporterspen